ମାଆ ବାକ୍ୟଦେବୀ

ଈଶ୍ୱର ସୃଷ୍ଟିର ସମସ୍ତ ପ୍ରାଣୀଙ୍କୁ ନିଜ ଭାବ ବ୍ୟକ୍ତ କରିବାର ସାମର୍ଥ୍ୟ ପ୍ରଦାନ କରିଅଛନ୍ତି l କିନ୍ତୁ ସେ କେବଳ ଏକମାତ୍ର ଜୀବ ମଣିଷକୁ କଥାକହି ନିଜ ଭାବ ପ୍ରକାଶ କରିବାର ଶକ୍ତି ଦେଇଛନ୍ତି l ମନୁଷ୍ୟ ଏଣୁ ଏକ କଥାକୁହା ପ୍ରାଣୀ, କଥା ବା ବାଣୀଦ୍ୱାରା ସେ ନିଜର ଭାବକୁ ବ୍ୟକ୍ତ କରି ଥାଏ l ବାକ୍ ଶକ୍ତି ହୀନ ମଣିଷ, ଠାର ବା ସଙ୍କେତ ଦ୍ୱାରା ନିଜ ଭାବ ବ୍ୟକ୍ତ କରିଥାଏ l ମଣିଷକୁ ମାଆ ସରସ୍ବତୀ ଏହି ବାକଶକ୍ତି ପ୍ରଦାନ କରିଥାନ୍ତି l ଏଣୁ ମା’ ସରସ୍ବତୀ, ବାଗ୍ଦେବୀ ବା ବାକ୍ୟ ଦେବୀ ଭାବେ ଆମର ଶାସ୍ତ୍ର ପୁରାଣ ମାନଙ୍କରେ ପରିଚିତ l ବେଦ ମତେ ମାଆ ସରସ୍ବତୀ ଦିବ୍ୟଜ୍ଞାନ ପ୍ରଦାୟିନୀ ଏକ ପ୍ରବହମାନ ଧାରା l ମାଆ ସାଧକର ଦିବ୍ୟଜ୍ଞାନ ପ୍ରାପ୍ତିରେ ଏକ ମାତ୍ର ସହାୟକ l ଆମର ଶାସ୍ତ୍ର ମାନଙ୍କରେ ମାଆ ସରସ୍ବତୀ, ବୀଣାପାଣି, ମରାଳବାହନୀ, ମହାସତ୍ୟାମହା ପ୍ରବାହ, ବୁଦ୍ଧି ଧାରିଣୀ, ଭାରତୀ, ବାଗ୍ଦେବୀ, ବାକ୍ୟଦେବୀ ଇତ୍ୟାଦି ନାମରେ ଅଭିହିତ l

Omkar Vasthu
Omkar Vasthu

ବାକ୍ ଓ ପ୍ରାଣର ସମ୍ପର୍କ ମାତାପୁତ୍ର ସମ୍ପର୍କ ସହିତ ସମାନ l ବାକ୍,ମାତା ଓ ପ୍ରାଣ ପୁତ୍ର l ଶ୍ୱାସକ୍ରିୟା ବା ପ୍ରାଣର ପ୍ରବାହ ସରସ୍ବତ୍ ଓ ବାକ୍ୟ ବା ଭାଷା ହେଉଛି ସରସ୍ବତୀ l ଏଣୁ କୁହାଯାଇଛି :-
ମାତା ପୁତ୍ରୌ ତୁ ବାକ ପ୍ରାନୌ ମାତା
ବାପିତଭଃ ସୁତଃ l
ସରସ୍ବନ୍ତମିତି ପ୍ରାଣୋ ବାଚଂ ପ୍ରାଦୁଃ
ସରସ୍ବତୀମ୍ ll

