ଡ. ଗୋପୀନାଥ ବାଗ ଓ ଡ. ଚନ୍ଦ୍ରଶେଖର ହୋତାଙ୍କୁ ଦେବଗିରି ସାହିତ୍ୟ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ କବି ତଥା ସମାଲୋଚକ ଡ. ଗୋପୀନାଥ ବାଗଙ୍କୁ ୨୦୨୫ ମସିହା ପାଇଁ ଏବଂ ବିଶିଷ୍ଟ ପ୍ରାବନ୍ଧିକ ଡ. ଚନ୍ଦ୍ରଶେଖର ହୋତାଙ୍କୁ ୨୦୨୬ ମସିହା ପାଇଁ ମର୍ଯ୍ୟାଦାଜନକ ଦେବଗିରି ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା କୋକସରାରେ ଜନ୍ମିତ ଡ. ବାଗ ଆଧୁନିକ କବିତା ଓ ସମାଲୋଚନା କ୍ଷେତ୍ରରେ ଏକ ପରିଚିତ ନାମ। ତାଙ୍କ କବିତା ପୁସ୍ତକ ‘କିଛି କହିବାର ଅଛି’, ‘ଚନ୍ଦ୍ରସେଣା’, ‘କକରେ କଁ’, ‘ଜୀ-ବନେ ଜୀବନ’, ସମାଲୋଚନା ପୁସ୍ତକ ‘ଅନ୍ତରଙ୍ଗ ଅନ୍ୱେଷା’, ‘ଡମ୍ ସଂସ୍କୃତି’, ‘ଭୁବନେଶ୍ୱର ବେହେରା : ଜୀବନ ଓ ସୃଜନ’, ‘ରାମଚନ୍ଦ୍ର ବେହେରାଙ୍କ ଉପନ୍ୟାସର ଶୈଳୀ ଓ ସଂରଚନା’, ‘ପ୍ରାଚ୍ୟ କାବ୍ୟତତ୍ତ୍ୱ’ ସମେତ ୧୬ ଟି ପୁସ୍ତକ ପ୍ରକାଶିତ। ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ସଂପ୍ରତି ସେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ। ତାଙ୍କ ତତ୍ତ୍ୱାବଧାନରେ ୧୨ ଜଣ ଗବେଷକ ଓ ଜଣେ ଡିଲିଟ୍ ଉପାଧି ପାଇଁ ଗବେଷଣା କରିଛନ୍ତି। ଏଥିସହ ବିଶ୍ୱବିଦ୍ୟାଳୟର ପତ୍ରିକା ‘ସପ୍ତର୍ଷି’ର ପରିଚାଳନା ସଂପାଦକ ଭାବେ କାର୍ଯ୍ୟରତ। ଅନେକ ସାହିତ୍ୟ ଅନୁଷ୍ଠାନ ସହ ମଧ୍ୟ ଡ. ବାଗ ଜଡ଼ିତ।

ସେହିପରି ବଲାଙ୍ଗୀର ଜିଲ୍ଲା ଗୁର୍ଜିଭଟା ଗ୍ରାମରେ ଜନ୍ମିତ ଡ. ହୋତା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦେଶବନ୍ଧୁ କଲେଜରେ ଅଧ୍ୟାପକ ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିବା ବେଳେ ଓଡ଼ିଶା ପୋଲିସ ସେବାରେ ଯୋଗଦେଇ ସଂପ୍ରତି ଭୁବନେଶ୍ୱରସ୍ଥିତ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି। ‘କଳ୍ପନା, ଅନୁଭବ ଓ ସାହିତ୍ୟ’, ‘ଚେତନାର ଅନ୍ୱେଷଣ’, ‘ଆମ୍ବପଡ଼ାର ଆଚାର୍ଯ୍ୟ’, ‘ସାଂସ୍କୃତିକ ଆହ୍ୱାନ’, ‘ବିବେକ ବିଲୋଚନା’ ସମେତ ତାଙ୍କର ୮ ଟି ପୁସ୍ତକ ପ୍ରକାଶିତ। ଏଥିସହ ସମାଜ, ସମ୍ବାଦ, ପ୍ରମେୟ ଭଳି ପ୍ରତିଷ୍ଠିତ ଖବରକାଗଜ ପାଇଁ ସେ ସ୍ତମ୍ଭ ଲେଖନ୍ତି। ତାଙ୍କର ଏହି ଅବଦାନ ପାଇଁ ସେ ୨୦୨୦ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସମେତ ଅନେକ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସାହିତ୍ୟ ପତ୍ରିକା ‘କୋଣାର୍କ’ର ପରିଚାଳନା ସମ୍ପାଦକ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ନିଷ୍ଠାପର ସେବା ପାଇଁ ଉକ୍ତ ପ୍ରତିଭାମାନଙ୍କୁ ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୪ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ‘ଗୋସିଂହ ଦୈତ୍ୟ ଦରବାର’ରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.