ସ୍ପୋର୍ଟ କ୍ଲାଇମିଙ୍ଗ ଲେଭେଲ ୧ ପ୍ରଶିକ୍ଷଣ ପାଇଁ ଓଡିଶାର ପ୍ରଥମ ଗୃପର ନୂଆଦିଲ୍ଲୀ ଯାତ୍ରା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡିର ଖ୍ୟାତିସମ୍ପନ୍ନ ଆନ୍ତର୍ଜାତିକ ପର୍ବତାରୋହୀ ତଥା ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ ଏବଂ ଜାତୀୟସ୍ତରର ବରିଷ୍ଠ ପ୍ରଶିକ୍ଷକ ପର୍ବତାରୋହୀ ରୋମାଞ୍ଚଳ ଭୋଇଙ୍କ ନେତୃତ୍ବରେ ମଙ୍ଗଳବାର ୧୪ ଜଣିଆ ଦୁଃସାହସିକ କ୍ରୀଡାବିତ କେସିଙ୍ଗାରୁ ସମତା ଟ୍ରେନ ଯୋଗେ ନୂଆଦିଲ୍ଲୀ ଯାତ୍ରା କରିଛନ୍ତି। ସମସ୍ତେ ଭାରତୀୟ ପର୍ବତାରୋହଣ ସଂସ୍ଥାନ ନୂଆଦିଲ୍ଲୀ ପରିସରରେ ସ୍ପୋର୍ଟ କ୍ଲାଇମିଙ୍ଗ ଲେଭେଲ ୧ ପ୍ରଶିକ୍ଷଣ ନେବେ, ଯାହାକି ଏହା ହେଉଛି ଓଡିଶା ରାଜ୍ଯର ପ୍ରଥମ ଗୃପ। ଏହି ଦଳରେ କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ଡୁଙ୍ଗୁରୀଗୁଡାର ବିକାଶ ଗହୀର, ରିଷିଡାର ତନୁଶ୍ରୀ ସାହୁ, ନର୍ଲା ବ୍ଳକ ଅନ୍ତର୍ଗତ ରାଣୀପଟାର ନୀହାରିକା ବୁଧିଆ, ଅସୁରଗଡର ପ୍ରିୟଙ୍କା ପୁଟେଲ, ବାଲିପଡାର ଅଜୟ ମାଝୀ, ରୁପ୍ରାର ରାଜ ମାଝୀ, ଲାଞ୍ଜିଗଡ଼ ବ୍ଳକ ଅନ୍ତର୍ଗତ ସିରିଗାଁର ପ୍ରତିମା ପାତ୍ର, ମ.ରାମପୁର ବ୍ଳକ ଅନ୍ତର୍ଗତ ଝାଲିଆଗୁବାର ପୂଜା ଭୋଇ, ନୁନପୁରର ସସ୍ମିତା ରଣା, କବିଚନ୍ଦ୍ରପୁରର ରଞ୍ଜୁ ରଣା, ଡୁମେରଗୁଡାର ସରିତା ଦୀପ, ମୋହନଗିରିର ଜନନୀ ବିଶି ଥିବାବେଳେ ଅଫିସିଆଲ ତଥା ପ୍ରଶିକ୍ଷଣ ପାଇଁ କେସିଙ୍ଗାର ପର୍ବତାରୋହୀ ହରିଶ ବଗର୍ତ୍ତି, ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲର ଦ୍ବିତୀୟବର୍ଷର ବିଜ୍ଞାନ ଛାତ୍ର ପ୍ରଜ୍ଞାନନ୍ଦ ଛତର ଏହି ପ୍ରଶିକ୍ଷଣ ଗୃପରେ ପ୍ରଥମଥର ଲାଗି ସାମିଲ ହୋଇଛନ୍ତି। ଏଥିପାଇଁ ଦୁଃସାହସିକ କ୍ରୀଡାବିତମାନେ ନିଜସ୍ବ ଉଦ୍ୟମରେ ୧୫,୦୦୦ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହାକି ଏଭେରେଷ୍ଟ ଆରୋହୀ ଶ୍ରୀ ଭୋଇ ନେତୃତ୍ବ ନେଇ ଅନ୍ଯାନ୍ଯ ଆନୁଷଙ୍ଗିକ ବ୍ଯବସ୍ଥା କରିବା ସହିତ କେମିତି ଦୁଃସାହସିକ କ୍ରୀଡାବିତ ଛାତ୍ରଛାତ୍ରୀଗଣ ତାଙ୍କର ଏହି ଅର୍ଥ ରାଶି ପାଇ ପାରିବେ ସେହି ଦିଗରେ ସଂପୂର୍ଣ୍ଣ ପ୍ରୟାସ କରୁଛନ୍ତି। ଓଡ଼ିଶାର ପ୍ରଥମ ଗୃପ ଭାବରେ ସଫଳତାର ସହିତ ପ୍ରଶିକ୍ଷଣ ନେଇ କଳାହାଣ୍ଡି ଜିଲ୍ଲା ସ୍ପୋର୍ଟ କ୍ଲାଇମିଙ୍ଗ କ୍ଷେତ୍ରରେ ଗର୍ବ ଓ ଗୌରବ ଅର୍ଜନ କରିବ ବୋଲି ପ୍ରକାଶ କରିଛନ୍ତି। ତତ ସଙ୍ଗେ ଆଗାମୀ ଦିନରେ ଜାତୀୟସ୍ତରରେ ତଥା ଆନ୍ତର୍ଜାତିକ ସ୍ତରରେ ଏହି ଦୁଃସାହସିକ କ୍ରୀଡାବିତ ମାନଙ୍କୁ ପହଞ୍ଚାଇବା ଲକ୍ଷ୍ଯ ବୋଲି ଶ୍ରୀ ଭୋଇ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ସାହାଯ୍ଯ ସହଯୋଗ ଲୋଡିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.