Pearl dental clinic
Near Ashish Medical Store, Bhawanipatna

ମା’ ବାଗ୍ଦେବୀଙ୍କ କୃପା ପ୍ରାପ୍ତହେଲେ ମୂକ ବାଚାଳ ହୋଇ ପାରେ,”ମୁକଂ କରୋତି ବାଚାଳଂ”l ମାଆ ମୂର୍ଖ କାଳିଦାସଙ୍କୁ ସାତ ଜନ୍ମର ବିଦ୍ୟାକୁ ଗୋଟିଏ ଜନ୍ମରେ ପ୍ରଦାନ କରି, ମହା କବି ରୂପେ ବିଖ୍ୟାତ କରାଇଛନ୍ତି l ଅପଣ୍ଡିତ,ଜନ୍ମମୂର୍ଖ ଶାରଳା ଦାସଙ୍କୁ ମହା ପଣ୍ଡିତରେ ରୂପାନ୍ତରିତ କରିଛନ୍ତି l ଉପେନ୍ଦ୍ର ଭଞ୍ଜଙ୍କୁ କବି ସମ୍ରାଟ ଆସନରେ ଆସୀନ କରାଇ ଛନ୍ତି l ମାଆ ବଳଦେବ ରଥଙ୍କୁ କବି ସୂର୍ଯ୍ୟ ଭାବେ ବିଖ୍ୟାତ କରାଇଛନ୍ତି l ମାଆ ବାଗ୍ଦେବୀଙ୍କ କରୁଣା କଟାକ୍ଷ ପାଇଁ କବି, ସାହିତ୍ୟି ସାଧକ, କଳାକାର ଯୁଗ ଯୁଗ ଧରି ମାଆଙ୍କ ଚରଣ ଯୁଗଳରେ ପ୍ରଣତି ଢ଼ାଳି ଆସିଛନ୍ତି l’ସା ବିଦ୍ୟା ଯା ବିମୁକ୍ତୟେ’, ଅର୍ଥ ଯାହା ମଣିଷକୁ ମୁକ୍ତକରେ ତାହାହିଁ ବିଦ୍ୟା l ସବୁ ଠାରୁ ମୂଲ୍ୟବାନ ସମ୍ପଦ ହେଉଛି ବିଦ୍ୟା l

Udyog Nursery
Udyogi Nursery

ଏଣୁ ଭକ୍ତକବି ମଧୁସୂଦନ ରାଓ କହିଛନ୍ତି :-
ବିଦ୍ୟା ଅଟଇ ମହାଧନ l
ବାଳକେ କର ଉପାର୍ଜନ ll
ବିଦ୍ୟା ଅଟଇ ମହାରତ୍ନ l
ହୃଦୟେ ଘେନ କରିଯତ୍ନ ll
ବିଦ୍ୟାର ଉଦ୍ଦେଶ୍ୟ,ସଂସାରର ସମସ୍ତ ବିଷୟରେ ଜାଣିବା l ଏହି ଜାଣିବାଦ୍ୱାରା ହିଁ ମଣିଷର ଆସେ ଜ୍ଞାନ l ଜ୍ଞାନଦ୍ୱାରା ମନୁଷ୍ୟ ସଂସାରର ସୁକ୍ଷ୍ମ ତତ୍ତ୍ୱ ଗୁଡିକୁ ବୁଝିପାରେ l ଜ୍ଞାନ ହୋଇଗଲେ ମଣିଷର ଜାଗ୍ରତ ହୋଇ ଥାଏ ବିବେକ l ବିବେକ ମଣିଷକୁ ଭଲମନ୍ଦ ବିଚାର କରିବା ଶକ୍ତି ପ୍ରଦାନ କରିଥାଏ l ଏଥିରୁ ସ୍ପଷ୍ଟ ହୋଇଥାଏ ମଣିଷ ଜୀବନରେ ଏହି ବିଦ୍ୟା ଧନର ଆବଶ୍ୟକତା କେତେ l ଏହି ବିଦ୍ୟା ପ୍ରଦାୟିନୀ ଦେବୀ, ମା’ ସରସ୍ବତୀ l ସରସ୍ବତୀର ଅର୍ଥ,ଯିଏ ସ୍ୱତଃ ପ୍ରସରି ମନୁଷ୍ୟକୁ ଦିବ୍ୟଚେତନା ଆଡ଼କୁ ଅଗ୍ରସର କରାନ୍ତି l ମାଆଙ୍କ ମୂର୍ତ୍ତି କଳ୍ପନା ଏବଂ ତାଙ୍କ ବାହନ ଶୁଭ୍ର ହଂସ ସ୍ୱଚ୍ଛ ଓ ଶୁଦ୍ଧତାର କଳ୍ପନା l ଏହା ମଣିଷକୁ ସଙ୍କେତଦେଇଥାଏ ଯେ ତୁମେ ନିଜର ମନ ଓ ହୃଦୟକୁ ସ୍ୱଚ୍ଛ ରଖ,ନିଜର ଅଜ୍ଞାନତାକୁ ପରିହାର କରି ସୁଦ୍ଧ ଜ୍ଞାନର ସନ୍ଧାନ କର l ହଂସ ଯେଉଁପରି କ୍ଷୀରରୁ କେବଳ କ୍ଷୀରକୁ
ଗ୍ରହଣ କରି ନୀରକୁ ଛାଡ଼ି ଦେଇଥାଏ, ସେହିପରି ବିଦ୍ୟା ଏବଂ ଅବିଦ୍ୟା ମଧ୍ୟରୁ କେବଳ ବିଦ୍ୟାକୁହିଁ ଗ୍ରହଣ କର l ଏହା ପ୍ରତ୍ୟକ ଜ୍ଞାନପିପାସୁ ମାନଙ୍କୁ ସଙ୍କେତ ଦେଇଥାଏ କେବଳ ଶୁଦ୍ଧାଶୁଦ୍ଧ ମିଶାମିଶି ଜ୍ଞାନରୁ ଶୁଦ୍ଧ ଜ୍ଞାନକୁ ଆହରଣ କର l

