କଷ୍ଟଦାୟକ ରୋଗ ଅଶ୍ମରୀ ବା କିଡନୀ ଷ୍ଟୋନ:  କାରଣ, ଲକ୍ଷଣ ଓ ଆୟୁର୍ବେଦିକ ଉପଚାର -ଏକ ଆଲୋଚନା

ଅଶ୍ମରୀ (କିଡନୀ ଷ୍ଟୋନ୍) : ଅଶ୍ମରୀ ବା କିଡନୀ ଷ୍ଟୋନ୍ ଆଜିକାଲି ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାର ରୂପ ନେଇଛି। ଏକ ସର୍ଭେ ଅନୁସାରେ, ସମଗ୍ର ବିଶ୍ୱର ପ୍ରାୟ ୧୨% ଜନସଂଖ୍ୟା କିଡନୀ ଷ୍ଟୋନ୍ ରୋଗ ଦ୍ୱାରା ପ୍ରଭାବିତ। ଭାରତରେ ମଧ୍ୟ ସମାନ ଭାବେ ପ୍ରାୟ ୧୨% ଲୋକ ପରିସ୍ରା ପଥରୀ ସମସ୍ୟା ପାଇଁ ଅଧିକ ପ୍ରବଣ। ବିଶେଷ କରି ଭାରତର ଗରମ ଏବଂ ଶୁଷ୍କ ଜଳବାୟୁ ଯୋଗୁଁ ଲୋକମାନେ ଅଧିକ ଜଳ ଅଭାବ (ଡିହାଈଡ୍ରେସନ) ର ଶିକାର ହୁଅନ୍ତି, ଯାହା ଏହି ରୋଗର ମୁଖ୍ୟ କାରଣ।

ଏହି ରୋଗରେ ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଶିକାର ହୋଇଥାନ୍ତି। ଏହି ସମସ୍ୟା ସର୍ବାଧିକ ୫୧ ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତିଙ୍କଠାରେ  ଦେଖାଯାଏ। କିଡନୀ ଷ୍ଟୋନ୍, ଯାହାକୁ ଚିକିତ୍ସା ବିଜ୍ଞାନ ଭାଷାରେ ‘ରେନାଲ୍ କାଲକୁଲି’  ଏବଂ ଆୟୁର୍ବେଦରେ ‘ଅଶ୍ମରୀ’ କୁହାଯାଏ, ଏହା ପରିସ୍ରାରେ ଥିବା ଖଣିଜ ଲବଣ ଏବଂ ଲୁଣ ଦ୍ୱାରା ନିର୍ମିତ ଏକ ଶକ୍ତ ବସ୍ତୁ। ଏହା ଶରୀରର ମୂତ୍ର ପ୍ରଣାଳୀର ଯେକୌଣସି ଅଙ୍ଗରେ, କିଡନୀଠାରୁ ଆରମ୍ଭ କରି ମୂତ୍ରାଶୟ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରେ। 

ଆୟୁର୍ବେଦରେ ଅଶ୍ମରୀକୁ ଅତ୍ୟନ୍ତ ଭୟଙ୍କର ଏବଂ ମୃତ୍ୟୁର ଦେବତା ‘ଅନ୍ତକ’ ସଦୃଶ କୁହାଯାଇଛି। ରୋଗର କାରଣ ଓ ସୃଷ୍ଟି ପ୍ରକ୍ରିୟା : ଆଧୁନିକ ମତ: ଯେତେବେଳେ ପରିସ୍ରାରେ ଜଳୀୟ ଅଂଶ କମ୍ ରହେ, ସେତେବେଳେ କ୍ୟାଲସିୟମ ଅକ୍ସାଲେଟ୍, କ୍ୟାଲସିୟମ ଫସଫେଟ୍ ଏବଂ ୟୁରିକ୍ ଏସିଡ୍ ଭଳି ପଦାର୍ଥଗୁଡ଼ିକ ଘନୀଭୂତ ହୋଇ ସ୍ଫଟିକ (କ୍ରିଷ୍ଟାଳ) ସୃଷ୍ଟି କରନ୍ତି। ପରିସ୍ରାରେ କ୍ୟାଲସିୟମ ଅକ୍ସାଲେଟ୍, ୟୁରିକ୍ ଏସିଡ୍ ଭଳି ପଦାର୍ଥର ମାତ୍ରା ବୃଦ୍ଧି ପାଇଲେ ଏବଂ ତାକୁ ତରଳ କରିବା ପାଇଁ ପର୍ଯ୍ୟାପ୍ତ ଜଳ ନଥିଲେ ଷ୍ଟୋନ୍ ସୃଷ୍ଟି ହୁଏ। ଆୟୁର୍ବେଦୀୟ ମତ : ଶରୀରର ନିୟମିତ ଶୋଧନ ବା ସଫେଇ କରୁନଥିବା ଏବଂ ଅପଥ୍ୟ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କ ଶରୀରରେ କଫ  ପ୍ରକୁପିତ ହୋଇ ପରିସ୍ରା ସହିତ ମୂତ୍ରାଶୟରେ ପହଞ୍ଚେ ଏବଂ ଅଶ୍ମରୀ ରୂପ ନିଏ। ସୁଶ୍ରୁତ ଏହାକୁ ଏକ ନୂଆ ମାଠିଆ ସହିତ ତୁଳନା କରିଛନ୍ତି, ଯେଉଁଥିରେ ସଫା ପାଣି ରଖିଲେ ମଧ୍ୟ ସମୟକ୍ରମେ ତଳେ ଗାଦ ବା ପଙ୍କ ଜମିଯାଏ ଠିକ୍ ସେହିପରି ପ୍ରକୁପିତ କଫ ଅଶ୍ମରୀରେ ପରିଣତ ହୁଏ।

