ରବିଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ୍ ପ୍ରସଙ୍ଗରେ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରୀ ପଞ୍ଜିକରଣରୁ ବାଦ୍ ପଡ଼ିଛନ୍ତି। ଚାଷୀଙ୍କ ଅନେକ ଥର ଦାବିପତ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ। ଏନେଇ ଗୁରୁବାର ପୁଣିଥରେ କୋକସରା ବ୍ଲକ କୃଷକ ସଚେତନତା ମଞ୍ଚ ତରଫରୁ ଚାଷୀମାନେ ଏକତ୍ରିତ ହୋଇ ବ୍ଲକ ସଦର ମହକୁମା ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରି ସରକାର ଯଦି ଦାବି ନ ସୁଣିଲେ ଆଗାମୀ ଦିନ ତିବ୍ର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ମେଗା ଉଠାଜଳସେଚନ ମାଧ୍ୟମରେ ପାଣି ଯୋଗାଣ ହେବା ପରେ ଚାଷୀମାନେ ଧାର କରଜ ଓ ବ୍ୟାଙ୍କ, ସମବାୟ ଋଣ କରି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀମାନେ ଅନଲାଇନ୍ ନିମନ୍ତେ ଦୌଡି ଥିଲେ ମଧ୍ୟ ଉଠାଜଳସେଚନ ବିକଳ୍ପ ଆସି ନଥିବାରୁ ଅଞ୍ଚଳର ଶହ ଶହ ଚାଷୀ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଛନ୍ତି। ଯାହା ଫଳରେ ଚାଷୀମାନେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ଏକ ପ୍ରକାର ବଞ୍ଚିତ ହୋଇଛନ୍ତି। ଏଣୁ ଧାନ ବିକ୍ରି ନିମନ୍ତେ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବୈଠକରେ ଉପସ୍ଥିତ ଚାଷୀମାନଙ୍କ ଆଲୋଚନା ଓ ମତାମତ ଅନୁସାରେ ଅସନ୍ତା ୨୨ ତାରିଖରେ କୋକସରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ଦିଆଯିବା ନେଇ ନିଷ୍ପତ୍ତି ହୋଇଛି। ଏବଂ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଷୀମାନେ ଦିନକ ପାଇଁ ଧାରଣା ଦେବାପାଇଁ ସ୍ଥିର ହୋଇଥିବାବେଳେ ଆଗାମୀ ଦିନରେ ଯଦି ଦାବି ନ ଶୁଣିଲେ ଚାଷୀମାନେ ସରକାର ବିରୋଧରେ ଜନସ୍ବାସ୍ଥ୍ୟ ମାମଲା ଦାୟର କରିବା ପାଇଁ କଡ଼ା ଚେତାବନୀ ଦେଇଛନ୍ତି। ଆଜିର ବୈଠକରେ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ, ଗୋବର୍ଦ୍ଧନ ବାଗ, ମୀନକେତନ ପ୍ରଧାନୀ, ଧନେଶ୍ଵର ପ୍ରଧାନୀ, ଦୁର୍ଗା ଚିନ୍ଦା, ଉମେଶ ପ୍ରଧାନୀ, ବିନୋଦ ନାଏକ, ଲଲାଟେନ୍ଦୁ ପ୍ରଧାନୀ, ପିତାମ୍ବର ପଟ୍ଟନାୟକ, ଭାବଗ୍ରାହୀ ପ୍ରଧାନୀ, ନିମାଇଁ ଚରଣ ଧାଙ୍ଗଡା ମାଝି ସମେତ କୋକସରା ଅଞ୍ଚଳର ଚାଷୀମାନେ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.