ସେଥିପାଇଁ ତ ଜ୍ଞାନ ପିପାସୁ ପଣ୍ଡିତ ଗଣ ମାଆଙ୍କ ଆରାଧନା କରି ଗାଇ ଥାନ୍ତି :-
ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା
             ଯା ଶ୍ଵେତ ପଦ୍ମାସନା
ଯା ବୀଣା ବରଦଣ୍ଡ ମଣ୍ଡିତକରା
             ଯା ଶୁକ୍ଲ ବସ୍ତ୍ରାନ୍ଵିତା
ଯା ବ୍ରହ୍ମାଚ୍ୟୁତଶଙ୍କର ପ୍ରଭୃତିଭିଃ
ଦେବୈଃ ସଦା ବନ୍ଦିତା
ସା ମାଂ ପାତୁ ସରସ୍ଵତୀ ଭଗବତୀ
ନିଃଶେଷଜାଡ୍ୟାପହା ll
ଅଜ୍ଞାନତା, ଶ୍ରେଷ୍ଠ ଏହି ମାନବଜନ୍ମକୁ ଅସାର କରି ଦିଏ l ସେଥିପାଇଁ ମାଆ ସରସ୍ୱତୀଙ୍କୁ ବ୍ରହ୍ମା,ବିଷ୍ଣୁ, ଶଙ୍କର ତଥା ସକଳ ଦେବଦେବୀ ସ୍ତୁତି କରିଥାନ୍ତିl ବେଦରେ ସରସ୍ୱତୀଙ୍କୁ ନଦୀ ଭାବେ କଳ୍ପନା କରା ଯାଇଛି l ଅର୍ଥ,ଜ୍ଞାନରୂପୀ ନଦୀର ସ୍ରୋତରେ ବହି ଗଲେ ହିଁ ପରମାନନ୍ଦ ପ୍ରାପ୍ତି ହୁଏ l

ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀ ମାନେ ମଧ୍ୟ ମାଆ ବାଗ୍ଦେବୀଙ୍କୁ ଆରାଧନାକରିବା ପରମ୍ପରା ରହିଛି l ଦେବୀ ଶ୍ୱେତ ବର୍ଣ୍ଣା,ଶୁଭ୍ର ବସ୍ତ୍ର ପରିହିତା, କର୍ଣ୍ଣରେ କୁଣ୍ଡଳ,ଗଳାରେ ଗଜମୋତି ମୁକ୍ତା ହାର ପରିଧାନ କରି,ହସ୍ତରେ ବୀଣା ପୁସ୍ତକ ଧାରଣ ପୂର୍ବକ ଶ୍ୱେତ ପଦ୍ମ ଉପରେ ଅଧିଷ୍ଠିତା l ଏଣୁ ମାଆ ସରସ୍ବତୀଙ୍କ ବନ୍ଦନାରେ କୁହାଯାଇଛି :-
ଅଇଲେ ସରସ୍ବତୀ ନିର୍ମଳ ବର୍ଣ୍ଣେ l
ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ ll
ଗଳାରେ ଗଜମୋତି ମୁକୁତାର ହାର l
ଦିଅ ମା’ସରସ୍ବତୀ ବିଦ୍ୟା ଭଣ୍ଡାର ll
କଜ୍ଵଳ ପୂରିତ ଲୋଚନ ଧାରେ
ସ୍ତନ ଯୁଗ ଶୋଭିତ ମୁକୁତା ହାରେ
ବୀଣା ପୁସ୍ତକ ରଞ୍ଜିତ ହସ୍ତେ l
ଭଗବତୀ ଭାରତୀ ଦେବୀ ନମସ୍ତେ ll
ଦେବୀଙ୍କର ଶ୍ୱେତ ବର୍ଣ୍ଣ ଓ ଶ୍ୱେତ ମରାଳ ବାହନ ନିର୍ଦ୍ଧେଶକରେ ସାତ୍ତ୍ୱିକତାକୁ l ତାମସିକ ଚିନ୍ତାଧାରା ପରିତ୍ୟାଗ କରି ମାଆ ବାଗ୍ଦେବୀଙ୍କ ପୂଜା,ସାତ୍ତ୍ୱିକ ଓ ଆଧ୍ୟାତ୍ମିକ ଚେତନାରେ ଉଦବୁଦ୍ଧ ହେବା ପାଇଁ ଆହ୍ୱାନ ଦେଇ ଥାଏ l

ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀପଞ୍ଚମୀଠାରୁ ଶୀତବସ୍ତ୍ର ପରିତ୍ୟାଗ କରି ଗୈରିକ ବସ୍ତ୍ର ପରିଧାନ କରନ୍ତି l ଶ୍ରୀ ପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ନିକଟରେ ହେଙ୍ଗୁ ଓ ହରଡ଼ ଗୁଣ୍ଡରେ ପ୍ରସ୍ତୁତ ପିଠା ଲାଗି ହୋଇଥାଏ l ଏହିଦିନରୁ ମହାପ୍ରଭୁଙ୍କ ବେଣ୍ଟଯାତ୍ରା ନୀତି ପାଳିତ ହୁଏ l ବେଣ୍ଟଯାତ୍ରା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯାତ୍ରା କରିଥାଆନ୍ତି l ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଅମଳରୁ ଏହି ବେଣ୍ଟଯାତ୍ରା ପ୍ରଚଳିତ ହୋଇଛି l ଶ୍ରୀରାମ ବନକୁ ଗମନ କରି ସେଠାରେ ବେଣ୍ଟ ବା ଶିକାର କରିବା ପରମ୍ପରାକୁ ବେଣ୍ଟ ଯାତ୍ରା ଭାବେ ପାଳନ କରା ଯାଏ l ବେଣ୍ଟ ପୋଖରୀ ନିକଟରେ ମହାପ୍ରଭୁ ନାରିକେଳ ଏବଂ କସ୍ତୁରୀ ଶିକାର କରିଥାନ୍ତି l ମହାପ୍ରଭୁଙ୍କ ଜଗତ ବିଖ୍ୟାତ ଘୋଷଯାତ୍ରା ନିମନ୍ତେ ଶ୍ରୀପଞ୍ଚମୀ ଦିନ ରଥ କାଠ ଅନୁକୂଳ କରାଯାଏ l

