ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଆନନ୍ଦ ଉହ୍ଲାସରେ ପାଳିତ ହୋଇଯାଇଛି ରଙ୍ଗର ପର୍ବ ହୋଲି।ପୂର୍ବ ଦିନ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ଯୋଗୁଁ ମନ୍ଦିର ଗୁଡ଼ିକରେ ପୂଜା ପାଠ ହୋଇ ପାରି ନଥିଲା। ଦିନକ ପୂର୍ବରୁ ଯାହା ରାଧା କୃଷ୍ଣଙ୍କୁ ବିମାନରେ ନଗର ପରିକ୍ରମା କରା ଯାଇଥିଲା। ସେହିଭଳି ନର୍ଲାରୋଡ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ପାଳିତ ହୋଇଥିଲା। ହୋଲି ଦିନ ସକାଳୁ ପ୍ରଥମେ ନର୍ଲା ଜଗନ୍ନାଥ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର ଓ ଶିବ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା ରଙ୍ଗରଖେଳ ହୋଲି। ଭାଇଚାରାର ପର୍ବ ହୋଲିରେ ପରଷ୍ପରକୁ ଅବିର ଲଗେଇ ଲୋକେ ହୋଲିର ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଥିଲା। ନର୍ଲାରୋଡ, ସର୍ଗିଗୁଡା,ନର୍ଲା, ଶିଶୁ ମନ୍ଦିର ଛକ ଓ ବ୍ୟବସାୟୀକ ପେଣ୍ଠସ୍ଥଳୀ ରୁପ୍ରାରୋଡର ଅନେକ ସ୍ଥାନରେ ବହୁତ ସଂଖ୍ୟାରେ ଯୁବପିଢୀ ସମବେତ ହୋଇ ଖୋଲି ଖେଳିଥିବା ଦେଖିବାକୁ ମିଳିଥିଲା। ସର୍ଗିଗୁଡା ଯୁବପିଢୀ, ଛୋଟ ଛୋଟ ଶିଶୁ ଓ କିଶୋର ମାନେ ମାଝୀପଡା ନିକଟରେ ସମବେତ ହୋଇ ପରଷ୍ପରକୁ ଅବିର ବୋଳି ଡିଜେ ବଜାର ତାଳେ ତାଳେ ହୋଲି ଖେଳିଥିବା ଦେଖିବାକୁ ମିଳିଥିଲା। ସେହିଭଳି ସର୍ଗିଗୁଡା ବସ୍ତି ପଡ଼ାରେ ମଧ୍ୟ ଶିଶୁ ରୁ ଯୁବକ ସମସ୍ତେ ପରଷ୍ପର କୁ ଅବିର ଲଗାଇ ହୋଲିର ଶୁଭେଚ୍ଛା ଜଣାଇଥିଲେ। ଏଥିରେ ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ସାମିଲ ହୋଇ ସମସ୍ତଙ୍କୁ ଅବିର ଲଗେଇ ଶୁଭେଚ୍ଛା ଜଣାଇଥିଲେ । ରୁପ୍ରାରୋଡରେ ମଧ୍ୟ ହୋଲିଖେଳ ବେଶ୍ ଜାକ୍ଜମକର ସହ ଅନୁଷ୍ଠିତ ହୋଇଥିଲା। ରୁପ୍ରାରୋଡ ମାରୱାଡି ଯୁବାମଞ୍ଚ ତରଫରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏଥିପାଇଁ ଭବ୍ୟ ଆୟୋଜନ ମଧ୍ୟ କରାଯାଇଥିଲା। ବସ୍ତି ସାରା ରାଧା କୃଷ୍ଣଙ୍କୁ ବିମାନରେ ବସାଇ ନଗର ପରିକ୍ରମା ସହ ହୋଲି ଖେଳିଥିଲେ ଶ୍ରଦ୍ଧାଳୁ ଭକ୍ତ। ସେହିଭଳି ନର୍ଲା ଅଞ୍ଚଳର ରୁପ୍ରା, ଛତିକୁଡା, ବାଲିପଡା, ସେରଗଡ, ରୁପ୍ରାରୋଡ, ଶାନ୍ତପୁର ପ୍ରଭୃତି ସ୍ଥାନରେ ଆନନ୍ଦ ଉହ୍ଲାସରେ ସମ୍ପନ୍ନ ହୋଇଯାଇଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଏବେ ପ୍ରାୟତଃ ସ୍ଥାନରେ ଅବିର ରଙ୍ଗ ଲଗାଇ ହୋଲି ଖେଳୁଥିବା ଦୃଶ୍ୟମାନ ହେଉଛି। ଯାହାକି ଶରୀର ପାଇଁ କ୍ଷତିକାରକ ନୁହଁ। ବରଂ ଏଥିରେ ବସନ୍ତ ରୋଗ ଜୀବାଣୁ ପ୍ରତିରୋଧକ ଗୁଣ ରହିଥିବା ବୈଜ୍ଞାନିକ ମାନେ ମତ ପୋଷଣ କରିଛନ୍ତି। ପାଞ୍ଚ ରୁ ସାତ ବର୍ଷ ପୂର୍ବେ ଚୁଡ଼ି ରଙ୍ଗ, ୱାରନିଶ ପେଣ୍ଟ ପ୍ରଭୃତି ରଙ୍ଗ ଖେଳରେ ବ୍ୟବହାର କରୁଥିଲେ ଯୁବପିଢୀ। ଫଳରେ ଯେତେ ସଫା କଲେ ମଧ୍ଯ ସପ୍ତାହକ ପୁର୍ବରୁ ଦେହରୁ ରଙ୍ଗ ଛାଡ଼ୁନଥିଲା ଏବଂ ମାରାତ୍ମକ କ୍ୟାମିକାଲ ରଙ୍ଗ ବ୍ୟବହାର ଫଳରେ ମୁହଁ, ହାତ, ଗୋଡ ର ଚମଡା ସିଝିଗଲା ଭଳି କଳା ପଡ଼ିଯିବା ସହ ବିଭିନ୍ନ ଚର୍ମ ରୋଗ ହେଉଥିଲା। ଯାହାବି ହେଉ ନର୍ଲା ଅଞ୍ଚଳରେ ଏ ସବୁ ଏବେ ବନ୍ଦ ହୋଇଯାଇଛି। ହେଲେ ହୋଲି ଖେଳରେ ମଦ୍ୟପାନ ଯୁବ ପିଢିଙ୍କ ଟ୍ରେଣ୍ଡ ବନି ଯାଇଥିବାରୁ ଅନେକ ସ୍ଥାନରେ ଝାମେଲା ଓ ଝଗଡ଼ା ମାନ ହୋଇ ଥାନାର ଦ୍ୱାରସ୍ଥ ହେଉଥିବା ଦୃଶ୍ୟମାନ ହେଉଛି। ଏଥିପାଇଁ ଇଚ୍ଛା ଥିଲେ ମଧ୍ଯ ଭଦ୍ର ବ୍ୟକ୍ତି ଓ ମହିଳା ମାନେ ହୋଲି ଖେଳିବା ପାଇଁ ଆଗଭଳି ଆଉ ପଦାକୁ ବାହାରୁ ନାହାନ୍ତି। ଏହାକୁ ବୁଦ୍ଧିଜୀବୀ ମହଲରେ ଦୁର୍ଭାଗ୍ୟ ଜନକ ବୋଲି ମତ ପ୍ରକାଶ ପାଉଛି। ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଅବସରରେ ଶାନ୍ତପୁର, ଦାଦପୁର ଭଳି ଅନେକ ସ୍ଥାନରେ ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଜି ସକାଳେ ନାମ ଛଡିବା ସହ ନଗର ସଙ୍କୀର୍ତ୍ତନ ମାଧ୍ଯମରେ ଦଧି ହାଣ୍ଡି ବୁଲାଇ ହୋଲି ଖେଳିଥିଲେ।




