ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜରାୟୁ ଗ୍ରୀବା କର୍କଟ ନିବାରଣ ପାଇଁ ମାଗଣାରେ ଟୀକାକରଣ କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ (ଏଚପିଭି) ହ୍ୟୁମାନ ପାପିଲୋମା ଭାଇରସ ବା ଜରାୟୁ ଗ୍ରୀବା କର୍କଟ ରୋଗ ନିରାକରଣ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି। ଏନେଇ ନର୍ଲା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଆଶୁତୋଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଡିଓ ଶ୍ରୀ ଦୀପ ଯୋଗଦାନ କରି ଏହାର ଶୁଭାରମ୍ଭ କରିଛନ୍ତି। ଆଜିଠୁ ୭୦ ଦିନ ଯାଏଁ ଏହା ଚାଲିବ ବୋଲି ଜଣାପଡିଛି। ନର୍ଲା ଡାକ୍ତରଖାନାକୁ ଆସି ୧୪ ରୁ ୧୫ ବର୍ଷର ଝିଅ ମାନେ ଏହା ନେଇପାରିବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଡିଏମଆରସିଏଚ ରଶ୍ମୀ ରଞ୍ଜନ ମହାନ୍ତି, ସହକାରୀ ପରିଚାଳିକା (କ୍ୟୁଏ) ରିତା ନାଏକ ପ୍ରମୁଖ ଯୋଗଦାନ କରି ହ୍ୟୁମାନ ପାପିଲୋମା ଭାଇରସ (ଏଚପିଭି) ର ଭୟାବହତା ଓ ଏହାର ନିରାକରଣ ଉପରେ ମାର୍ଗଦର୍ଶନ ଦେଇଥିଲେ। ବିପିଏମ ସବୀର ପଧାନ ଓ ପିଏଚଇଓ ବିମଳ ଚନ୍ଦ୍ର ଦୀପ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ୧୩ ଜଣଙ୍କୁ ଟୀକାକରଣ କରଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ଏହି ମହତ୍ୱାକାଂକ୍ଷୀ ଅଭିଯାନରେ ଓଡିଶାର ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୩.୩୬ ଲକ୍ଷ ବାଳିକାଙ୍କୁ ଟୀକାକରଣ କରାଯିବା ନିମନ୍ତେ ୩ ମାସ ସମୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏବଂ ଏହି ଟୀକାକରଣ ପ୍ରକ୍ରିୟାରେ ଆମ ଜିଲ୍ଲା ୧୪ ରୁ ୧୫ ବୟସ ମଧ୍ୟରେ ଥିବା ୭୦୦୦ ରୁ ଉର୍ଦ୍ଧ୍ବ ବାଳିକା ଉପକୃତ ହେବେ ବୋଲି ଜଣାପଡିଛି। ଏହି ଟୀକା ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଦ୍ବିତୀୟ ମାସରେ ଏହାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ ଓ ଏହି ଟୀକା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ଝିଅମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଏହି ଟୀକାକରଣ ଅଭିଯାନ କରାଯାଇଛି। ସର୍ଭିକାଲ କ୍ୟାନ୍‌ସରକୁ ରୋକିବା ପାଇଁ ଏହି ଟୀକାର ବଜାର ମୂଲ୍ୟ ୪ ହଜାର ଟଙ୍କା ହୋଇଥିବା ବେଳେ, ଏହି ଟୀକା ଝିଅମାନଙ୍କୁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାଗଣାରେ ପ୍ରଦାନ କରାଯିବ। ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ଏବଂ ଏହି ଟୀକାକରଣ ବିଷୟରେ ସୂଚନା ଗାଁ ଗହଳି ଠାରୁ ଆରମ୍ଭ କରି ଆମ ଜିଲ୍ଲାର ସହରାଞ୍ଚଳ ରେ ଏହା ବିଷୟରେ ବହୁଳ ପ୍ରଚାର ହେବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ନର୍ଲା ବିଡିଓ ଶ୍ରୀ ଦୀପ କହିଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଫେବୃଆରୀ ୨୮ ତାରିଖ ୨୦୨୬ ଦିନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ରାଜସ୍ଥାନର ଆଜମେର ଠାରୁ ଦେଶବ୍ୟାପୀ ହ୍ୟୁମାନ ପାପିଲୋମା ଭାଇରସ୍ ସଂକ୍ରମଣର ନିରାକରଣ ପାଇଁ ଟୀକାକରଣ ଅଭିଯାନର ଶୁଭାରମ୍ଭ କରାଯିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.