ପି ପୋର୍ଟାଲରେ ପାତର ଅନ୍ତର: ମେଗାଲିଫ୍ଟ ଚାଷୀଙ୍କୁ ଧାନବିକ୍ରି ପାଇଁ ପଞ୍ଜିକରଣ ମନା: ମେ ଆଠ ତାରିଖରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଚାଷୀଙ୍କ ଆନ୍ଦୋଳନର ରଣହୁଙ୍କାର 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆମର ନା ଚାକିରୀ ଅଛି ନା ବ୍ୟବସାୟ, ଆମେ କେବଳ ଧାନ ଚାଷରେ ପିଲା ଛୁଆଙ୍କ ପାଠ ପଢା ସହ, ବିବାହ ବ୍ରତ, କୃଷି ସାମଗ୍ରୀ, ଖତ ସାର କୀଟ ନାଶକ କିଣିବାର ଅନେକ ଖର୍ଚ୍ଚ l ଆମେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଧାର କରଜ କରି ଚାଷ କରୁଛୁ l ଏ ଯାଏଁ ପଞ୍ଜିକରଣ ହେଇପାରିନାହଁ, କେମିତି ଧାନ ବିକିବୁ ଓ ଋଣ ସୁଝିବୁ l ସରକାର ର ଏ ପାତର ଅନ୍ତର ନୀତି ଆମକୁ କୋଡିଏ ବର୍ଷ ତଳକୁ ନେଇଯିବ, ଆଉ ଅଣ୍ଟା ସଳଖିବାର ରାସ୍ତା ନାହିଁ l ଏମିତି କିଛି କହି କ୍ଷୋଭ ପ୍ରକାଶ କରି କହିଛନ୍ତି କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ମାଧ୍ୟମରେ ଚାଷ କରୁଥିବା ଚାଷୀ l ସୂଚନାଯୋଗ୍ୟ ଯେ ମେଗା ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ଚାଷ କରିଥିବା କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ଚାଷୀ ଚଳିତ ବର୍ଷ ରବି ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ିଛନ୍ତି। ପ୍ରାୟ ୧୨ ହଜାରରୁ ଉର୍ଦ୍ଧ ଚାଷୀ ବର୍ତ୍ତମାନ ଧାନ ବିକିବା ନେଇ ଅନିଶ୍ଚିତତା ମଧ୍ୟରେ ରହିଥିବାବେଳେ ଉକ୍ତ ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏପଟେ କୋକସରା ବ୍ଳକ କୃଷକ ସଚେତନ ମଞ୍ଚ ଧାନ ବିକ୍ରି ପଞ୍ଜୀକରଣ ନହେଲେ ଆସନ୍ତା ୪ ତାରିଖରେ ଜନସ୍ୱାର୍ଥ ମାମଲା ଦାୟର କରିବାକୁ ପ୍ରସ୍ତୁତି କରି ସାରିଥିବାବେଳେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ କୃଷକ ସଂଘ, କଳାହାଣ୍ଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ୭ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନ ଆସେ ତେବେ ମେ’ ୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି।

