ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗୁରୁବାରଠାରୁ ଆରମ୍ଭ ହେବ ଘର ଘର ବୁଲି ଜନଗଣନା। ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ମାସେ ବ୍ୟାପି ଜନଗଣନା ଚାଲିବ। ପ୍ରଥମ ୩ ଦିନ ଘର ନମ୍ଵରିଂ କରାଯିବ। ଏଥିପାଇଁ ଗତ ମାସରେ ନର୍ଲା ଏନଏସିର ନାର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ଓ ବ୍ଲକ ସ୍ତରୀୟ ନର୍ଲା ନୋଡାଲ ହାଇସ୍କୁଲରେ ଜନ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ତାଲିମ ଦିଆ ଯାଇଥିଲା। କାର୍ଯ୍ଯ ଆରମ୍ଭ ପାଇଁ ଚାର୍ଜ ଅଫିସର ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏଥିପାଇଁ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଚାର୍ଜ ଅଫିସର ତଥା ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପଙ୍କ ନେତୃତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ବିଡିଓ ଦେବେନ୍ଦ୍ର କୁମାର ସାମଲ, ଡିଲିଂ ଆସିଷ୍ଟାଣ୍ଟ କ୍ଷିରୋଦ ମାଝୀ ପ୍ରମୁଖ ମଞ୍ଚାସୀନ ହୋଇ ଏନଏସି ସ୍ତରରେ କମ କରୁଥିବା ୩୪ଜଣ ଜନଗଣନାକାରୀ ଓ ପର୍ଯ୍ୟବେକ୍ଷକ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପ୍ରତି ୧୦ ବର୍ଷରେ ଥରେ ଜନଗଣନା ହୋଇଥାଏ। ଗତ ୨୦୧୧ ରେ ଜନ ଗଣନା ଅନୁଷ୍ଠିତ ହୋଇଥିଲା। ୨୦୨୧ରେ ପୁଣିଥରେ ଜନ ଗଣନା ହେବା କଥା। ହେଲେ ମହାମାରୀ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ୨୦୨୭ରେ ଆରମ୍ଭ ହେଉଛି ଜନଗଣନା। ପ୍ରଥମ ପର୍ଯ୍ୟାୟ ୧୬ ଅପ୍ରେଲ ୨୦୨୬ ରୁ ୧୫ ମଇ ୨୦୨୬ ଯାଏଁ ଗୃହ ଗଣନା କରାଯିବ। ହେଲେ ଚଳିତ ଜନଗଣନା ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ମାଧ୍ଯମରେ ହେବ। ସୂଚନାନୁଯାୟୀ, ଜନଗଣନାକାରୀମାନେ ନିଜ ନିଜ ମୋବାଇଲରେ ଏଚଏଲଭି ଆପ ଡାଉନଲୋଡ କରିଛନ୍ତି। ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଲୋଡ୍ କରିବେ। ଜନଗଣନା କରିବାକୁ ଗଲାବେଳେ ସାଥିରେ ଆଇ କାର୍ଡ ଏବଂ ନିଯୁକ୍ତି ପତ୍ର ନେବେ। ଲୋକଙ୍କୁ କୌଣସି ଡକ୍ୟୁମେଣ୍ଟ ଭେରିଫିକେସନ କିମ୍ବା ପ୍ରୁଫ ଦେବାକୁ ପଡିବ ନାହିଁ। କେବଳ ଯାହା ୩୩ଟି ପ୍ରଶ୍ନର ଉତ୍ତର କହିବେ। ଏହି ଜନଗଣନାରେ ଜନସାଧାରଣ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ନର୍ଲା ଏନଏସି ଜନଗଣନା ଚାର୍ଜ ଅଧିକାରୀ ଶ୍ରୀ ଦୀପ।