ଅଶ୍ମରୀର ପ୍ରକାରଭେଦ : ୧. କଫଜ (କ୍ୟାଲସିୟମ ଷ୍ଟୋନ୍/ଷ୍ଟ୍ରୁଭାଇଟ୍ ଷ୍ଟୋନ୍): ଏହା ଧଳା, ଚିକ୍କଣ ଏବଂ କୁକୁଡ଼ା ଅଣ୍ଡା ପରି ବଡ଼ ହୋଇଥାଏ। ୭୦% ରୋଗୀଙ୍କଠାରେ  ଅକ୍ସାଲେଟ୍ ଷ୍ଟୋନ୍ ଦେଖାଯାଏ। ୧୦% କ୍ଷେତ୍ରରେ ଷ୍ଟ୍ରୁଭାଇଟ୍ ଷ୍ଟୋନ୍ ଦେଖାଯାଏ। ୨. ପିତ୍ତଜ (ୟୁରିକ୍ ଏସିଡ୍ ଷ୍ଟୋନ୍): ଏହା ଲାଲ୍, ହଳଦିଆ ବା କଳା ହୋଇଥାଏ ଏବଂ ମୂତ୍ରାଶୟରେ ଜଳାପୋଡ଼ା ସୃଷ୍ଟି କରେ। ୨୦% କ୍ଷେତ୍ରରେ ୟୁରିକ୍ ଏସିଡ୍ ଷ୍ଟୋନ୍ ଦେଖାଯାଏ। ୩. ବାତଜ: ଏହା କଳା, ଖସଖସିଆ ଏବଂ କଦମ୍ବ ଫୁଲ ପରି କଣ୍ଟାଯୁକ୍ତ ହୋଇଥାଏ। ୪. ଶୁକ୍ରାଶ୍ମରୀ: ଏହା ଶୁକ୍ର ଅବରୋଧ ଯୋଗୁଁ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖାଯାଏ। ଷ୍ଟୋନ୍ ର ଆକାର ସାଧାରଣତଃ ୧ ମିଲିମିଟରରୁ ୨୦ ମିଲିମିଟର ପର୍ଯ୍ୟନ୍ତ ହୋଇଥାଏ, କିନ୍ତୁ ପ୍ରାୟ ୧୩% ରୋଗୀଙ୍କ କ୍ଷେତ୍ରରେ ଏହା ୨୦ ମିଲିମିଟରରୁ ଅଧିକ ବଡ଼ ହୋଇଥାଏ।

ଲକ୍ଷଣ : ପେଟର ତଳ ଅଂଶ, ପିଠି କିମ୍ବା କତି ଅଞ୍ଚଳରେ ତୀବ୍ର ଯନ୍ତ୍ରଣା, ଯାହା ଜଙ୍ଘ ପର୍ଯ୍ୟନ୍ତ ବ୍ୟାପିଥାଏ। ପରିସ୍ରା କଲାବେଳେ ପୋଡ଼ାଜଳା ଏବଂ ପରିସ୍ରାରେ ରକ୍ତ (ଗୋଲାପୀ, ନାଲି ବା ବାଦାମୀ ରଙ୍ଗ) ଆସିବା। ପରିସ୍ରାରୁ ଛେଳି ଗନ୍ଧ  ଆସିବା ଏବଂ ପରିସ୍ରା ଅସ୍ୱଚ୍ଛ ହେବା। ବାନ୍ତି, ଜ୍ୱର ଏବଂ ଥଣ୍ଡା ଲାଗିବା।

ଚିକିତ୍ସା : ଔଷଧ:  ଆୟୁର୍ବେଦରେ ପାଷାଣଭେଦାଦି, କୁଶାଦି ଏବଂ ବରୁଣକାଦି ଘୃତର ବ୍ୟବହାର କରାଯାଏ। ପୁନରାବୃତ୍ତି ଏବଂ ଜଟିଳତା: ଥରେ ପଥର ହେଲେ ତାହା ପୁଣି ହେବାର ଆଶଙ୍କା  ଅତ୍ୟଧିକ ଥାଏ। ଯଦି ଏହାର ସଠିକ୍ ଚିକିତ୍ସା କରା ନଯାଏ, ତେବେ ଏହା କ୍ରୋନିକ୍ କିଡନୀ ରୋଗ (CKD) ସୃଷ୍ଟି କରିପାରେ। ଶଲ୍ୟ ଚିକିତ୍ସା : ଯଦି ଔଷଧ ଦ୍ୱାରା ପଥର ଭଲ ନହୁଏ, ତେବେ ଅପରେସନ୍ ବା ‘ଛେଦନ ବିଧି’ ହିଁ ଶେଷ ରାସ୍ତା। ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବାରୁ ଦକ୍ଷ ଶଲ୍ୟ ଚିକିତ୍ସକଙ୍କ ଦ୍ୱାରା ଏହା କରାଯିବା ଉଚିତ୍।

