ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା କେନ୍ଦୁପତ୍ର ବନାଞ୍ଚଳ ରେଞ୍ଜ ଅଫିସ ପରିସରରେ ଭବାନୀପାଟଣା କେନ୍ଦୁପତ୍ର ବନଖଣ୍ଡ ଡିଏଫଓ ଶିବପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ନର୍ଲା, ମ.ରାମପୁର ଓ କେସିଙ୍ଗା ବନାଞ୍ଚଳ ଅଧିନସ୍ଥ କେନ୍ଦୁପତ୍ର ତୋଳାଳିଙ୍କ ପରିବାରର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କର୍ମ ନିୟୋଜନ ତଥା ଦକ୍ଷତା ବିକାଶ ଅଧିକାରୀ ଦୁର୍ଗାଚରଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏସସିଏଫ ନିଳାଦ୍ରୀ ଭୋଇ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଶିକ୍ଷିତ ଯୁବକ ମାନେ ନିଜର ଯୋଗ୍ୟତା ଅନୁଯାୟୀ ନିଜ ଋଚି ରଖିଥିବା ବିଭିନ୍ନ ବିଭାଗରେ କର୍ମ ନିୟୋଜନ ପାଇ ପାରିବେ। ଏଥିପାଇଁ ନିଜର ଉଦ୍ୟମର ଆବଶ୍ୟକତା ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ପ୍ରଥମେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭବାନୀପାଟଣା ଡିଏଫଓ ଶ୍ରୀ ରଥ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ଶିବିର ଆରମ୍ଭ ହୋଇଥିଲା। ଏଥିରେ ତାଲିମ ଦାତା ଭାବରେ ହେମନ୍ତରାଜ ପଧାନ ଓ ଶ୍ରୀ ନାଗ ଯୋଗଦାନ କରି ଶିକ୍ଷିତ ବେକାର ଯୁବକ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ କର୍ମ ନିୟୋଜନ ପ୍ରଦାନ କରୁଥିବା ବିଭିନ୍ନ ସଂସ୍ଥା ଗୁଡିକ ଉପରେ ବିସ୍ତୃତ ଭାବରେ ବୁଝାଇବା ସହ ସପ୍ତମ ରୁ ସ୍ନାତକ ଯାଏଁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଯୁବକ ଯୁବତୀ ମାନଙ୍କୁ ଯୋଗ୍ୟତା ଭିତ୍ତିରେ ଆଗ୍ରହ ରହିଥିବା ଟ୍ରେଡ ଅନୁଯାୟୀ ବ୍ରହ୍ମପୁର, ଭୁବନେଶ୍ୱର, ଭବାନୀପାଟଣା ପ୍ରଭୃତି ସ୍ଥାନରେ ରହିଥିବା ତାଲିମ ଶିବିର ଗୁଡିକରେ ତିନି ମାସ ତାଲିମ ଦିଆଯିବା ପରେ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦିଆଯିବ ବୋଲି କହିଥିଲେ। ଏହି ଶିବିରରେ ଯୁବକ ଯୁବତୀ ମାନଙ୍କୁ କର୍ମ ନିୟୋଜନ ପ୍ରଦାନ କରୁଥିବା ବାର୍ବିକ୍ୟୁ ନେସନ, ଟାଟା ଇଲେକଟ୍ରିକାଲସ, ତତ୍ୱ ଇଲେକଟ୍ରିକସ, ୱାଓ ମମୋ ଭଳି ସଂସ୍ଥା ଗୁଡିକର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ। ମ.ରାମପୁର, କେସିଙ୍ଗା ଓ ନର୍ଲା କେନ୍ଦୁଲିଫ୍ ବନାଞ୍ଚଳ ଅଧିନସ୍ଥ ବିଭିନ୍ନ ଗ୍ରାମର ୮୧ ଜଣ ଯୁବକ ଯୁବତୀ ସେମାନଙ୍କ ନାମ ପଞ୍ଜିକରଣ କରିଥିବା ବେଳେ ଶିବିରରେ ୪୩ ଜଣ ଉପସ୍ଥିତ ରହି ତାଲିମ ନେଇଥିଲେ। ନର୍ଲା କେନ୍ଦୁପତ୍ର ରେଞ୍ଜର ଦୈତାରୀ ନାଏକ ଶିବିର ପରିଚାଳନା କରିଥିବା ବେଳେ ନର୍ଲା କେନ୍ଦୁଲିଫ ଅଫିସ ଆସିଷ୍ଟାଣ୍ଟ କୁମୁଦଚନ୍ଦ୍ର ପଣ୍ଡା, ବନପାଳ କୈଲାସ ଚଲାନ, ପୁଷ୍ପେନ୍ଦୁ ମାଝୀ, ଅପନ୍ନା ମାଝୀ, ଫାଲଗୁନି ମେହେର ପ୍ରମୁଖଙ୍କ ସମେତ ନର୍ଲା ରେଞ୍ଜ ଅଫିସର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।