    ସୂଚନା ଅନୁସାରେ, ଚଳିତ ବର୍ଷ କୋକସରା, ଜୟପାଟଣା ଓ ଧର୍ମଗଡ଼ ବ୍ଳକ ଅଞ୍ଚଳ ପାଇଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ରୁ ୧୮୮୫୫ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଡ଼ିସେମ୍ବର ୩୧ ତାରିଖରେ ଅନୁଷ୍ଠିତ ଡିଏଲସି ବୈଠକରେ ଇନ୍ଦ୍ରାବତୀର ସ୍ୱାଭାବିକ ଜଳସେଚନରେ ୫୭.୫୭୪ ହେକ୍ଟର ଓ ମେଗାଲିଫ୍ଟ କେନାଲ ରୁ ୧୮୮୫୫ ହେକ୍ଟର ଜମିରେ ରବି ଜଳସେଚନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଅନୁମତି ମିଳିବା ପରେ ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ଚାଷ ମଧ୍ୟ ଠିକ ହୋଇଥିବାବେଳେ ଧାନ ପଞ୍ଜିକରଣ ସମୟରେ ସରକାରଙ୍କ ମେଗାଲିଫ୍ଟ ଅଞ୍ଚଳର ଚଷୀଙ୍କ ପ୍ରତି ପାତରଅନ୍ତର ନୀତି ଏବେ ଚାଷୀଙ୍କ ନିଦ ହଜେଇ ଦେଇଛି। ମାର୍ଚ୍ଚ ମାସ ୨୫ ତାରିଖ ରୁ ପଞ୍ଜିକରଣ ଅବଧି ସାରି ଯାଇଥିବାବେଳେ ଇନ୍ଦ୍ରାବତୀ ବାମ ଓ ଦକ୍ଷିଣ କେନାଲ ଅଞ୍ଚଳର ଚାଷୀ ପାଞ୍ଜିକରଣ କରିଥଲେ ହେଁ ମେଗାଲିଫ୍ଟ ଅଞ୍ଚଳର ଚାଷୀ ଏଥିରୁ ବଞ୍ଚିତ ହୋଇଛନ୍ତି। ପ୍ରାୟ ୧୨ ହଜାରରୁ ଉର୍ଦ୍ଧ ଚାଷୀ ବର୍ତ୍ତମାନ ଧାନ ବିକିବା ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଏହାକୁ ନେଇ ଧର୍ମଗଡ଼, ଲାଞ୍ଜିଗଡ଼ ଓ ଜୁନାଗଡ଼ ବିଧାୟକ ସରକାରୀ ସ୍ତରରେ ଉଦ୍ୟମ କରୁଥିବାବେଳେ କୋକସରା ବ୍ଲକ ଉପାଧ୍ୟକଙ୍କ ନେତୃତ୍ୱରେ ଏକ ଚାଷୀ ପ୍ରତିନିଧି ଦଳ ଯୋଗାଣ ମନ୍ତ୍ରୀ, ବିଭାଗୀୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଦାବିପତ୍ର ଦେଇଛନ୍ତି। ଏହାରି ମଧ୍ୟରେ କୋକସରା କୃଷକ ସଚେତନ ମଞ୍ଚ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମେଗାଲିଫ୍ଟ କେନାଲ ଅଞ୍ଚଳରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର କୋକସରା ବ୍ଳକରେ ୪୧ଟି ଗ୍ରାମର ୯୮୩୨ ହେକ୍ଟର ଓ ଧର୍ମଗଡ଼ ବ୍ଲକର ୧୩ ଗୋଟି ଗ୍ରାମର ୨୩୩୪ ହେକ୍ଟର, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ୬୬୭୧ ହେକ୍ଟର ଓ ଜୁନାଗଡ ନିର୍ବାଚନ ମଣ୍ଡଳୀର ଗୋଟିଏ ଗ୍ରାମର ୧୭.୩୪ ହେକ୍ଟର ଅଞ୍ଚଳର ପ୍ରାୟ ୧୨ ହଜାର ଚାଷୀ ପ୍ରଭାବିତ ହେବାକୁ ଥିବାବେଳେ ପ୍ରଭାବିତ ଅଞ୍ଚଳର ଚାଷିମାନେ ଆଶା ଓ ଆଶଙ୍କାରେ ରହିଛନ୍ତି। ଏନେଇ ଗତ ୨୪/୦୩/୨୦୨୬ ତାରିଖ ଦିନ ଲାଞ୍ଜିଗଡ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ପଞ୍ଜିକରଣ କରାଇବା ନିମନ୍ତେ ଲିଖିତ ଭାବେ ଜଣାଇ ଥିଲେ। ଯାହାର ପତ୍ର ସଂଖ୍ୟା (୩୮/ଏସି୭୭) ରହିଛି। ଏଣେ ଚଳିତ ବର୍ଷ ମେଗା ଉଠା ଜଳସେଚନ ଚାଷୀ ମାନଙ୍କ ଧାନ ବିକ୍ରି ନିମନ୍ତେ କୌଣସି ପଦକ୍ଷେପ ନଥିବା ଲାଞ୍ଜିଗଡ଼ ବିଧାୟକଙ୍କୁ ସରକାରଙ୍କ ପକ୍ଷରୁ ଚିଠିରେ ଉତ୍ତର ଆସିବା ପରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାପରେ ଚାଷୀ ସଂଗଠନ ଓ ଚାଷୀନେତା ଏକଜୁଟ ହେବାସହ ଚାଷୀ ମାନଙ୍କ ମତାମତ ପରେ ଅନେକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି। ମେ’ ୧ ତାରିଖରେ କୋକସରାଠାରେ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ କୃଷକ ସଂଘ, କଳାହାଣ୍ଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ୭ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନ ଆସେ ତେବେ ୮ ତାରିଖରୁ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେବା ସହିତ କୋକସରା, ଧର୍ମଗଡ଼ ଓ ଜୟପାଟଣା ବ୍ଳକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ’ ପୂର୍ବରୁ ମେଗା ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଏହି ଅଞ୍ଚଳର ଚାଷୀ ୨୦୨୩/୨୪ ମସିହାରେ ରବି ଋତୁରେ ଚାଷ କରି ଧାନ ବିକ୍ରି କରି ସାରିଛନ୍ତି। ତେବେ ରାଜ୍ୟରେ ସରକାର ପରିବର୍ତ୍ତନ ହେବାପରେ ୨୦୨୪/୨୫ ମସିହାରେ ବିଭାଗ ପକ୍ଷରୁ ବିଭିନ୍ନ କାରଣ ଦର୍ଶାଇ ମେଗା ଉଠାଜଳସେଚନ ପ୍ରକଳ୍ପରେ ପାଣି ଯୋଗାଣ ବନ୍ଦ କରିବା ଯୋଗୁଁ ସେତେବେଳେ ମଧ୍ୟ ଚାଷୀ କେନାଲ ପାଣି ଯୋଗାଣ ଦାବିରେ ମୋଟେର ଠାରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଚାଷୀ ଜାତୀୟ ରାଜପଥ ଅବରୋଧ କରିଥିଲା। ଚାଷୀଙ୍କ ଆନ୍ଦୋଳନ ସତ୍ତ୍ୱେ ସେତେବେଳେ ପାଣି ଯୋଗାଣ ନହେବା କରାଣରୁ ଚାଷୀ ଚାଷ କରି ନପାରି ଅନେକ କ୍ଷତି ସହିଥିଲେ। ଗତ ବର୍ଷର ବାରମ୍ବାର ଚାଷୀଙ୍କ ଦାବି ଯୋଗୁଁ ଚଳିତ ବର୍ଷ ମେଗା ଉଠାଜଳସେଚନ ପ୍ରକଳ୍ପରେ ପାଣି ଯୋଗାଣ ହେଲା। ଯାହା ଫଳରେ ବଞ୍ଚିତ ହୋଇଥିବା ଉକ୍ତ ଅଞ୍ଚଳର ଚାଷୀମାନେ ଚଳିତ ରବି ଋତୁରେ ଧାନ ଚାଷ କରି ପୂର୍ବ ବର୍ଷର ଭରଣ କରିବେ ବୋଲି ଆଶା ବାଦି ଥିଲେ। ଏଥିପାଇଁ ଚାଷୀ ବ୍ୟାଙ୍କ, ସମବାୟ ଓ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଟଙ୍କା ଆଣିବା ସହ ପାଖରେ ଯାହା ସଞ୍ଚୟ ଥିଲା ସେସବୁ କୁ ଲଗାଇ ଚାଷ କରିଛନ୍ତି। ଏଣେ ଚଳିତ ବର୍ଷ ଧାନ ବିକ୍ରି ପଞ୍ଜୀକରଣରୁ ଚାଷୀମାନେ ବଞ୍ଚିତ ହେବାପରେ ସେସବୁ ଆଶା ମଉଲି ଯାଇଥିବାବେଳେ ଅସନ୍ତୋଷ ବଢ଼ିବା ସହିତ ବିରାଟ ବଡ଼ ଆନ୍ଦୋଳନର ଦାନା ବାନ୍ଧିଲାଣି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.