୮ ବର୍ଷର ଅସଂମ୍ପୂର୍ଣ୍ଣ ପ୍ରକଳ୍ପକୁ ୩ଦିନରେ ସଂମ୍ପୂର୍ଣ୍ଣ କରି ରେକର୍ଡ କଲେ ବିଡିଓ

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ଦୀର୍ଘ ଆଠ ବର୍ଷରେ ଦୁଇ ଦୁଇଟି ବିଡିଓଙ୍କ କାର୍ଯ୍ୟକାଳରେ ଯାହା ସମ୍ଭବ ହୋଇପାରି ନ ଥିଲା ସେହି କାର୍ଯ୍ୟକୁ ବାସ୍ତବତାର ରୂପ ଦେବା ରେ ସକ୍ଷମ ହୋଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟ୍ଟନାୟକ ଏବଂ ତାଙ୍କ ବୈଷୟିକ ଦଳ I ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟ୍ଟନାୟକ ଙ୍କ ତତ୍ୱାବଧାନରେ ୮ବର୍ଷ ଧରି ଅସମ୍ପୂର୍ଣ ଥିବା ଏକ ପ୍ରକଳ୍ପକୁ‌ ତିନି ଦିନ ମଧ୍ୟରେ ଯନ୍ତ୍ରୀ ମାନେ ସମ୍ପୂର୍ଣ କରିବା ରେ ସକ୍ଷମ ହୋଇ ରେକର୍ଡ କରିଛନ୍ତି I ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଯାଉଛି I ଏହା ଜଣାପଡ଼ିବା ପରେ ଦୁର୍ଗମ ଅଞ୍ଚଳରେ ଏହାକୁ ନେଇ ଲୋକେ ଖୁବ ଉତ୍ସାହିତ ଥିବା ବେଳେ ବିଡିଓଙ୍କର ପ୍ରଚେଷ୍ଟା ଓ ପ୍ରଶାସନିକ ଆନ୍ତରିକତା ପାଇଁ ଅଞ୍ଚଳର ରାଜେନ୍ଦ୍ର ହିକାବାଡ଼ି, ରାମ ଜାଗାରାଙ୍ଗା, ଘାସିରାମ ହିକାବାଡ଼ି, ଗାଟିଲା ହିକାବାଡି ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି I ବିଷମକଟକ ବ୍ଲକ ଅନ୍ତର୍ଗତ ରାସକୋଲା ଗ୍ରାମ ପଞ୍ଚାୟତଟି ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଗଣିତ I ପଡୋଶୀ ଗୁଡାରି ଏବଂ ଚନ୍ଦ୍ରପୁର ବ୍ଲକ ର ସୀମା ବର୍ତ୍ତୀ ଅଞ୍ଚଳ ସହ ଭୌଗଳିକ ଦୃଷ୍ଟି କୋଣରୁ ମଧ୍ୟ ଏହି ଅଞ୍ଚଳ ଅପହଞ୍ଚ ବୋଲି କୁହାଯାଏ I ତେବେ ଆର୍ଥିକ ବର୍ଷ ୨୦୧୭-୧୮ ରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ୨ ଲକ୍ଷ୍ୟ ଓ ମନରେଗା ଯୋଜନା ଅଧୀନରେ ୫ ଲକ୍ଷ ଏଭଳି ମୋଟ ୭ ଲକ୍ଷ ଟଙ୍କା ବ୍ୟୟରେ ଏହି ପଞ୍ଚାୟତ ର ଜନାପୀଙ୍ଗା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିବା ନିମନ୍ତେ ଅନୁଦାନ ଆସିଥିଲା I ଏଠାକାର ଭୌଗଳିକ ଦୃଷ୍ଟି କୋଣ ତଥା ମହିଳା ଓ ଶିଶୁ ଙ୍କ ଆବଶ୍ୟକତା ଦୃଷ୍ଟି ରୁ ଏହି କେନ୍ଦ୍ରର ଆବଶ୍ୟକତା ନିତାନ୍ତ ଜରୁରୀ ହୋଇଥିଲେ ହେଁ ଏହାର ଅନୁଦାନ ରାଶି ଅନୁମୋଦନର ପ୍ରାୟ ୨ ବର୍ଷ ବିଳମ୍ବ ପରେ ଏହି ପ୍ରକଳ୍ପ କାର୍ଯ୍ୟଟିକୁ ତତ୍କାଳୀନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସମୟରେ ଆରମ୍ଭ କରା ଯାଇଥିଲା I ଉକ୍ତ ପ୍ରକଳ୍ପର ପ୍ରାରମ୍ଭରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ, ସେମାନଙ୍କ ଦୈନିକ ମଜୁରୀ ମଧ୍ୟ ଦିଆଯାଇନଥିବା ଭଳି ବିବାଦ ହେତୁ ଏହି ପ୍ରକଳ୍ପ ଟି