ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲୋକଙ୍କ ବହୁ ଦାବି, ଅଭିଯୋଗ ଓ ରାସ୍ତାରୋକ ଆନ୍ଦୋଳନ ପରେ ପୋଲ ଓ ରାସ୍ତା ଖଣ୍ଡିକ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରକଳ୍ପ ପ୍ରସ୍ତୁତି ଓ ଅନୁଦାନ ରାଶି ଘୋଷଣା ପରେ ବିଧାୟକ ଆସି ଭୂମିପୂଜା କରିଥିଲେ। ଏହାପରେ ଜଣେ ସ୍ଵତନ୍ତ୍ର ଶ୍ରେଣୀର ଠିକାଦାର ଟେଣ୍ଡର ପାଇବା ସହିତ କାମ ଆରମ୍ଭ କରିଥିଲେ।ସମୁଦାୟ ୬ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ଓ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଭବାନୀପାଟଣା ରାୟଗଡା ରାଜ୍ୟ ରାଜପଥ କିଡ଼ିଙ୍ଗ ଛକରୁ ମାଡ଼ିବନ୍ଧା ଭାୟା ମାହେଶ୍ଵରୀପୁର-ଲାଞ୍ଜିଗଡ଼ରୋଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହିତ ମାଡ଼ିବନ୍ଧା-ମାହେଶ୍ଵରୀପୁର ସାନ୍ଦୁଲ ନଦୀରେ ସୁଉଚ ପୋଲ ନିର୍ମାଣ ପାଇଁ ଏଥିରେ ପ୍ରାବଧାନ ରହିଛି। କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ ହେଲା, ଦୁଇବର୍ଷରୁ ଅଧିକ ସମୟ ହେଲା କେବଳ ସାନ୍ଦୁଲ ନଦୀ ଉପରେ ପୋଲ ନିର୍ମାଣ କାମ ଧୂରମନ୍ଥର ଗତିରେ ଚାଲିଥିବାବେଳେ ବିଳମ୍ବକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୋଲ ନିର୍ମାଣ ନାମରେ କୋଟିକୋଟି ଟଙ୍କା ବ୍ୟୟ କରାଯାଇଥିବାବେଳେ ଏହି ପୋଲର ଉଚ୍ଚତା ଆବଶ୍ୟକ ଉଚ୍ଚତାରୁ ଯଥେଷ୍ଟ କମ୍ ଥିବା ଲୋକେ ଅଭିଯୋଗ କରିଛନ୍ତି। ନିର୍ମାଣାଧିନ ଏହି ପୋଲର ସ୍ଥାୟିତ୍ଵତାକୁ ନେଇ ମଧ୍ୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।ଏପରିକି ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ଏହାର ତଦାରଖ ଦାୟିତ୍ୱ ଥିବାବେଳେ ବିଭାଗର କୌଣସି ଅଧିକାରୀ ଓ ଯନ୍ତ୍ରୀ କାମକୁ ଠିକ୍ ଭାବେ ତଦାରଖ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହିପରି ପୋଲ ସହିତ ରାସ୍ତା ନିର୍ମାଣର ନିର୍ଦ୍ଦେଶ ଥିବାବେଳେ ନିର୍ମାଣ ଦାୟିତ୍ଵରେ ଥିବା ଠିକାଦାର ଆଜି ପର୍ଯ୍ୟନ୍ତ ରାସ୍ତାରେ ମାଟି ମୁଠାଏ ସୁଦ୍ଧା ପକାଇନାହାନ୍ତି। ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର କିଡ଼ିଙ୍ଗ ଓ ମାଡ଼ିବନ୍ଧା ଗାଁକୁ ପଞ୍ଚାୟତ କାର୍ଯ୍ୟାଳୟ ସହିତ ଯୋଡିଥାଏ କିଡିଙ୍ଗ-ମାଳିବନ୍ଧା-ମାହେଶ୍ଵରୀପୁର ରାସ୍ତା ଦୀର୍ଘ ବର୍ଷ ହେଲା ଏହା ବ୍ୟାପକ ଖାଲଢିପ, ଧୂଳିଧୂସରିତ ହୋଇ ପଡି ରହିଥିବାବେଳେ ସାନ୍ଦୁର ନଦୀ ଏହି ଗାଁଗୁଡିକ ପାଇଁ ଦୁଃଖର କାରଣ ପାଲଟିଛି। ବର୍ଷା ଦିନେ ସାନ୍ଦୁଲ ନଦୀରେ ପାଣି ଭରିଯିବା ପରେ ଉଭୟ ଗାଁର ଲୋକେ ବିଶେଷ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ରୋଗୀ ତଥା ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏଣୁ ପୋଲ ନିର୍ମାଣକୁ ତ୍ବରାନ୍ବିତ କରିବା ସହିତ ରାସ୍ତା ନିର୍ମାଣ ଆରମ୍ଭ କରାଯିବାକୁ ସାଧାରଣରେ ଦାବି ହେଉଛି। ଏନେଇ ଦାଇତ୍ଵରେ ଥିବା କନିଷ୍ଠ ଯନ୍ତ୍ରୀ ଭଗବାନ ଗଉଡ଼ଙ୍କୁ ପଚାରିବାରୁ ପୋଲ କାମ ଦେଢ଼ ମାସ ମଧ୍ୟରେ ସାରିବୁ। ରାସ୍ତା କାମ କିଛି ଦିନ ହୋଇଛି ସେକ୍ସନ ହେଲା ବୋଲି ପ୍ରକାଶ କରିଥିଲେ। ଏଥିପ୍ରତି କଳାହାଣ୍ଡି ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।





