ଜନ ଆକ୍ରୋଶର ଆଶଙ୍କାକରି ଲାଞ୍ଜିଗଡ ବେଦାନ୍ତରେ ୧୪୪ ଧାରା ଜାରି
ଲାଞ୍ଜିଗଡ,୨୩/୮ : ଯେତେବେଳେ ବେଦାନ୍ତ ମୂଖ୍ୟ ଫାଟକ ସାମ୍ନାରେ OIESF ଜବାନଙ୍କ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଲା ତାହା ଜାତୀୟ ସ୍ଥରରେ ଆଳୋଡନ ସୃଷ୍ଟି କରିଥିଲା । ଏହି ସଂଘର୍ଷ ସମୟରେ ଜନତାଙ୍କ ଆକ୍ରୋଷର ଶିକାର ହୋଇ ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାପରେ ପୋଲିସ ପକ୍ଷରୁ ୩୦୦ ଜଣଙ୍କ ନାମରେ ଅଭିଯୋଗ ଫର୍ଦ ପ୍ରସ୍ତୁତ ହୋଇ ପର୍ଯ୍ୟାୟକ୍ରମେ ୨୯ ଜଣଙ୍କୁ ଗିରଫ କରି ଜେଲ ପଠାଇ ଦିଆ ଯାଇଥିଲା । ସେମାନଙ୍କ ମଧ୍ୟରୁ ଭବାନିପାଟଣା ଜେଲରେ ବିଚାରଧିନ କଏଦି ଭାବରେ ସଜା କାଟୁଥିବା ଜଣେ ବ୍ୟକ୍ତିର ସ୍ବାସ୍ଥ୍ୟ ଖରାପ ହୋଇ ସାଇଥିଲା, ତାଙ୍କୁ ଚିକିତ୍ସା ପାଇଁ ବୁର୍ଲାରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଶବ ବୁର୍ଲାରୁ ଫେରୁଛି । ଏହାକୁ ନେଇ ଆଗୁଆ ଆଶଙ୍କା କରି ବେଦାନ୍ତ ପ୍ଲାଣ୍ଟର ମୂଖ୍ୟ ଫାଟକ, ବେଦାନ୍ତ ଟାଉନସିପ ଏରିଆ ଓ ତା ଅାଖ ପାଖ ୨କିମି ପରିଧି ଭିତରେ ୧୪୪ ଧାରା ଲାଗୁହୋଇଛି । ଏହା ଆଜି ସନ୍ଧ୍ୟା ୫.୩୦ରୁ ଲାଗୁ ହୋଇଥିବା ଜଣା ପଡିଛି ।
ମୃତ କଏଦୀଙ୍କ ଜଣକ ହେଲେ ଲାଞ୍ଜିଗଡ ଥାନା ବସନ୍ତପଡା ପଞ୍ଚାୟତ ଅନ୍ତର୍ଗତ ରେଙ୍ଗୋପାଲି ଗାଁର ପଟ୍ଟନାୟକ ହରିଜନ(୪୦) । ତାଙ୍କୁ ୪ମାସ ତଳେ ପୋଲିସ ଗିକଫ କରିଥିଲା । ସେହିଦିନ ଠାରୁ ସେ ଭବାନିପାଟଣା ଜେଲରେ ଥିଲେ । ପଟ୍ଟନାୟକଙ୍କ ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମ ଦୁଇଦିନ ଭବାନିପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କାଲି ଦିନ ୨ଟାରେ ବୁର୍ଲା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତିକିତ୍ସାଧିନ ଅବସ୍ଥାରେ ରାତି ୨ରୁ ୩ଟା ଭିତରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ଜଣାପଡିଛି । ପୋଲିସ ମୃତକଙ୍କ ପରିବାରବର୍ଗଙ୍କୁ ଖବର ଦେବାପରେ ସେମାନେ ସେଠାରେ ପହଞ୍ଚିଥିଲେ କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦସ୍ତଖତ କରିନଥିବା ଜଣାପଡିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ଗାଁରେ ପହଞ୍ଚି ପାରିନାହିଁ । ତେବେ ବୁର୍ଲାରୁ ଶବ ଆସୁଥିବା ଖବର ମିଳିଛି ।
ଏଠାରେ ସୂଚନା ଯୋଗ୍ୟଯେ ସ୍ଥାନୀୟ ନିଯୁକ୍ତିକୁ ନେଇ ପ୍ଲାଣ୍ଟ ଆଖପାଖର ଲୋକେ ବେଦାନ୍ତ ଗେଟ ସମ୍ମୁଖରେ ଧାରଣା ଦେବା ସମୟରେ ସଂଘର୍ଷ ଘଟିଥିଲା । ଓଆଇଇଏସଏଫ ଜବାନଙ୍କ ଆକ୍ରମଣରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ଜନତାଙ୍କ ଅକ୍ରମଣରେ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ପୋଲିସ ୩୦୦ ଜଣଙ୍କ ନାମରେ ଅଭିଯୋଗ ଫର୍ଦ ପ୍ରସ୍ତୁତ କରିଥିବା ବେଳେ ପର୍ଯ୍ୟାୟକ୍ରମେ ୨୯ ଜଣଙ୍କୁ ଗିରଫ କରିଥିଲା । ସେହି କ୍ରମରେ ମୃତ ପଟ୍ଟନାୟକ ହରିଜନକୁ ୪ମାସ ତଳେ ଗିରଫକରି ଜେଲ ପଠେଇ ଦିଆ ଯାଇଥିଲା । ଅଭିଯୁକ୍ତ ମାନଙ୍କ ନାମରେ କେସ ନଂ ୧୫/୨୦୧୯ ରେ ମାମଲା ରୁଜୁ ହେବାସହ ୧୪୭, ୧୪୮, ୧୪୯, ୩୨୩, ୩୨୫, ୪୩୬, ୩୦୨, ୫୦୬ ଭଳି ସଙ୍ଗିନ ଧାରା ଲାଗିବାସହ ୨୭ ଆର୍ମସ ଆକ୍ଟ ଲାଗିଥିଲା । ଗିରଫ ୨୯ ଜଣଙ୍କ ମଧ୍ୟରୁ ଅଗଷ୍ଟ ୬ ତାରିଖ ଦିନ ୬ଜଣ, ୭ ତାରିଖ ଦିନ ୩ ଜଣ ଓ ଆଜି ୨ ଜଣଙ୍କୁ ଏପରି ମୋଟ ୧୧ ଜଣଙ୍କୁ ବେଲ ହୋଇଛି ଓ ପଟ୍ଟନାୟକ ହରିଜନ ସମେତ ୧୮ ଜଣ ଜେଲରେ ରହିଥିଲେ ।
ଗତ ମାସରେ ଏମାନଙ୍କୁ ମୁକ୍ତ କରିବା ଓ ବେଆଇନ ଗିରଫଦାରିକୁ ବନ୍ଦ କରିବା ଦାବିନେଇ ଛତ୍ରପୁର ଗାଁର ମହିଳାମାନେ ବେଦାନ୍ତ ଫାଟକ ସାମ୍ନାରେ ଧାରଣାରେ ବସିଥିଲେ । ବର୍ତ୍ତମାନ ବିଚାରଧିନ ଅବସ୍ଥାରେ ପଟ୍ଟନାୟକ ହରିଜନର ମୃତ୍ୟୁ ହୋଇଯାଇ ଥିବାରୁ ଜନ ଆକ୍ରୋସ ଦେଖାଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ବେଦାନ୍ତ ପ୍ଲାଣ୍ଟରୁ ୨କିମି ପରିଧି ଭିତରେ ୧୪୪ ଧାରା ଲାଗୁ ହୋଇଥିବାରୁ ଏହି ଅଞ୍ଚଳ ଜନ ମାନବ ଶୂନ୍ୟ ହୋଇପଡିଛି ।