ଓଡିଶାର ‘ଓମବ୍ରିକ୍’ ପ୍ରକଳ୍ପରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଗୌରବମୟ ସହଭାଗୀତା

ମେରାଇନ ବାୟୋଟେକ୍‌ ଗବେଷଣା ଓ ବ୍ଲୁ ଇକନୋମିକୁ ଅଗ୍ରସର କରିବାରେ ରାଜ୍ୟର ‘ଓମବ୍ରିକ୍’ ପ୍ରକଳ୍ପରେ ୬ ଅଗ୍ରଣୀ ଶିକ୍ଷାନୁଷ୍ଠାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଓଡିଶା ମେରାଇନ ବାୟୋଟେକ୍‌ନୋଲଜି ରିସର୍ଚ୍ଚ ଏଣ୍ଡ ଇନୋଭେସନ କରିଡୋର୍‌ (ଓମବ୍ରିକ୍) ଉଦ୍‌ଘାଟିତ ହୋଇଛି। ଏଥି ଅନ୍ତର୍ଗତ ମେରାଇନ ବାୟୋଟେକ୍‌ ଷ୍ଟାର୍ଟଅପ୍‌ ସୃଷ୍ଟି, ନବୀନତାକୁ ପ୍ରୋତ୍ସାହନ ଓ ‘ବ୍ଲୁ ଇକନୋମି’ର ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ଗବେଷଣା ଓ ନୂତନ ଅଧ୍ୟୟନାତ୍ମକ ପ୍ରଶିକ୍ଷଣକୁ ପ୍ରୋତ୍ସାହନ ଦେବା ନେଇ ସୂଚୀତ କରାଯାଇଛି।

ଫକୀରମୋହନ ବିଶ୍ୱବିଦ୍ୟାଳୟ ଏହି ପ୍ରୟାସର ପ୍ରକଳ୍ପ ସହଭାଗୀ ସଂସ୍ଥା ଭାବେ ଯୋଗଦେଇ ବୁଝାମଣାପତ୍ରରେ ସ୍ବାକ୍ଷର କରିଛି, ଯାହାର ମାଧ୍ୟମରେ ବିଶ୍ୱବିଦ୍ୟାଳୟ ମେରାଇନ ବାୟୋଟେକ୍‌ ଗବେଷଣା, ଇନ୍‌ନୋଭେସନ୍‌, ଓ ପ୍ରୟୋଗମୂଳକ ବିକାଶ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିବ। ଏହି ବୁଝାମଣାପତ୍ର ରାଜ୍ୟ ବିଜ୍ଞାନ ଓ ପ୍ରୌଦ୍ୟୋଗିକୀ ବିଭାଗ ଓ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନସ୍ଥ ନ୍ୟାସନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଓସିଆନ୍‌ ଟେକ୍ନୋଲଜି (ଏନଆଇଓଟି) ସହିତ ଏକ ଯୁକ୍ତ ସହଯୋଗ ସ୍ଥାପନ କରିବ।