ଦୀର୍ଘ ଆଠ ବର୍ଷ ହେବ ଅସମ୍ପୂର୍ଣ ହୋଇ ପଡିରହିଥିଲା I ଇତି ମଧ୍ୟରେ ଦୁଇ ଜଣ ବିଡିଓଙ୍କ ବଦଳି ସରିଛି ହେଲେ କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା କୁହାଯାଏ I ତେବେ ନୂତନ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଦାୟିତ୍ୱ ଗ୍ରହଣ କରିବା ପରେ ଅଙ୍ଗନବାଡି କେନ୍ଦ୍ର ଗୁଡିକର ସମୀକ୍ଷା ବେଳେ ଜିଲ୍ଲାର ଅସମ୍ପୂର୍ଣ ହୋଇ ପଡିରହିଥିବା କେନ୍ଦ୍ର ଗୁଡିକୁ ଶୀଘ୍ର ସାରିବାକୁ ନିର୍ଦେଶ ଦେଇଥିଲେ I ଯାହାପରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଏଭଳି ଗୁରୁତ୍ୱ ପୁର୍ଣ ପ୍ରକଳ୍ପ ଗୁଡିକର ଯଥା ସ୍ଥିତି ସମ୍ପର୍କୀୟ ବିବରଣୀ ନିୟମିତ ଭାବେ ସମୀକ୍ଷା କରୁଥିବା କୁହାଯାଏ I ତେବେ ଦୀର୍ଘ ଆଠ ବର୍ଷ ଧରି ପଡିରହିଥିବା ପ୍ରକଳ୍ପ ର ବିବାଦ କୁ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟ୍ଟନାୟକ ଏବଂ ଅତିରିକ୍ତ ସହାୟକ ଯନ୍ତ୍ରୀ ଦାୟିତ୍ୱ ରେ ଥିବା ଝରଣା ତ୍ରିପାଠୀ ଏହାର ସମାଧାନ କରିବା ରେ ସଫଳ ହେବା ପରେ ନିର୍ମାଣ କାର୍ଯ୍ୟ ଟି ଆଗେଇ ପାରି ତିନି ଦିନ ମଧ୍ୟରେ ସମ୍ପୂର୍ଣ ହୋଇ ପାରିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି I ପଞ୍ଚାୟତ ଦାୟତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସାଗର ଗୌଡ଼ ଏବଂ ଅତିରିକ୍ତ ସହାୟକ ଯନ୍ତ୍ରୀ ସମ୍ପୂର୍ଣ ଭାବେ ତିନି ଦିନ ଉକ୍ତ ସ୍ଥାନରେ ରହି ଏହାର ନିର୍ମାଣ କାର୍ଯ୍ୟ ସାରିଥିବା କୁହାଯାଉଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭରଚୁଆଲ୍ ଭାବେ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ରହିଛି I ସୂଚନା ପରେ ବିଭାଗୀୟ ଅଧିକାରୀଙ୍କ ଠାରୁ ଅଞ୍ଚଳବାସି ପର୍ଯ୍ୟନ୍ତ ସମସ୍ତେ ବେଶ ଉତ୍ସାହିତ ଥିବା କୁହାଯାଉଛି I ତେବେ ଦୀର୍ଘ ବର୍ଷ ଧରି ପଡି ରହିଥିବା ଅଙ୍ଗନବାଡି କେନ୍ଦ୍ର ବିଡିଓଙ୍କ ଦୃଢ଼ ଇଛା ଶକ୍ତି ପାଇଁ ପରିଶେଷରେ ସମ୍ପୂର୍ଣ ହୋଇ ପାରିଥିବା ହେତୁ ଏଥି ପାଇଁ ସ୍ଥାନୀୟ ଲୋକେ ବିଡ଼ିଓ ଙ୍କୁ ଭୁରି ଭୁରି ପ୍ରଶଂସା କରୁଥିବା ବେଳେ,ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଦ୍ୱାରା ଅଞ୍ଚଳର ଜନାପିଙ୍ଗା, କିଡ୍ରିମାଳା, ରୁଙ୍ଗଟି, କୀଡୀମାଟି ଭଳି ଚାରୋଟି ଗ୍ରାମର ଛଅ ବର୍ଷ ରୁ କମ ୧୧୦ ଜଣ ଶିଶୁ ଓ ପାଖାପାଖି ୧୫୦ ରୁ ଅଧିକ ମହିଳା ଏହାର ଲାଭ ପାଇ ପାରିବେ ବୋଲି ସ୍ଥାନୀୟ ସରପଞ୍ଚ ଓ ନାଏବ ସରପଞ୍ଚ ପ୍ରକାଶ କରିଛନ୍ତି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.