ବିପଦର କାରଣ : ଜଳପାନ: ପ୍ରାୟ ୮୮% ରୋଗୀ ଦିନକୁ ୨ ଲିଟରରୁ କମ୍ ପାଣି ପିଇଥାନ୍ତି। ଜୀବନଶୈଳୀ: ଷ୍ଟୋନ୍ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ  ମଦ୍ୟପାନ କରୁଥିବା  ବ୍ୟକ୍ତି ଓ ସ୍ଥୂଳତା  ବା ଅଧିକ ଓଜନର ସମସ୍ୟା ଭୋଗୁଥାନ୍ତି। ଅନ୍ୟାନ୍ୟ ରୋଗ: ଷ୍ଟୋନ୍  ରୋଗୀଙ୍କ ମଧ୍ୟରୁ ପ୍ରାୟ  ବ୍ୟକ୍ତିଙ୍କର ଉଭୟ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ରହିଥାଏ।

ପ୍ରତିଷେଧକ ବ୍ୟବସ୍ଥା ଓ ଜୀବନଶୈଳୀ : ୧. ଜଳପାନ: ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯେପରି ଦିନକୁ ଅତିକମରେ ୨ ଲିଟର ପରିସ୍ରା ହେବ। ୨. ଖାଦ୍ୟ ବାରଣ: ଅଧିକ ଲୁଣ, ଚିନି ଏବଂ ପ୍ରାଣୀଜ ପ୍ରୋଟିନ୍ (ମାଂସ, ଅଣ୍ଡା) କମ୍ ଖାଆନ୍ତୁ। ଅକ୍ସାଲେଟ୍ ଯୁକ୍ତ ଖାଦ୍ୟ ଯଥା ପାଳଙ୍ଗ ଶାଗ, ବିଟ୍, ବାଦାମ ଏବଂ ଚକୋଲେଟ୍ ସୀମିତ ପରିମାଣରେ ଗ୍ରହଣ କରନ୍ତୁ। ୩. ଅନ୍ୟାନ୍ୟ: ଦିନରେ ଶୋଇବା ବନ୍ଦ କରନ୍ତୁ ଏବଂ ଅଧିକ ମିଠା ବା ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଅପରେସନ୍ ହୋଇଥିବା ରୋଗୀମାନେ ଏକ ବର୍ଷ ପର୍ଯ୍ୟନ୍ତ ଘୋଡ଼ା ଚଢ଼ିବା, ପାହାଡ଼ ଚଢ଼ିବା ଏବଂ ଭାରି କାମରୁ ନିବୃତ୍ତ ରହିବା ଉଚିତ୍।

ଅଶ୍ମରୀ ଏକ କଷ୍ଟଦାୟକ ରୋଗ ହୋଇଥିଲେ ମଧ୍ୟ ସଠିକ୍ ସମୟରେ ଚିକିତ୍ସା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ଏହାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯାଇପାରିବ। ଯଦି ପରିସ୍ରାରେ କୌଣସି ଅସ୍ୱାଭାବିକତା ଦେଖାଦିଏ, ତେବେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ପର୍ଯ୍ୟାପ୍ତ ପାଣି ପିଇବା, ଓଜନ ନିୟନ୍ତ୍ରଣ କରିବା ଏବଂ ମଦ୍ୟପାନରୁ ଦୂରେଇ ରହିବା ଦ୍ୱାରା ଅଶ୍ମରୀ ରୋଗର ବିପଦକୁ ଯଥେଷ୍ଟ କମ୍ କରାଯାଇପାରିବ। ତେଣୁ ପ୍ରାଥମିକ ଲକ୍ଷଣ ଦେଖାଦେବା ମାତ୍ରେ ଜଣେ ବିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ମନେରଖନ୍ତୁ, ଏକ ସନ୍ତୁଳିତ ଜୀବନଶୈଳୀ ହିଁ ସୁସ୍ଥ ରହିବାର ମୂଳମନ୍ତ୍ର।

ଡା. ବେଦ ପ୍ରକାଶ ବଗର୍ତ୍ତୀ

ବି.ଏ.ଏମ୍.ଏସ୍ (ସମ୍ବଳପୁର ବିଶ୍ବବିଦ୍ଯାଳୟ)

ମୋ: ୯୬୬୮୮୨୩୪୮୧

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.