ଫକୀରମୋହନ ବିଶ୍ୱବିଦ୍ୟାଳୟ ମେରାଇନ ବାୟୋଟେକ୍‌ ଗବେଷଣା ଓ ବିକାଶ ପ୍ରକ୍ରିୟାର ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାରଙ୍କ ଓଡିଶା ମେରାଇନ ‌ ବାୟୋଟେକ୍‌ନୋଲଜି ରିସର୍ଚ୍ଚ ଏଣ୍ଡ ଇନୋଭେସନ୍‌ କରିଡୋର୍‌ (ଓମବ୍ରିକ୍) ପ୍ରୟାସରେ ସହଭାଗୀ ଭାବେ ଯୋଗ ଦେଇଛି। ଏନଆଇଓଟି ସହିତ ଏହି ଯୁକ୍ତ ପ୍ରକଳ୍ପ ମାଧ୍ୟମରେ ବିଶ୍ବବିଦ୍ୟାଳୟ, ସମୁଦ୍ର ଜୈବ ସମ୍ପଦ ଅନ୍ୱେଷଣ, ପରିବେଶ ସୁରକ୍ଷା ଓ ସ୍ଥାୟୀ ବ୍ୟବହାର ପାଇଁ ଗବେଷଣା, ପ୍ରଶିକ୍ଷଣ ଓ ଇନ୍‌କ୍ୟୁବେସନ୍‌ ରେ ସମର୍ଥନ ଦେବ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, ଏହି ପ୍ରକଳ୍ପ ରାଜ୍ୟର ୫୭୪ କି.ମି. ଲମ୍ବା ସମୁଦ୍ରତଟରେ ଥିବା ଜୈବ ସମ୍ପଦକୁ ଗବେଷଣାର ପ୍ରସଙ୍ଗ ଭାବରେ ବ୍ୟବହାର କରି ଅନ୍ୱେଷଣ, ସ୍ଥାୟୀ ବ୍ୟବହାର ଓ ପରିବେଶ ସୁରକ୍ଷାରେ ଅମୂଲ୍ୟ ଅବଦାନ ଦେଇ ପାରିବା ନେଇ ଲକ୍ଷ୍ଯ ରଖିଛି । ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି, “ଓମବ୍ରିକ୍ ମାଧ୍ୟମରେ ଆମେ ‘ଲାବ୍‌-ଟୁ-ଲ୍ୟାଣ୍ଡ’ ଏବଂ ‘ଲାବ୍‌-ଟୁ-ମାର୍କେଟ୍‌’ ଧାରାକୁ ସୁଦୃଢ଼ କରିବାରେ ପ୍ରତିଶ୍ରୁତିବଦ୍ଧ। ବାୟୋଆକ୍ଟିଭ୍‌ ମୋଲିକ୍ୟୁଲ୍‌, ବାୟୋରିମେଡିଏସନ୍‌, ନ୍ୟୁଟ୍ରାସିଉଟିକାଲ୍‌ ଓ ସମୁଦ୍ର ଜୈବ ସମ୍ପଦ ଆଧାରିତ ନବୀନ ପ୍ରଡକ୍ଟ୍‌ରେ ଗବେଷଣା କରି, ରାଜ୍ୟର ଅର୍ଥନୀତି, ରୋଜଗାର ସୃଷ୍ଟି ଓ ପରିବେଶ ସୁସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ଆମ ଲକ୍ଷ୍ୟ।”

ଏହି ପ୍ରକଳ୍ପରେ ବିଶ୍ୱବିଦ୍ୟାଳୟରର ଅଭିନ୍ନ ଭୂମିକା ମଧ୍ଯରେ, ସମୁଦ୍ର ବାୟୋଟେକ୍‌ କ୍ଷେତ୍ରରେ ଗବେଷଣା ଓ ବିକାଶ ପ୍ରକଳ୍ପ,
ଛାତ୍ର, ଗବେଷକ ଓ ଯୁବ ବୈଜ୍ଞାନିକଙ୍କ ପାଇଁ ଉଚ୍ଚଶିକ୍ଷା ଓ ପ୍ରଶିକ୍ଷଣ ସୁଯୋଗ, ସ୍ଥାନୀୟ ଷ୍ଟାର୍ଟଅପ୍‌ ଗଠନ ପାଇଁ ଇନ୍‌କ୍ୟୁବେସନ୍‌ ସମର୍ଥନ ଓ ଉଦ୍ୟମୀ ପ୍ରଶିକ୍ଷଣ, ସମୁଦ୍ରତଟ ସମୁଦାୟ ସହିତ ସହଭାଗୀତା ଥଥା ପ୍ରଶିକ୍ଷଣ, ଜୀବିକା ସୁଦୃଢ଼ୀକରଣ, ପରିବେଶ ସୁରକ୍ଷାର ଦାୟିତ୍ବ ନିର୍ବାହ କରିବ।

ବିଶ୍ୱବିଦ୍ୟାଳୟର ବରିଷ୍ଠ ଗବେଷକଙ୍କ ମତରେ ଓମବ୍ରିକ୍ କେବଳ ବୈଜ୍ଞାନିକ ଅନ୍ୱେଷଣରେ ନୁହେଁ, ବରଂ ସମୁଦ୍ରତଟ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ମଧ୍ୟ ପଥପ୍ରଦର୍ଶକ ହେବ। ଏହା ଓଡିଶାକୁ କେବଳ ଉପକୂଳ ଅଞ୍ଚଳର ରାଜ୍ୟରୁ ‘କୋଷ୍ଟାଲ୍‌ ଇନୋଭେଟର୍‌’ ରୂପେ ପରିଣତ କରି, ‘ବିକଶିତ ଓଡିଶା ୨୦୩୬’ ଓ ‘ବିକଶିତ ଭାରତ ୨୦୪୭’ ର ଦୃଷ୍ଟିକୋଣକୁ ସାକାର ମଧ୍ଯ କରିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.