ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ସେବା ସଂକଳ୍ପ ଅଭିଯାନ – ୨୦୨୬ ଅବସରରେ କାଶୀପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା ସମ୍ମିଳନୀ ତଥା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାଶୀପୁର ଅଞ୍ଚଳର ୨୦୦ରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତି ଏଥିରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ମାନଙ୍କ ଅଧିକାର,ସରକାରୀ ସୁବିଧା ଓ ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ସହ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ (RPED Act) ୨୦୧୬ରେ ଥିବା ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାସହ ନିଶା ଓ ମଦ୍ୟପାନରୁ ଦୂରେଇ ରହିବା ଏବଂ ସୁସ୍ଥ ଓ ସଚେତନ ସମାଜ ଗଠନରେ ସହଭାଗୀ ହେବା ପାଇଁ ଉପସ୍ଥିତ ସମସ୍ତେ ଶପଥ ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ରନାଥ କହଁର ଉପସ୍ଥିତ ହୋଇ ଅଂଶଗ୍ରହଣକାରୀଙ୍କୁ ଶପଥ ପାଠ କରାଇଥିଲେ । ସେବା ସଂକଳ୍ପ ଅଭିଯାନର ମୂଳ ଲକ୍ଷ୍ୟ ଅନୁଯାୟୀ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସେବା,ସହଯୋଗ ଓ ସଚେତନତା ମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍.ଏସ୍.ଏସ୍.ଓ ଶ୍ରୀକାନ୍ତ ପାଣିଗ୍ରାହୀ,କାଶୀପୁର ବି.ଏସ୍.ଏସ୍.ଓ.,ବି.ଡି.ଓ.,‘ସକ୍ଷମ’ର ସଂରକ୍ଷକ ଡ.ବାଦଲ କୁମାର ତା,ଓଡ଼ିଶା ବିକଳାଙ୍ଗ ମଞ୍ଚ (ଓବିଏମ୍)ର ଜିଲ୍ଲା ସଭାପତି,ଉପ ସଭାପତି ଓ ସମ୍ପାଦକ,ଓଡ଼ିଶା ଆଦିବାସୀ ମଞ୍ଚର ରାଜ୍ୟ ଆବାହିକା ତଥା ଦକ୍ଷିଣ ଓଡ଼ିଶା ଉନ୍ନୟନ ଓ ସୁରକ୍ଷା ପରିଷଦର ଜିଲ୍ଲା ସଭାପତି ଶ୍ରୀମତୀ ବିଦୁଲତା ହୁଇକା,ସାଂସଦ ଓ ବିଧାୟକଙ୍କ ପ୍ରତିନିଧି,ବ୍ଲକ୍ ଅଧ୍ୟକ୍ଷ ଶ୍ରୀ କଣ୍ଠ ମାଝୀ,ଦିବ୍ୟାଙ୍ଗ ମିତ୍ର ଶ୍ରୀ ଶିବରାମ ନାୟକଙ୍କ ସମେତ ଦୋରାଗୁଡ଼ାସ୍ଥିତ ଉତ୍କଳ ଆଲୁମିନା ଓ କଂସାରିଗୁଡ଼ା ସ୍ଥିତ ବିରଳା କମ୍ପାନୀର ପ୍ରତିନିଧି ଏବଂ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ । ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ,ଅଧିକାର,ସୁରକ୍ଷା,ସାମାଜିକ ସମାବେଶ ଓ ସ୍ୱାବଲମ୍ବନ ଉପରେ ଗୁରୁତ୍ୱାରୋପ କରି ସେମାନଙ୍କୁ ଉତ୍ସାହିତ କରିଥିଲେ ।





