ସଂସ୍କୃତ ବଞ୍ଚିଲେ ସଂସ୍କୃତି ବଞ୍ଚିବ -ପ୍ରଫେସର ମନୋରଞ୍ଜନ ସେନାପତି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ କଳାହାଣ୍ଡି ଶାଖା ତରଫରୁ ଜିଲ୍ଲା ସଭାପତି ଜୟଦୁର୍ଗା ହାଇସ୍କୁଲ ନର୍ଲାରୋଡର ସଂସ୍କୃତ ଶିକ୍ଷକ ସୁବାଷ ଚନ୍ଦ୍ର ବରାଡଙ୍କ ଅଧ୍ୟକ୍ଷତାରେ ବିଶ୍ୱ ସଂସ୍କୃ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ ଯୋଗଦାନ କରି ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ, ମୁଖ୍ୟ ବକ୍ତା ଭାବରେ ଉତ୍କଳ ବିଶ୍ୱ ବିଦ୍ୟାଳୟର ପ୍ରଫେସର ମନୋରଞ୍ଜନ ସେନାପତି ଓ ସାରସ୍ୱତ ବକ୍ତା ଭାବରେ ପାରଳାଖେମୁଣ୍ଡି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ.ବିଘ୍ନେଶ୍ୱର ମିଶ୍ର ଯୋଗଦାନ କରି ସଂସ୍କୃତ ବଞ୍ଚିଲେ ସଂସ୍କୃତି ବଞ୍ଚିବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ହାଇସ୍କୁଲରୁ ୮୦ ରୁ ଉର୍ଦ୍ଧ୍ୱ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପୂର୍ବାହ୍ନ ୧୦ ଘଣ୍ଟା ସମୟରେ କାର୍ଯ୍ୟକ୍ରମ ସ୍ଥଳରେ ବାକଦେବୀ ସରସ୍ୱତୀଙ୍କ ପୁଜନ ପରେ ନର୍ଲା ପଞ୍ଚାୟତ ସମିତି ହାଇସ୍କୁଲ, ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲ, ରାକ୍ସୀ ହାଇସ୍କୁଲ, ମାଣ୍ଡେଲ ଜଗନ୍ନାଥ ହାଇସ୍କୁଲ ର ଛାତ୍ରୀ ଛାତ୍ରୀ, ଅତିଥି ବୃନ୍ଦ ଓ ନିମନ୍ତ୍ରୀତ ସଂସ୍କୃତ ଶିକ୍ଷକ ମାନଙ୍କୁ ନେଇ ଏକ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସଂସ୍କୃତ ଦିବସ ଓ ସଂସ୍କୃତ ଭାଷା ଉପରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶୋଭାଯାତ୍ରୀ ଦଳ ନର୍ଲା ନଗର ପରିକ୍ରମା କରିଥିଲେ । ଏହାପରେ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ଶିଶୁ ମନ୍ଦିରର ବୌଦ୍ଧିକ ମଣ୍ଡପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଂସ୍କୃତ ବଞ୍ଚିଲେ ସଂସ୍କୃତି ବଞ୍ଚବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିବା ସହ ସଂସ୍କୃତ ଭାଷା ତୃତୀୟ ଭାଷା ହୋଇ ରହୁ । ଧନ୍ଦା ମୂଳକ ସଂସ୍କୃତ ଶିକ୍ଷାକୁ ବାଧ୍ୟତା ମୂଳକ ଶିକ୍ଷା କରାଯାଉ ବୋଲି ସରକାରଙ୍କ ନିକଟରେ ପ୍ରସ୍ତାବ ମଧ୍ୟ ରଖାଯାଇଥିଲା । ଇତ୍ୟବସରରେ ୨୦୨୫ ରେ ବିଭିନ୍ନ ବିଦ୍ୟାଳୟରୁ ଅବସର ନେଇଥିବା ୬ ଜଣ ସଂସ୍କୃତ ଶିକ୍ଷକଙ୍କୁ ସେମାନଙ୍କ ନୀରବଛିନ୍ନ ସଂସ୍କୃତ ଶିକ୍ଷା ସେବା ପ୍ରଦାନ ପାଇଁ ମାନପତ୍ର ଓ ଉପଢୌକନ ଦେଇ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ଅଧ୍ୟକ୍ଷ ଶ୍ରୀ ବରାଡ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭୀମକେଲା ହାଇସ୍କୁଲ ର ସଂସ୍କୃତ ଶିକ୍ଷକ ନରସିଂହ ଦଳେଇ ମଙ୍ଗଲାଚରଣ ପାଠ କରିଥିଲେ। ଓଡିଶା ଆଦର୍ଶ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡ.ମାନସ ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଓଡିଶା ଆଦର୍ଶ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶିବ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।