ଖାକି ପୋଷାକରେ ଦାଗ: ଲୁଟ ମାମଲାରେ ଗିରଫ ହେଲେ ୩ ହୋମଗାର୍ଡ 

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଜଣେ ବ୍ୟବସାୟଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍ ଲୁଟ୍ ମାମଲାରେ ତିନି ହୋମହାର୍ଡ, ଜଣେ ମହିଳାଙ୍କ ସମେତ ୭ ଜଣଙ୍କୁ ଗିରଫ କରିବାସହ ୨ ଲକ୍ଷ ୮୩ ହଜାର ଟଙ୍କା ଜବତ କରିଛି ରାୟଗଡ଼ା ଟାଉନ ଥାନା ପୋଲିସ । ଏହି ଘଟଣାରେ ସମୁଦାୟ ୯ ଜଣଙ୍କ ସଂପୃକ୍ତି ଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହାସହ ଏହି ଲୁଟରେ ବ୍ୟବହୃତ ୬ ଗୋଟି ମୋବାଇଲ ଫୋନ, ଏକ ବୋଲେରୋ (ଗାଡ଼ି ନଂ ଓ ଆର ୦୨ ଡି ପି ୩୨୫୭) ସହ ଗୋଟିଏ ମୋଟର ସାଇକେଲ ଜବତ ହୋଇଥିବା ସୂଚନା ମିଳିଛି । ତିନି ଜଣ ହୋମଗାର୍ଡଙ୍କ ସମେତ ଜଣେ ମହିଳା ଓ ଅନ୍ଯ ତିନି ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହେବା ପରେ ବିଷମକଟକ ଓ କଲ୍ୟାଣ ସିଂହପୁର ଥାନାର ତିନି ହୋମଗାର୍ଡ ଇନ୍ଦ୍ରମଣି କରକରିଆ, ତାମନା ପ୍ରାସ୍କା ଓ ଦିଲିପ ଗରଡିଆ ଏହା ସହ ଜଣେ ମହିଳା ରାଧିକା ହାଲୱା (ସୁନୀତା), ପୋଲ୍ଲୀ ଗାଁର ହୀରା ନାଏକ ଗରଡ଼ିଆ, ଟିକିରି ତୋଟାଗୁଡା ବାସିନ୍ଦା ସିମାଞ୍ଚଳ ମାଝୀ, କଲ୍ୟାଣ ସିଂହପୁର ବଡ଼ଦ୍ୱାର ସାହିର ବୋଲେରୋ ଡ୍ରାଇଭର ମୁକେଶ ନାଗଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ୍ । ସୂଚନା ମୁତାବକ ଗତକାଲି ଗଜପତି ଜିଲ୍ଲା ଗାରାବନ୍ଧର ଉମା ରେଡି ନାମକ ଜଣେ ବ୍ଯବସାୟୀ କଳା ହଳଦି କ୍ରୟ କରିବା ପାଇଁ ଆସିଥିଲେ । ତେବେ ଗିରଫ ବ୍ୟକ୍ତି ମାନେ ରାୟଗଡ଼ା ଜିଲ୍ଲାର ରାଫକଣା ଛକରେ ବ୍ୟବସାୟୀ ଜଣକୁ ପୋଲିସର ଭୟ ଦେଖାଇ ଥିଲେ । ପରେ ତାଙ୍କ ଠାରୁ ନଗଦ ୯ ଲକ୍ଷ ଟଙ୍କା ଓ ଏକ ସୁନା ଚେନ୍ ଲୁଟ୍ କରିଥିଲେ । ତେବେ ଏନେଇ ବ୍ୟବସାୟୀ ଉମା ରେଡି ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ କରିଥିଲା ପୋଲିସ । ଏହି ଘଟଣାକୁ ନେଇ ଆଜି ରାୟଗଡ଼ା ସଦର ଥାନାରେ ଏକ ପ୍ରେସମିଟ କରି ରାୟଗଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ ଧର ସୂଚନା ଦେଇଛନ୍ତି । ଏହି ପ୍ରେସ ମିଟ ରେ ରାୟଗଡ଼ା ଏସ୍ ଡି ପି ଓ ଗୌର ହରି ସାହୁ ଓ ରାୟଗଡ଼ା ସଦର ଥାନାଧିକାରୀ ପ୍ରସନ୍ନ କୁମାର ବେହେରା ଉପସ୍ଥିତ ରହିଥିଲେ । ଘଟଣାରେ ଆହୁରି କିଛି ଲୋକ ସଂପୃକ୍ତି ଥିବା କହିଥିବା ବେଳେ ଏନେଇ ତଦନ୍ତ ଚାଲିଛି ବୋଲି ସୂଚନା ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.