ଦେଶି ମଦ ଭାଟି ସ୍ଥାନାନ୍ତର ପାଇଁ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ଲାଞ୍ଜିଗଡ଼ରୋଡ଼ ଠାରୁ କଦମ୍ବଗୁଡ଼ାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ଵରେ ଅବସ୍ଥିତ (କାକଭଟା) ଦେଶୀ ମଦଭାଟିକୁ ସ୍ଥାନାନ୍ତର ଦାବିରେ ପଞ୍ଚାୟତ ପ୍ରତିନିଧି ଓ ସ୍ଥାନୀୟ ମହିଳାମାନେ ଶନିବାର କଳାହାଣ୍ଡି ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାଏକଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ସିକେରକୁପାଠାରୁ କଦମ୍ବଗୁଡ଼ା ଭାୟା ନର୍ଲା ମୁଖ୍ୟରାସ୍ତାର ଲାଞ୍ଜିଗଡ଼ରୋଡ଼ଠାରେ ଦୀର୍ଘ ଦିନରୁ ଆସ୍ଥାନ ଜମାଇଥିବା ଦେଶୀ ମଦଭାଟିକୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସିଛି। ମୁଖ୍ୟ ରାସ୍ତାକୁ ଲାଗିଥିବା ଏହି ଦେଶୀ ମଦଭାଟିରେ ସକାଳୁ ବିଳମ୍ବିତ ରାତିଯାଏଁ ମଦୁଆଙ୍କ ଭିଡ଼ ଲାଗିରହିଥାଏ।

ସେହିପରି ମୁଖ୍ୟ ରାସ୍ତାକୁ ଲାଗି ରହିଥିବା ଏହି ଭାଟିର ୪ଶହ ମିଟର ଦୂରରେ ଥିବା ଦୁର୍ଭଟା ଠାରେ ରହିଛି ଲାଞ୍ଜିଗଡ଼ରୋଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟର କଲେଜ) ଥିବାବେଳେ ଏହି ରାସ୍ତା ଦେଇ ଯାଉଥିବା ଛାତ୍ରଛାତ୍ରୀ ବିଶେଷ କରି ଛାତ୍ରୀମାନେ ମଦୁଆମାନଙ୍କ ଦୌରାତ୍ମ୍ୟର ଶିକାର ହୋଇଥାନ୍ତି।

ସେହିପରି ଲାଞ୍ଜିଗଡ଼ରୋଡ଼ ଅଞ୍ଚଳର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଯାନବାହନ ଓ ବ୍ଲକ ଓ ଜିଲ୍ଲା କାର୍ଯ୍ୟରେ ଲୋକେ ଯାତାୟତ କରିଥାନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ଲାଞ୍ଜିଗଡ଼ରୋଡ଼ ତଥା କାକଭଟା ଗାଁ ନାମରେ ଥିବା ଏହି ଦେଶୀ ମଦଭାଟିରୁ ନିର୍ଗତ ପୋଚ ପାଣିର ଦୁର୍ଗନ୍ଧ ହେଉଛି। ଯଦ୍ୱାରା ଗାଁରେ ଅଧିକାଂଶ ଲୋକ ଏବଂ ଗାଇ ଗୋରୁ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେଉଛନ୍ତି।

ନିର୍ଗତ ପୋଚ ପାଣି ନିଷ୍କାସନ ଦ୍ୱାରା ଚାଷ ଜମି ନଷ୍ଟ ହେଉଛି। ଏହି ମଦଭାଟି ଜନଗହଳି ପୂର୍ଣ୍ଣ ରାସ୍ତା ହୋଇ ଥିବାରୁ ମଦ ଭାଟି ପାଖରେ ବାହାରର ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି ଏବଂ ନାନା ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଛି।

ତେବେ ଏ ଦିଗରେ ଅଞ୍ଚଳବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଦେଶୀମଦ ଭାଟିକୁ ସ୍ଥାନାନ୍ତରିତ କରିବାକୁ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବରଙ୍କ ନେତୃତ୍ୱରେ ଗଜରାଜପୁର ୱାଡ୍ ସଭ୍ୟ କଷ୍ଟି ମାଝୀ, ଲାଞ୍ଜିଗଡ଼ରୋଡ଼ ୱାଡ୍ ସଭ୍ୟା ବିନ୍ଦୁବାସିନି ଶିକା, କାକଭଟା ୱାଡ୍ ସଭ୍ୟା ମମିତା ମାଝୀ, ଚମ୍ପା ମାଝୀ,ମଧୁକୁମାରୀ ପ୍ରଧାନ, ଲକ୍ଷ୍ମୀ ତାଣ୍ଡି, ଧନଦେଇ ବଛା, ଗୋଲାପି ତାଣ୍ଡିଙ୍କ ସମେତ ଅଞ୍ଚଳର ମହିଳା ମାନେ ଉପସ୍ଥିତ ରହି ଅବକାରୀ ଅଧିକ୍ଷକ ଶ୍ରୀ ନାଏକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.