ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବାବାଜିଗୁଡାଠାରେ ଝଙ୍କଡ଼ ପାଇକ ସମାଜର ଦୁଇ ଦିନିଆ ମହାସଭା ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ବୃଷଭ ରାଉତଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ରାହାସକାନ୍ତ ରାଉତ, ଉପ ସଭପତି ଗଜେନ୍ଦ୍ର ନାୟକ, ଉପଦେଷ୍ଟା ମଣ୍ଡଳୀରୁ ମହେନ୍ଦ୍ର କୁମାର ପ୍ରଧାନୀ, ଟଙ୍କଧର ନାଏକ, ଜହ୍ନୁ ବିଷି, ପରିଚୟ ନାଏକ, ମୂରଲୀଧର ନାଏକ, ସତ୍ୟନାରାୟଣ ଅଧିକାରୀ, ନରେନ୍ଦ୍ର ପ୍ରଧାନୀ ମଞ୍ଚାସୀନ ଥିଲେ। ଏହି ମହାସଭାରେ ସମାଜର ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥିକ ପରିସ୍ଥିତି ଏବଂ ସଂସ୍କାର ସମ୍ବନ୍ଧରେ ଆଲୋଚନା ହୋଇଥିଲା। ବିଶେଷକରି ସମାଜରେ ଶିକ୍ଷା ଓ ସଂସ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଆଲୋଚକ ମାନେ ମତବ୍ୟକ୍ତ କରିଥିଲେ। ପ୍ରଥମେ ସମସ୍ତଙ୍କ ଉପସ୍ଥିତିରେ ସମାଜର ପତାକା ଉତ୍ତୋଳନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ସମାଜର ସମ୍ବିଧାନକୁ ସମସ୍ତଙ୍କୁ ବଣ୍ଟା ଯାଇଥିଲ। ସମାଜର ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରାଯାଇଥିଲା। କେନ୍ଦ୍ରୀୟ କମିଟି ସଦସ୍ୟ ବୃନ୍ଦ ତଥା ତିନୋଟି ଜିଲ୍ଲାର ଗ୍ରାମ୍ୟ କମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ। ସୁନ୍ଦର ଭାବରେ କାର୍ଯ୍ୟକ୍ରମର ଆୟୋଜନ ପାଇଁ ବାବାଜିଗୁଡା ଗ୍ରାମ୍ୟ କମିଟିର ସଭାପତି ନରହରି ନାଏକ, ସଂପାଦକ ସୁଶାନ୍ତ କୁମାର ବିଷି ସମେତ ଗ୍ରାମବାସୀଙ୍କୁ ସମସ୍ତେ ଅଜସ୍ର କୃତଜ୍ଞତା ଜ୍ଞାପନ କରିଥିଲେ। ମକରଧ୍ବଜ ରାଉତ ସଭା ପରିଚାଳନା କରିଥିଲେ ଏବଂ କେନ୍ଦ୍ରୀୟ କମିଟି ଓ ବାବାଜୀଗୁଡା ଗ୍ରାମ୍ୟ କମିଟି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।





