ଜାତୀୟ ରାଜପଥ ବିଭାଗର ଖଣ୍ଡିଆ ମରାମତି କାମକୁ ନେଇ ବଢୁଛି ଜନ ଅସନ୍ତୋଷ
ରାୟଗଡ,୨୩/୮ : ରାୟଗଡ ସହରର ଓଭରବ୍ରିଜ ସକାଳ ଠାରୁ ରାତ୍ର ପର୍ଯ୍ୟନ୍ତ ସବୁବେଳେ ଗାଡି ଚଳାଚଳକୁ ନେଇ ଚଳଚଂଚଳ । ସେହିପରି ଏହି ଓଭରବ୍ରିଜର ତଳେ ଥିବା ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଓ ଶାରଳା ଛକ ଠାରେ ସକାଳ ପାଇଲେ ପରିବା ଓ ଆମିଷ ବଜାରରେ ଶତାଧିକ ସଂଖ୍ୟକ ସହରବାସୀଙ୍କ ଭିଡ ଜମେ । ତେବେ ଅସୁରିକ୍ଷିତ ହୋଇ ପଡିଥିବା ଏହି ଓଭରବ୍ରିଜର ଦୟନୀୟ ଅବସ୍ଥାକୁ ଦେଖିଲେ ସହରବାସୀଙ୍କ ଜୀବନ ପ୍ରତି ବିପଦ ମାଡି ଆସୁଥିବା ପରି ଜଣାପଡୁଛି । ବ୍ରିଜ ଉପରେ ଖାଲଖମାରେ ଭର୍ତି ହୋଇଥିବା ବେଳେ ତଳ ଭାଗରୁ ଲୁହାଛଡ ସହ ବ୍ରିଜର ଅନେକ ସ୍ଥାନରେ ଅନାବନା ଗଛଗୁଡିକ ଭାରିମାତ୍ରାରେ ବଢୁଥିବା ଦେଖା ଦେଲାଣି ।
ରାୟଗଡ ପାଇଁ ଲାଇଫ ଲାଇନ ପାଲଟିଥିବା ଏହି ଓଭରବ୍ରିଜ ଦେଇ ଶତାଧିକ ସଂଖ୍ୟାର ସ୍କୁଲ ବସ ଠାରୁ ଆରମ୍ଭ କରି ମାଲବାହୀ ଭାରିଯାନ ପର୍ଯ୍ୟନ୍ତ ଅନେକ ଯାନାବାହନ ଯାତାୟାତ କରିଥାନ୍ତି । ଦୀର୍ଘ ୨୩ବର୍ଷରୁ ସହରବାସୀଙ୍କ ଯାତାୟାତ ସୁବିଧାରେ ଆସୁଥିବା ଏହି ଓଭରବ୍ରିଜ ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଂହଚିଲାଣି । କେବଳ ସେତିକି ନୁହେଁ ଦକ୍ଷିଣ ଓଡିଶାର ଏକ ମୁଖ୍ୟ ସହର ହେଉଛି ରାୟଗଡ । ଏହି ସହର ଦେଇ ଗମନାଗମନର ଏମିତି ସୁବିଧା ରହିଛି ଯେ ଦେଶର ଯେ କୈାଣସି ସ୍ଥାନକୁ ଯାଇପାରିବେ ତାହା ରେଳରେ ହେଉ ଅଥବା ସଡକପଥରେ । ରାଂଚି-ବିଜୟୱାଡା କରିଡର ଓ ୩୨୬ ନମ୍ବର ଜାତୀୟ ରାଜପଥ ସଂଯୋଗ ଦ୍ୱାରା ଉପକୂଳ ଓ ପଶ୍ଚିମ ଓଡିଶା ସମେତ ପଡୋଶୀ ଆନ୍ଧ୍ର,ଛତିଶଗଡ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଳାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ ,ଗଜପତି ଆଦି ସ୍ଥାନକୁ ରାୟଗଡ ସହରର ଓଭରବ୍ରିଜ ଦେଇ ଯାତାୟାତ କରିହୁଏ ।
ତେବେ ଜାତୀୟ ରାଜପଥ ଉପ-ବିଭାଜନ, ରାୟଗଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଆନ୍ତରିକତାର ଅଭାବ ହେତୁ ଏହାର ରକ୍ଷାଣବେକ୍ଷଣ ଓ ମରାମତି ଅଭାବରୁ ଅନେକ ସ୍ଥାନରେ ଏକଫୁଟରୁ ଅଧିକ ଲେଖାଁଏ ବଡ ବଡ ଖାଲଖମାଗୁଡିକରୁ ଲୁହାଛଡ ଓ ମେଟାଲଗୁଡିକ ଉଠି ପଡିଥିବା ଦୃଶ୍ୟମାନ ହେଉଛି । ଫଳରେ ଏହି ଓଭରବ୍ରିଜ ଦେଇ ମୋଟର ବାଇକ ଓ ଅଟୋରିକ୍ସା, ସ୍କୁଲବସ ସହ ୩୦ରୁ ଅଧିକ ଟନଧାରି ମାଲବାହୀ ଭାରିଯାନଗୁଡିକ ଯାତାୟାତ କରୁଥିବା ବେଳେ ସମସ୍ତେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖାଲଖମାରେ ପଡି ବହୁ ବାଇକ ଆରୋହିମାନେ ଦୁର୍ଘଟଣାର ଶୀକାର ହେଉଛନ୍ତି । ତଥାପି ଓଭରବ୍ରିଜର ଖାଲଖମାକୁ କଂକ୍ରିଟରେ ପୂରଣ ନ କରି କେବଳ କ୍ରସର ଡଷ୍ଟ ପକାଇ ଦେଇ ପେଚ୍ ୱାର୍କ କରି ନିଜ ହାତ ଝାଡି ଦେଉଛନ୍ତି ଜାତୀୟ ରାଜପଥ ବିଭାଗ ।
