t20 world cup: ଜିମ୍ବାୱେ ବିପକ୍ଷରେ ଟିମ୍ ଇଣ୍ଡିଆର ବୃହତ ବିଜୟ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ଗୁରୁବାର ଦିନ ଅନୁଷ୍ଠିତ ଚଳିତ ଟି୨୦ ବିଶ୍ୱକପରର ସୁପର ଏଇଟ ମୁକାବିଲାରେ ଜିମ୍ବାୱେକୁ ୭୨ ରନରେ ହରାଇ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା ।

ଟିମଇଣ୍ଡିଆ ୨୫୭ ରନର ଲକ୍ଷ୍ୟ ଜିମ୍ବାୱେ ସମ୍ମୁଖରେ ରଖିଥିଲା । ଜବାବରେ ଜିମ୍ବାୱେ ୬ ୱିକେଟ ବିନିମୟରେ ୧୮୪ ରନ କରିବାକୁ ସକ୍ଷମ ହୋଇଥିଲା । ବ୍ରାଏନ ବେନେଟ୍ଟ ୯୭ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ତାହା କିନ୍ତୁ ଦଳର ବିଜୟ ପାଇଁ ଯଥେଷ୍ଟ ହୋଇ ନ ଥିଲା ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ବରୁଣ ଚକ୍ରବର୍ତି, ଶିବମ ଦୁବେ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଟିମ ଇଣ୍ଡିଆ ତାର ପରବର୍ତୀ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଏହା ଟିମ ଇଣ୍ଡିଆ ପାଇଁ ଏକପ୍ରକାର କ୍ୱାର୍ଟର ଫାଇନାଲ ସଦୃଶ ମ୍ୟାଚ ହେବ ।

ପୂର୍ବରୁ ଟିମ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୨୫୬ ରନ ସଂଗ୍ରହ କରିଥିଲା । ଟପ ଅର୍ଡରରେ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଅଭିଷେକ ଶର୍ମା ଫର୍ମକୁ ଫେରିବା ସହ ୩୦ ବଲରେ ୫୫ ରନ କରିଥିଲେ । ସଞ୍ଜୁ ସାମସନ ୨୪, ସୂର୍ଯ୍ୟକୁମାର ଯାଦବ ୩୩ ଓ ଈଶାନ କିଶାନ ୩୮ ରନ କରିଥିଲେ ।

ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା ଦଳର ସ୍କୋରକୁ ୨୫୦ରୁ ଉପରକୁ ନେଇ ଯାଇଥିଲେ । ହାର୍ଦ୍ଦିକ ୨୩ ବଲରୁ ୫୦ ଓ ତିଳକ ୧୬ ବଲରୁ ୪୪ ରନ କରି ଅପରାଜିତ ରହିଥିଲେ । ଟସ ଜିିତି ଜିମ୍ବାୱେ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ରିଚାର୍ଡ ନାଗଭରା, ବ୍ଲେସିଂଙ୍ଗ ମୁଜରବାନୀ ଓ ସିକନ୍ଦର ରାଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.