ଭୁବନେଶ୍ୱର ଠାରେ ଆୟୋଜିତ ହେଲା ୩୮ତମ ବସନ୍ତ ମୁଦୁଲି ସ୍ମୃତି ସମାରୋହ

ଜୀବନବୋଧର କବି ଥିଲେ ବସନ୍ତ ମୁଦୁଲି, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପ୍ରେମ ଓ ବିଦ୍ରୋହର କବି ବସନ୍ତ ମୁଦୁଲି କେବଳ ପ୍ରାଣପ୍ରାଚୁର୍ଯ୍ୟ ଓ ପ୍ରାଣ ପ୍ରବାହର କବି ନଥିଲେ, ସେ ଥିଲେ ଜୀବନବୋଧର ଏକ ବହ୍ନିମାନ ସୃଜନଶୀଳ ସ୍ଵାକ୍ଷର। ସମାଜର ତ୍ରୁଟି ବିଚ୍ୟୁତିକୁ ତାଙ୍କ କବିତାରେ ରୂପାୟିତ କରିବା ସହ ଏକ ସମ୍ଭାବନାମୟ ନୂଆ ସକାଳର ସ୍ଵପ୍ନରେ ସେ ବିଭୋର ଥିଲେ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ଓ କବି ବସନ୍ତ ମୁଦୁଲି ସ୍ମୃତି ସଂସଦ, ଭଦ୍ରକର ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପ୍ରେକ୍ଷାଗୃହରେ ଦିବସ ବ୍ୟାପୀ ଆୟୋଜିତ ୩୮ତମ ସ୍ମୃତି ସମାରୋହକୁ ଉଦଘାଟନ କରି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମତବ୍ୟକ୍ତ କରିଛନ୍ତି।

ସ୍ମୃତି ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉଦଘାଟନୀ ସଭାରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଏବଂ କାଦମ୍ବିନୀ ର ସମ୍ପାଦିକା ଡକ୍ଟର ଇତି ସାମନ୍ତ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇ କବିଙ୍କ କବିତାର ବହୁବର୍ଣ୍ଣା ଦିଗ ଓ ଦିଗନ୍ତ ସମ୍ପର୍କରେ ଆଲୋଚନା କରି ସାମାଜିକ ସଚେତନତାରେ ଉଚ୍ଛଳ ତାଙ୍କ କବିତା ବାସ୍ତବଭଙ୍ଗୀ ଦୃଷ୍ଟି କୋଣ ଯୋଗୁଁ ଚିର ଅମଳିନ ବୋଲି ମତବ୍ୟକ୍ତ କରିଥିଲେ।

ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ମୃତି ସଂସଦର ସମ୍ପାଦକ କୃଷ୍ଣ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ସ୍ମୃତି ସଂସଦ ପକ୍ଷରୁ କବି ଅମରେନ୍ଦ୍ର ମାଧବ ଦାଶଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବସନ୍ତ ମୁଦୁଲି କବିତା ପୁରସ୍କାର ସ୍ଵରୂପ ଅଙ୍ଗବସ୍ତ୍ର, ଉପାୟନ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଟାଇମ୍ ପାସ୍ ପକ୍ଷରୁ ଡକ୍ଟର ବ୍ରଜମୋହନ ମିଶ୍ରଙ୍କ ଅନୂଦିତ ଇଂରାଜୀ ପୁସ୍ତକ ‘ସିଲେକ୍ଟେଡ୍ ପୋଏମ୍ସ ଅଫ୍ ବସନ୍ତ ମୁଦୁଲି’ ଓ କବି ବସନ୍ତ ମୁଦୁଲି ପୁରସ୍କାର ପ୍ରାପ୍ତ ୪୦ ଜଣ କବିଙ୍କ କବିତାକୁ ନେଇ କୃଷ୍ଣ କୁମାର ମହାନ୍ତିଙ୍କ ସମ୍ପାଦିତ ‘ଚିହ୍ନା ଚାଳିଶ’ ସହ କବିଙ୍କ କବିତାର ଇଂରାଜୀ ସଂକଳନ ‘ଉଇଲ୍ ରାଇଜ୍ ଲାଇକ୍ ଏ ଫୋଏନିକ୍ସ’, ଶ୍ଵେତା ରାଉତଙ୍କ ପୁସ୍ତକ ‘ପୁଷ୍ପବିତାନ’ ଉନ୍ମୋଚିତ ହୋଇଥିଲା। ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଅତିଥିଙ୍କୁ ମଞ୍ଚ ଆହ୍ବାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ମହ୍ଲାର ଅନୁଷ୍ଠାନ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।

ଦ୍ଵିତୀୟ ଅଧିବେଶନରେ ଡକ୍ଟର ଶତ୍ରୁଘ୍ନ ପାଣ୍ଡବଙ୍କ ସଭାପତିତ୍ବରେ ‘ଓଡିଆ କବିତାରେ ବୈପ୍ଳବିକ ସ୍ଵର ଓ କବି ବସନ୍ତ ମୁଦୁଲି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଡକ୍ଟର ଅଭିରାମ ବିଶ୍ଵାଳ, ଡକ୍ଟର ବେଣୁଧର ପାଢ଼ୀ, ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ଆଲୋଚକ ଭାବେ ଯୋଗ ଦେଇଥିଲେ।

ଶେଷ ଅଧିବେଶନରେ କବିଙ୍କ ସ୍ମୃତି ପୁରସ୍କାର ପାଇଥିବା କବିମାନଙ୍କ ସ୍ବରଚିତ କବିତା ପାଠୋତ୍ସବରେ ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ ପୌରୋହିତ୍ୟ କରିଥିବା ବେଳେ ବିଜୟ ମଲ୍ଲ ସଂଯୋଜନା କରିଥିଲେ। ଏକାଡେମୀର ଚିନ୍ମୟ ମିଶ୍ର, ସ୍ମୃତି ସଂସଦର କର୍ମକର୍ତ୍ତା ଅରୁଣ ଖିଲାର, ଅମିତାଭ ଖିଲାର , ଅଭିଷେକ ଖିଲାର, ନିରାକାର ଦାସ, ରଜନୀକାନ୍ତ ମହାନ୍ତି, କିଶୋର ପାଣିଗ୍ରାହୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.