ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଜିଲ୍ଲା ପରେ ଜିଲ୍ଲା ଡେଇଁ ଏବେ ରାୟଗଡ଼ାରେ ବ୍ୟାପିଛି ଝାଡା ବାନ୍ତି । ଲଗାଣ ବର୍ଷା ଯୋଗୁଁ ରାୟଗଡ଼ାରେ ଝାଡା ବାନ୍ତି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହି ସମୟରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସିକରପାଇ ଗ୍ରାମ ଝଡିଆ ସାହି ନିକଟରେ କାଦୁଅ, ଦୂଷିତ ଜଳ ଜମି ରହି ଥିବାରୁ ଭୟରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ଏମିତି କି ବହୁତ୍ ଦିନ ହେଲାଣି ଡ୍ରେନ୍ ସଫା ହେଇ ନାହିଁ ଏବଂ ନିକଟରେ ଥିବା ବନ୍ଧ ସଫା ନ ହୋଇ ଥିବାରୁ ଦୂଷିତ ପାଣି ଜମି ଦୁର୍ଗନ୍ଧ ହେଉଥିବା ସ୍ଥାନୀୟ ଲୋକେ ସରପଞ୍ଚଙ୍କୁ ଜଣେଇବା ପରେ ବି କିଛି କାର୍ଯ୍ୟକାରୀ ହେଇ ନ ଥିବା କହିଛନ୍ତି । ଯଥା ଶୀଘ୍ର ଏହାର ସମାଧାନ ନ କଲେ ଅଞ୍ଚଳରେ ଝାଡ଼ା ବାନ୍ତି ଓ ଡେ଼ଙ୍ଗୁ ଭଳି ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ନିବେଦନ କରିଛନ୍ତି । ଲଗାଣ ବର୍ଷାରେ ଗ୍ରାମ ସଫେଇ ସହ ବ୍ଲିଚିଁ ପାଉଡର ପକାଇବା କଥା ଯାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ଏବଂ ଏହି ଦୁଇ ନମ୍ୱର୍ ୱାର୍ଡ଼ ରେ ୱାର୍ଡ ମେମ୍ବର ମଧ୍ୟ ନ ଥିବାରୁ ସାହିର ଉନ୍ନତି କାମ କିଛି ହୋଇ ପାରୁନାହିଁ ବୋଲି ଚାମିଆ ଲୋରା, ଅନନ୍ତ ଜାନି, ଟୁମ୍କାଲିଆ ବଦଲିଙ୍କ ସହ ସାହିବାସୀ କହିଛନ୍ତି । ଅନ୍ୟ ପଟେ ପ୍ରତ୍ୟେକ ଦିନ କଲ୍ୟାଣ ସିଂପୁର ବ୍ଲକରୁ ୨/୩ ଜଣ ଝାଡା ବାନ୍ତି ରୋଗୀ କଲ୍ୟାଣସିଂହପୁରରୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ନଜିର ରହିଛି |