ନୂଆଖାଇ ଅବସରରେ ସର୍ଗିଗୁଡାରେ ଧରଣୀ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଗୁରୁବାର ପବିତ୍ର ଗଣପର୍ବ ନୂଆଖାଇ । ଏଥିପାଇଁ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇଉଠିଛି। ପ୍ରଥମେ ଦେବାଦେବୀ ମାନଙ୍କୁ ନୂଆ ଚାଉଳରେ ଅନ୍ନ ପ୍ରସ୍ତୁତ କରି ଅର୍ପଣ କରିବା ପରେ ଜନସାଧାରଣ ନୂଆଖାଇବେ। ଆଉ ପ୍ରତ୍ୟେକ ଗ୍ରାମରେ ଗ୍ରାମର ଧରଣୀ ଦେବୀ ରହିଛନ୍ତି ଗ୍ରାମକୁ ସୁରକ୍ଷା ଦେଇ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ସର୍ଗିଗୁଡା ଗ୍ରାମରେ ଦିବା ୧୦ ଘଣ୍ଟା ସମୟରେ ଗ୍ରାମଦେବୀ “ଧରଣୀ”ଙ୍କୁ ପାରମ୍ପାରିକ ରୀତି ନୀତିରେ ପୂଜାର୍ଚ୍ଚନା କରି ନବାନ୍ନ ଭୋଗଲାଗି କରିଛନ୍ତି। କଳାହାଣ୍ଡିରେ ଆଦିବାସୀ ପରମ୍ପରା ଓ ସଂସ୍କୃତି ରହି ଆସିଛି। ଏଣୁ ଗ୍ରାମର ଧରଣୀ ଦେବୀଙ୍କୁ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ “ଜାନୀ” ହିଁ ପୂଜା କରିବାର ବିଧି ରହିଛି। ଚଳିତ ବର୍ଷ ଉପ୍ରାଦିତ ହୋଇଥିବା ପ୍ରଥମ ଫସଲ ନୂଆଧାନ କେଣ୍ଡା ଧରଣୀ ଦେବୀଙ୍କ ସମୀପରେ “ଖେଡସୁଆ” କରି ଚାଷୀ ଓ ଗ୍ରାମର ମଙ୍ଗଳ ମନାସୀ ଗ୍ରାମର ଗାଁଉଟିଆ ଶେଷଦେବ ନାଏକଙ୍କ ସହ ସର୍ଗିଗୁଡା ଗ୍ରାମର ଜାନୀ ଉପେନ୍ଦ୍ର ମାଝି, ଝାଙ୍କର ଦେବାର୍ଚ୍ଚନ ମାଝୀ, ଗଣା ସୀମାନ ସୁନା ସହଯୋଗୀ ଚିତ୍ର ମାଝୀ, ଦେବ ମାଝୀ, ଟଙ୍କ ମାଝୀ ପ୍ରମୁଖ ଧରଣୀ ଦେବୀ, ଗବଡା ଦେବୀ, ଜାଡେନ, ବାରଭାଇ ଭୀମା, କରଲା ଡଙ୍ଗର, ନଙ୍ଗଲଗୁଡା,ଗୁବୁଡା ପ୍ରମୁଖ ଦେବା ଦେବୀଙ୍କୁ ପୂଜା କରିଛନ୍ତି। କୁକୁଡ଼ା ବଳି ଭୋଗ ଓ ସୁରା ଭୋଗ ଅର୍ପଣ କରିଥିଲେ। ଇତ୍ୟବସରରେ ଗ୍ରାମର ଗୌନ୍ତିଆ, ଜାନୀ, ଝାଙ୍କର ଓ ଗଣାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୂଆଖାଇ ପୂର୍ବରୁ ପ୍ରତିବର୍ଷ ଗ୍ରାମର ଧରଣୀ ଦେବୀଙ୍କୁ ମଧ୍ୟ ସ୍ୱତନ୍ତ୍ର ପୂଜା କରାଯିବାର ପରମ୍ପରା ଆବହମାନ କାଳରୁ ରହିଆସିଛି। ପ୍ରଥମେ ଗ୍ରାମର ଜାନୀ ପବିତ୍ର ଜଳରେ ଧରଣୀ ଦେବୀଙ୍କୁ ସ୍ନାନ ମାର୍ଜନା କରିଥିଲେ। ଏହାପରେ ସିନ୍ଦୁର, ଚନ୍ଦନ, ଧୂପ, ଦୀପ ଓ ପୁଷ୍ପ ପ୍ରଦାନ କରିବା ପରେ ନଡିଆ, କଦଳୀ, ନୂଆଚୁଡା ର ନୈବେଦ୍ୟ ଅର୍ପଣ କରି ପୂଜା କରିଥିଲେ। ଏହାପରେ ବଳିପ୍ରଥା ଅନୁଯାଇ କୁକୁଡା ବଳି ଓ ସୁରା ଅର୍ପଣ କରିଥିଲେ ଦେବୀଙ୍କୁ। ଗ୍ରାମର ଭକ୍ତ ବୃନ୍ଦ ଆଣିଥିବା କୁକୁଡା ଗୁଡିକ ଦେବୀଙ୍କ ନିକଟରେ ବଳୀ ପ୍ରଦାନ କରାଯାଇ ଧରଣୀ ଦେବୀଙ୍କ ନିକଟରେ ଗ୍ରାମର ସଦା ସର୍ବଦା ସୁରକ୍ଷା ଓ ମଙ୍ଗଳ ମନାସି ପ୍ରାର୍ଥନା କରିଥିଲେ ଗୌନ୍ତିଆ, ଜାନୀ, ଝାଙ୍କର ଓ ଗଣା। ଇତ୍ୟବସରରେ ଗ୍ରାମର ଯୁବକ ସାନ ଗଉନ୍ତିଆ ପରିବାରର କିଶୋର ନାଏକ, ନିହାର ନାଏକ, ଯୁବ ସ୍ଵେଚ୍ଛାସେବୀ ଉଗ୍ରସେନ ଗଉଡ, ଶେଷଦେବ ପଧାନ,ବୁଲୁ ମିଶ୍ର, ତ୍ରିଲୋଚନ ନାଏକ,ନିଲେଶ୍ ନାଗ, ବୈକୁଣ୍ଠ ମିର୍ଦ୍ଧା, ଈଶ୍ୱର ନାଗ, ହାଡୁ ବାରିକ, ବିଦେଶୀ ବାଗ, ମାନସ ସା, ତପନ ପୋଢ଼, ଯୁଗେଶ୍ୱର୍ ବିଶ୍ଵାଳ,ମିଥୁନ ସୁନାଙ୍କ ସମେତ ଗ୍ରାମର ଅନେକ ଯୁବକ ଉପସ୍ଥିତ ଧରଣୀପୂଜା ପରିଚାଳନାରେ ସହଯୋଗ କରିଥିଲେ। ଏହାପରେ ଧରଣୀ ଦେବୀଙ୍କ ଠାରେ ଭୋଗଲାଗି ହୋଇଥିବା ନୂଆ ଚୁଡ଼ା ପ୍ରସାଦ ଗ୍ରାମବାସୀଙ୍କୁ ବଣ୍ଟନ କରାଯାଇଥିଲା। ବାସ୍ତବିକ ନୂଆଖାଇ ଅବସରରେ ଧରଣୀ ଦେବୀଙ୍କ ପୂଜା ଅନନ୍ୟ ଓ ନିଆରା ପରମ୍ପରା ଅଟେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ପରମ୍ପରା ଅନୁଯାଇ ନୂଆଖାଇ ଦିନ ର ପୂର୍ବଦିନ “ରୁଗିବଲା” କାର୍ଯ୍ୟ ସମ୍ପନ୍ନ କରିଥିଲେ ଗ୍ରାମର ଜାନୀ ଓ ଝାଙ୍କର। ଗ୍ରାମକୁ ରୋଗ ପ୍ରବେଶ କରିପାରିବ ନାହିଁ। ଗ୍ରାମର ଜନସାଧାରଣ ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ସେଥିପାଇଁ ଏହି “ରୁଗିବଲା” ପରମ୍ପରା। ସର୍ଗିଗୁଡ଼ା ଗ୍ରାମର ରାଧାକୃଷ୍ଣଙ୍କ ପ୍ରହରୀ ମଣ୍ଡପରେ ମଧ୍ୟ ପୂର୍ବାହ୍ନ ୯.୨୭ ସମୟରେ ଭୋଗଲାଗି ହୋଇଥିବା ନୂଆଚୁଡା ଗ୍ରାମବାସୀଙ୍କ ମଧ୍ୟରେ ଅର୍ପଣ କରାଯାଇ ଦିବା ୧୨.୩୦ ସମୟରେ ସମସ୍ତେ ନୂଆବସ୍ତ୍ର ପରିଧାନ କରି ନୂଆ ଅନ୍ନ ସେବନ କରିଥିଲେ। ଏହାପରେ ଗ୍ରାମର ପ୍ରମୁଖ ସ୍ଥଳ ପ୍ରହରୀ ମଣ୍ଡପରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.