ମାଆ ବୀଣାପାଣିଙ୍କ ବିଷୟରେ ଆହୁରି କେତେ ଗୋଟି ଜାଣିବା କଥା :-
• ଶ୍ରୀ ପଞ୍ଚମୀ ବା ବସନ୍ତ ପଞ୍ଚମୀ ହେଉଛି ମାଆ ସରସ୍ବତୀଙ୍କ ଜନ୍ମ ଦିନ l
• ମା’ ସରସ୍ବତୀ ବେଦପତି ବ୍ରହ୍ମାଙ୍କ ମୁଖକମଳରୁ ଆବିର୍ଭୁତା ହୋଇଥିଲେ l
• ବ୍ରହ୍ମ ବୈବର୍ତ୍ତ ପୁରାଣ ମତ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ମା’ ସରସ୍ବତୀଙ୍କ ପୂଜାର ପ୍ରଚଳନ କରିଥିଲେ l
• ଶ୍ରୀମଦ ଭାଗବତ ମହାପୁରାଣରେ ଉଲ୍ଲେଖ ଅଛି ବସନ୍ତପଞ୍ଚମୀ ଦିନ ସରସ୍ବତୀପୂଜା ଆରମ୍ଭ ହୋଇଥିଲା l
• ଭାରତ ବାହାରେ ମଧ୍ୟ ମା’ ସରସ୍ବତୀଙ୍କ ପୂଜାର ପ୍ରଚଳନ ଅଛି l ମାଆଙ୍କୁ ପାରସ୍ୟରେ Anahita, ବେବିଲୋନରେ Ishtar, ଗ୍ରୀସରେ Muse ଓ ରୋମରେ Minerva ଆଦି ନାମରେ ଅଭିହିତ ଓ ପୂଜା କରା ଯାଏ l
• ସରସ୍ୱତୀ ଶବ୍ଦ ସରସ (ଗତି,ପ୍ରବାହ) ଓ ବତୀ (ଅଛି)ଶବ୍ଦରୁ ଆସିଅଛି,ଏହାର ଅର୍ଥ ଗତିଶୀଳା, ଯାହା ପ୍ରଗତିର ସୂଚକ l
• ପୁରାଣରେ ସରସ୍ୱତୀଙ୍କୁ କନ୍ୟା ଏବଂ ବ୍ରହ୍ମାଙ୍କୁ ପିତାରୂପେ କଳ୍ପନା କରାଯାଇଛି l ବ୍ରହ୍ମାଣ୍ଡପୁରାଣ ଅନୁଯାୟୀ ସୃଷ୍ଟି ଆରମ୍ଭରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ସତ୍ତ୍ୱ ଗୁଣରୁ ଏକ କନ୍ୟା ଜାତ ହେଲା l ସେ ଥିଲେ ଦୁଗ୍‌ଧ ପରି ଶ୍ୱେତବର୍ଣ୍ଣା l ସେହି କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିଲେ l ସେ କହିଲେ,ମୁଁ ତୁମଠାରୁ ଜାତ,ତୁମେ ମୋର ନାମ କରଣ କର ଓ ମୋର ପରିଚୟ କ’ଣ ତାହା ସ୍ଥିର କର l ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ l ତୁମେ ସଭିଙ୍କ ଜିହ୍ୱାଗ୍ରେ ‘ବାକ୍’ ରୂପରେ ବାସ କରିବ,ତୁମେ ‘ବାଗ୍‌ଦେବୀ’ ରୂପେ ବିଦିତା ହେବ l ବିଦ୍ୱାନ ମାନେ ଆଦର ଓ ଭକ୍ତିରେ ତୁମର ପୂଜା କରିବେ l
