ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଉ ମାତ୍ର ୫ ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନ ବିନାଶକ ଶ୍ରୀ ଗଣେଶ । ଭାତ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ତାଙ୍କର ପୂଜା । ଏଥିପାଇଁ ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, କ୍ଲବ, ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ ସାଜ ସଜ୍ଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ସହର ତଥା ଆଖ ପାଖରେ ମାଟିରେ ମୂର୍ତ୍ତି ତିଆରି କରୁଥିବା କାରିଗର ମାନେ ମଧ୍ୟ ଚଳ ଚଞ୍ଚଳ ହୋଇ ଅଗଷ୍ଟ ମାସ ଆରମ୍ଭରୁ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଆକୃତି ଓ ଭିନ୍ନ ଛନ୍ଦର ଭଳିକି ଭଳି ଗଣେଶ ମୂର୍ତ୍ତି ସବୁ ନିର୍ମାଣରେ କାରିଗର ମାନେ ମନୋ ନିବେଶ କରିଥିବା ବେଳେ କାରିଗର ମାନଙ୍କୁ ସ୍କୁଲ, କଲେଜ ଓ କ୍ଲବ ଗୁଡିକ ତରଫରୁ ସେମାନଙ୍କ ମନପସନ୍ଦର ମୂର୍ତ୍ତି ପାଇଁ ମଧ୍ୟ ଆଗୁଆ ବରାଦ କରିଥିବା ମୂର୍ତ୍ତି କାରିଗର ମାନେ ପ୍ରକାଶ କରିଛନ୍ତି । ମୂର୍ତ୍ତି ଗୁଡିକ ୨,୫୦୦ ଟଙ୍କା ରୁ ୨୦,୦୦୦ ଟଙ୍କା ମଧ୍ୟରେ ରହିଥିବା ପ୍ରକାଶ କରିଛନ୍ତି ମୂର୍ତ୍ତି କାରିଗର।ଏବେ ଶେଷ ପର୍ଯ୍ୟାୟରେ ଗଣେଶ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଛି । ମୂର୍ତ୍ତି ସବୁ ପ୍ରାୟତଃ ନିର୍ମାଣ କାମ ସରି ଆସୁଥିବା ବେଳେ ରଙ୍ଗ ଓ ତୂଳୀ ର ସ୍ପର୍ଶ ଦେବା ବାକି ରହିଛି । ଗଣେଶ ପୂଜା ପରଦିନ ୨୮/୮ ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଏଣୁ ଉଭୟ ଗଣେଶ ପୂଜା ଓ ନୂଆଖାଇ ପାଇଁ ନର୍ଲା ମାର୍କେଟ ମଧ୍ୟ ଏବେଠୁଁ ଗହଳି ଆରମ୍ଭ ହୋଇଗଲାଣି ।