ଓଭରବ୍ରିଜର ରକ୍ଷାଣବେକ୍ଷଣ ଓ ମରାମତି ସମ୍ବନ୍ଧରେ ଏ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ସାହୁଙ୍କୁ ପଚାରିବାରୁ ରାଜପଥ ବିଭାଗ ହାତକୁ ଗତ ୨୦୧୬ ମସିହାରେ ପୂର୍ତ ବିଭାଗ ହସ୍ତାନ୍ତର କରିଥିବା ବେଳେ ସେତେବେଳ ବ୍ରିଜର ଅବସ୍ଥା ଆହୁରି ଅଧିକ ଖରାପ ଥିଲା କିନ୍ତୁ ଆମ ବିଭାଗକୁ ଆସିବା ପରେ ସମୟକାଳୀନ ଭିତିରେ ମରାମତି କାର୍ଯ୍ୟ ଜାରି ରହିଛି ଏବଂ ଏହାର ସ୍ଥାୟୀ ମରାମତି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ନେଇ ବେପାରୁଆ ଭାବେ ଉତର ରଖିଛନ୍ତି । ଯାହାକି ସହରବାସୀଙ୍କ ଜୀବନକୁ ବିପଦ ଆଡେ ଠେଲି ଦେଉଥିବା ବେଳେ ଲକ୍ଷାଧିକ ଟଙ୍କା ମରାମତି ନାମରେ ବାଟମାରଣା ହେଉଥିବା ନେଇ ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ବିଭାଗ ନିଜ କାର୍ଯ୍ୟ ଠିକ୍ ଭାବେ ତୁଲାଉଥିବା ଭଳି ସରକାରଙ୍କ ଆଗରେ ରହୁଥିବା ପରି ପ୍ରକାଶ କରୁଛି । ସେହିପରି ଓଭରବ୍ରିଜର ଗୋଟିଏ ସ୍ଳାବ ତଳେ କିଛି ବର୍ଷ ତଳେ ଏକ ବଡ ଅଗ୍ନିକାଣ୍ଡ ଘଟି ସ୍ଳାବଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୁହା ବିମଗୁଡିକ ଲଗାଯାଇ ଛାଡି ଦିଆଯାଇଛି । ପ୍ରକାଶ ଥାଉ କି ରାୟଗଡ ଜିଲ୍ଳା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର କୈଳାସକୋଟା ଘାଟିରେ ମଧ୍ୟ ଚାଲିଥିବା ରାସ୍ତା କାମ ଅତି ନିମ୍ନମାନର ଓ କାର୍ଯ୍ୟ ସମାପ୍ତ କରିବାରେ ବିଳମ୍ବତା ଯୋଗୁଁ ଆଜି ମଧ୍ୟ ଅନେକ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଏହି ରାସ୍ତା ଦେଇ ଯାତାୟାତ କରିବା ଅଂଚଳବାସୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସେହିପରି ଅମ୍ଳାଭଟ୍ଟା ଛକ ଠାରୁ ଜେକେପୁର ମଧ୍ୟରେ ନାଗାବଳୀ ନଦୀ ଉପରେ ଥିବା ପୋଲଟି ମଧ୍ୟ ଦୁର୍ଦ୍ଦିନ ଅବସ୍ଥାରେ ପଡି ରହିଥିବା ବେଳେ ଏଥିପ୍ରତି ମଧ୍ୟ ବିଭାଗ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି ।
ନାଗାବଳୀ ନଦୀ ଦିନକୁ ଦିନ ପୂର୍ବ ଅପେକ୍ଷା ଅଧିକ ପ୍ରଖର ହେଉଥିବା ବେଳେ ପ୍ରବଳ ବନ୍ୟାଜଳ ସ୍ରୋତରେ ପୋଲ ତଳେ ଥିବା ମାଟି ଅତଡା ଗୁଡିକ ଖସୁଥିବାରୁ କେବେ ଯେ କୈାଣସି ବଡ ଦୁର୍ଘଟଣା ଘଟିଯିବ ତାହିଁରେ ମଧ୍ୟ ସନ୍ଦେହ ନାହିଁ । ରାୟଗଡ ସହରର ଓଭରବ୍ରିଜ ଏପରି ଅବସ୍ଥାକୁ ନେଇ ସ୍ଥାନୀୟ ବାସିନ୍ଦା ଆପାଲସ୍ୱାମୀ କାଡ୍ରକା ଏହା ରାଜପଥ ବିଭାଗର ମୁନମୁଖୀ କାର୍ଯ୍ୟ ପାଇଁ ବିଭାଗ ଅଧୀନରେ ଥିବା ରାୟଗଡ ଓଭରବ୍ରିଜ ସମେତ ଅନେକ ବ୍ରିଜଗୁଡିକ ବିପଦସଙ୍କୁଳ ଅବସ୍ଥାରେ ପଡିଛି ତେଣୁ ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।