• ବ୍ରହ୍ମବୈବର୍ତ୍ତ ପୁରାଣ ଅନୁଯାୟୀ ସୃଷ୍ଟି କାଳରେ ଈଶ୍ୱରଙ୍କ ଇଚ୍ଛାରୁ ଆଦ୍ୟାଶକ୍ତି ଆପଣାକୁ ପାଞ୍ଚଟି ଭାଗରେ ବିଭକ୍ତ କରିନେଇଥିଲେ l ରାଧା,ପଦ୍ମା, ସାବିତ୍ରୀ,ଦୁର୍ଗା ଓ ସରସ୍ୱତୀଙ୍କ ରୂପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଅଙ୍ଗରୁ ସେ ସୃଷ୍ଟି ହୋଇଥିଲେ l ଶ୍ରୀକୃଷ୍ଣଙ୍କ କଣ୍ଠରୁ ଦେବୀ ସରସ୍ୱତୀ ସୃଷ୍ଟି ହୋଇ ଥିଲେ l
• ଋକବେଦ ମତେ ଦେବୀ ସରସ୍ୱତୀ ମହାଶକ୍ତିଙ୍କ ଉତ୍ସ l ମାଆ ନିରାକାର, ନିର୍ଗୁଣ,ନିର୍ମାୟା l ତାଙ୍କୁ ମାତା ଏବଂ ନଦୀ ରୂପେ ଋଗ୍ ବେଦରେ ବନ୍ଦନା କରା ଯାଇଛି l
ଅମ୍ବି ତମେ ନଦୀ ତମେ,ଦେବୀ ତମେ ସରସ୍ୱତୀ,
ଅପ୍ରଶସ୍ତ ଇବ ସ୍ୱାମି, କ୍ରଶସ୍ତି ମମ ନିସ୍କୃତି ll
ଅର୍ଥାତ ଆର୍ଯ୍ୟଋଷିଗଣ ସ୍ତୁତିକରୁଛନ୍ତି,ହେ ଶ୍ରେଷ୍ଠ ମାତା,ହେ ଶ୍ରେଷ୍ଠନଦୀ,ହେ ଶ୍ରେଷ୍ଠ ଦେବୀ,ଆମେ ସବୁ ଅପ୍ରଶସ୍ତ ପ୍ରାଣୀ,ଆମକୁ ତୁମେ ପ୍ରଶସ୍ତ ତଥା ବିସ୍ତାରିତ କରାଅ !
• ଜୋରାଷ୍ଟର ଧର୍ମରେ ସରସ୍ୱତୀ ସରୋଶା ଏବଂ ପୃଥିବୀର ରକ୍ଷା କାରିଣୀ l ବ୍ରହ୍ମଦେଶରେ ମାଆ ଥୁରାଥଡି,ଥାଇଲାଣ୍ଡରେ ସୁରାସୱଦୀ,ଜାପାନରେ ବେଞ୍ଜାଇତେନ ଭାବେ ଦେବୀ ପରିଚିତା l
ଯେ କୌଣସି ସାଧକ ବା ବିଦ୍ୟାଲିପ୍ସୁ ବ୍ୟକ୍ତି ନିତ୍ୟ ନୈମିତ୍ତିକ ଭାବେ ଏକାଗ୍ରତା ସହକାରେ ମାଆଙ୍କ ଆରାଧନା କରିବା ଉଚିତ l କାରଣ ମାଆ ବିଦ୍ୟା ପ୍ରଦାୟିନୀ, ବୁଦ୍ଧି ଦାତ୍ରୀ ଏବଂ ସିଦ୍ଧିଦାତ୍ରୀ l ଆଦ୍ୟ ବସନ୍ତର ହିଲ୍ଲୋଳ ଓ ଉଲ୍ଲାସ ସହ ଶ୍ୱେତ ମରାଳ ବାହୀନି,ବୀଣାପୁସ୍ତକ ଧାରିଣୀ ମା’ ବୀଣାପାଣିଙ୍କ ପୂଜା ହିନ୍ଦୁ ପରମ୍ପରାରେ ଜ୍ଞାନ ଓ ସମୃଦ୍ଧିର ପର୍ବ ।

ଅର୍ଜୁନୀ ଚରଣ ବେହେରା
ମୋ – 7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.