ପ୍ରତି ସ୍କୁଲରେ ଲାଗିବ ‘ଜଳପାନ ଘଣ୍ଟି’

ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସ୍ଥିତ ଜିଲ୍ଲା ଅଡିଟୋରିଅମ୍ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ବାଲେଶ୍ଵର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ସତର୍କତା ମୂଳକ ପଦକ୍ଷେପ ସଂପର୍କିତ ଆଲୋଚନା ପାଇଁ ଗତକାଲି ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ସଜାଗ ରହିବା ସହିତ ଏ ସଂପର୍କରେ ସୂଚନା ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟାକୁ ଶୂନ୍ କରିବା ନିମନ୍ତେ ସେ ପରାମର୍ଶ ଦେଇଥିଲେ। ଏଥିସହ ଗ୍ରୀଷ୍ମପ୍ରବାହ ସମୟରେ ବନାଗ୍ନି, ଜୀବଜନ୍ତୁଙ୍କ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ପଦକ୍ଷେପ ନେବା ପାଇଁ ଜିଲ୍ଲା ବନ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ସ୍କୁଲ୍ ରେ ଜଳ ବିରତି ପାଇଁ ‘ଜଳ ଘଣ୍ଟି’ର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଉଠା ଜଳ ସେଚନ ବିଭାଗର ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଜଳ ଉଠେଇବା ଏବଂ ଜଳର ସୁପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯିବା ସହିତ ପାନୀୟ ଜଳ, ବିଦ୍ୟୁତ, ସ୍ବାସ୍ଥ୍ୟସେବା, ଅଗ୍ନିଶମ ସେବା, ବିଦ୍ୟାଳୟ, ପରିବହନ, ପ୍ରାଣୀ ସମ୍ପଦ ସହ ଅନ୍ୟାନ୍ୟ ବିଭାଗର ବିହିତ ପଦକ୍ଷେପ ଉପରେ ବିସ୍ତୃତ ସମୀକ୍ଷା କରିଥିଲେ ଜିଲାପାଳ। ଗ୍ରାମାଞ୍ଚଳରେ ପାନୀୟ ଜଳ ସମ୍ପର୍କିତ ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ନଳକୂଅ କାର୍ଯ୍ୟକ୍ଷମ କରିବା, ଯେଉଁଠି ନଳକୂପର ବ୍ୟବସ୍ଥା ହୋଇ ପାରୁନାହିଁ ସେହିପରି ଅଞ୍ଚଳରେ ଟ୍ୟାଙ୍କର୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ। ସେହିଭଳି ପଞ୍ଚାୟତ, ଏନ୍‌ଏସି, ପୌର ପରିଷଦ ଏବଂ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜନଗହଳି ଅଞ୍ଚଳରେ ଜଳଛତ୍ର ଖୋଲିବା, ପିଏଚସି ,ସିଏଚସି ଉପଖଣ୍ଡ ଓ ସଦର ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଶୀତତାପ ନିୟନ୍ତ୍ରିତ କୋଠରି ବ୍ୟବସ୍ଥା, ଯଥେଷ୍ଟ ପରିମାଣର ଓଆର୍‌ଏସ୍ ଏବଂ ଆବଶ୍ୟକ ଔଷଧ ମହଜୁଦ ରକ୍ଷା ପାଇଁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଥିଲା।

ଶ୍ରମିକମାନେ ଯେପରି ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଖରାରେ କାର୍ଯ୍ୟ ନ କରନ୍ତି ତାହା ଦେଖିବାକୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କୁହାଯାଇଥିଲା। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ଧ୍ୟାନ ଦେବାକୁ ଟିପିଏନଓଡିଏଲ୍‌ ନିର୍ବାହୀସଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଗ୍ରୀଷ୍ମପ୍ରବାହ ସମୟରେ ହେଉଥିବା କାଳବୈଶାଖୀର ମୁକାବିଲା ନିମନ୍ତେ ସତର୍କ ରହିବ ପାଇଁ ଜ଼ିଲ୍ଲାପାଳ ଏନ.ଡି.ଆର.ଏଫ୍. ଓ ଓଡ୍ରାଫ୍ ବାହିନୀକୁ ଜ଼ିଲ୍ଲାପାଳ ନିର୍ଦ୍ଦଶ ଦେଇଥିଲେ। ଗ୍ରୀଷ୍ମପ୍ରବାହ ଏବଂ କାଳବୈଶାଖୀର ସଠିକ ତଥ୍ୟ ଗୁଡିକର ଆଦାନ ପ୍ରଦାନ ନିମନ୍ତେ ‘ସତର୍କ ଆପ୍’ର ବ୍ୟବହାର କରିବା ଲାଗି ଜ଼ିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ।

ଜନସାଧାରଣଙ୍କର ଗ୍ରୀଷ୍ମପ୍ରବାହ ସମ୍ବନ୍ଧୀୟ ଅଭିଯୋଗ ଗୁଡିକର ଶୁଣାଣି ନିମନ୍ତେ ଜ଼ିଲ୍ଲା ଜରୁରୀ କାଳୀନ ନିୟନ୍ତ୍ରଣ କକ୍ଷର ଟୋଲ୍ ଫ୍ରି ନମ୍ବର ୧୦୭୭ ଓ ବ୍ଲକ ନିୟନ୍ତ୍ରଣ କକ୍ଷର ଜରୁରୀ କାଳୀନ ନମ୍ବର ଗୁଡିକର ପ୍ରଦର୍ଶନ କରିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ବିଭଗର ଅଧିକାରୀମାନଙ୍କୁ ସତର୍କ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଶ୍ରୀ ହେମନ୍ତ କୁମାର ସିଂ, ଅତିରିକ୍ତ ଜିଲାପାଳ(ସାଧାରଣ) ଶ୍ରୀ ସୁଧାକର ନାୟକ, ନୀଳଗିରି ଉପ ଜ଼ିଲ୍ଲାପାଳ, ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ପରିଷଦ, ବାଲେଶ୍ୱର, ପୌରପାଳିକା ଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏନ.ଡି.ଆର.ଏଫ, ଓଡ୍ରାଫ୍ ବାହିନୀ, ସ୍ଵେଚ୍ଛାସେବୀ ସଂଗଠନ, ଆପଦ ମିତ୍ର ସ୍ଵେଚ୍ଛାସେବୀ, ସିଭିଲ ଡିଫେନ୍ସ, ଅଗ୍ନିଶମ ବିଭାଗ ଅଧିକାରୀ ତଥା ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗଦାନ କରିଥିଲେ। ଜ଼ିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଅବନୀକାନ୍ତ ଭୂୟାଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.