ନ୍ୟାୟ ପାଇଁ ନର୍ଲା ଥାନାର ଦ୍ବାରସ୍ଥ ହେଲେ ସାନଚିଚିଙ୍ଗ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗ୍ରାମବାସୀଙ୍କ ଉପରେ ବାରମ୍ବାର ଅତ୍ୟାଚାର ଓ ଆକ୍ରମଣ ହେଉଥିବା ଦର୍ଶାଇ  ସାନଚିଚିଙ୍ଗ ଗ୍ରାମବାସୀ ନର୍ଲା ଥାନାର ଦ୍ବାରସ୍ଥ ହୋଇଛନ୍ତି। ଶୁକ୍ରବାର ନର୍ଲା ବ୍ଲକ ଶାନ୍ତପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଚିଚିଙ୍ଗ ଗାଁର ଦୁଇଶହରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ନର୍ଲା ଥାନାରେ ଏସଡିପିଓ ସନ୍ଦିପ କୁମାର ମାଝୀଙ୍କ ସହ ଆଲୋଚନା କରିବା ସହ ଥାନାଧିକାରୀ ବିଜୟରାଜ ମାଝୀଙ୍କ ପାଖରେ ସେମାନଙ୍କ ଅଭିଯୋଗ ପତ୍ର ଦରଜ କରାଇଛନ୍ତି। ଦୋଷୀମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ମାଝୀ କହିଛନ୍ତି। ସାନଚିଚିଙ୍ଗ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗୋହିରାପଦର ଗାଁର ଟିକେଧର ସାହୁ, ହେମନ୍ତ ସାହୁ, ଛବିଲାଲ ସାହୁ, ଉମାକାନ୍ତ ସାହୁ ପ୍ରମୁଖ ବ୍ୟକ୍ତିମାନେ ସାନଚିଚିଙ୍ଗ ଗାଁର ଅନେକ ଲୋକଙ୍କୁ ବିଗତ ୧୦ ବର୍ଷ ହେଲା ମାଡ଼ ମାରିବା ସହ ଗାଳିଗୁଲଜ କରି ଆସୁଛନ୍ତି। ଏମାନେ ବିଗତ ଦିନରେ ସାନଚିଚିଙ୍ଗ ଗାଁର ଅରକ୍ଷିତ ମାଝୀ, ଜନକ ମାଝୀ, ଦିଲିପ ନାୟକ, ଲମ୍ବୁଧର ଗଉଡ ପ୍ରମୁଖଙ୍କୁ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଆଦିବାସୀ ଓ ଦଳିତଙ୍କୁ ମଧ୍ୟ ଟିକେଧର ସାହୁଙ୍କ ଗୋଷ୍ଠୀ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଛତିକୁଡା ଛକରେ ଦୋକାନ କରିଥିବା ସାନଚିଚିଙ୍ଗ ଗାଁର କେତେକ ବ୍ୟବସାୟୀଙ୍କୁ ମଧ୍ୟ ଗୋହିରାପଦରର ଏହି ବ୍ୟକ୍ତିମାନେ ହଇରାଣ ହରକତ କରି ଆସୁଛନ୍ତି। ଏହାସହ ଗତ ଅଗଷ୍ଟ ୬ ତାରିଖ ଦିନ ରାତି ୧୧ଟା ସମୟରେ ସାନଚିଚିଙ୍ଗର ଟଙ୍କଧର ମେହେର, ଜୟ ମେହେର ଓ ଲିପୁନ ସାହୁଙ୍କୁ ଗୋହିରାପଦର ଗାଁର ଟିକେଧର ସାହୁ, ହେମନ୍ତ ସାହୁ ଓ ଛବିଲାଲ ସାହୁ ପୂର୍ବ ପ୍ରସ୍ତୁତି କ୍ରମେ ମହେନ୍ଦ୍ରା ଟିଭୁଭି ଗାଡ଼ି ଚଢ଼େଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ। ପରେ ଏମାନଙ୍କୁ ଟିକେଧର ସାହୁ ଓ ତାଙ୍କ ଭାଇମାନେ ଖଣ୍ଡା, ତରୁଆଲ ଓ ଠେଙ୍ଗାରେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି। ଏହି ଲୋକମାନଙ୍କ ଯୋଗୁଁ ସାନଚିଚିଙ୍ଗ ଗ୍ରାମବାସୀ ସବୁବେଳେ ଭୟରେ ରହୁଥିବା ଗଣମାଧ୍ୟମକୁ ଜଣାଇଛନ୍ତି। ତେବେ ନର୍ଲା ଥାନାଧିକାରୀଙ୍କୁ ଅଭିଯୋଗ ପତ୍ର ଦେବା ସମୟରେ ଦିଲୀପ ନାୟକ, ଟଙ୍କଧର ମେହେର, ରାମଚନ୍ଦ୍ର ସାହୁ, ପାର୍ବତୀ ରଣା, ସଞ୍ଜୁକ୍ତା ମେହେର, ବେଲ ମେହେର, ଚନ୍ଦ୍ରକାନ୍ତି ମେହେର, ଚଞ୍ଚଳା ମାଝୀ, ଦମୟନ୍ତୀ ମାଝୀ, ଅଞ୍ଜନା ରଣା, ଲଲିତା ରଣାଙ୍କ ସମେତ ସାନଚିଚିଙ୍ଗ ଗ୍ରାମବାସୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.