ଯୋଗଦେଲେ କୁଲେଇର ପୂର୍ବତନ ସରପଞ୍ଚ, ପୂର୍ବତନ ସମିତିସଭ୍ୟାଙ୍କ ସମେତ ଶତାଧିକ କର୍ମକର୍ତ୍ତା
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ସରକାରୀ ବାସଭବନ ଠାରେ ରବିବାର ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲେଇ ପଞ୍ଚାୟତର ଏକ ଭବ୍ୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଶ୍ରୀ ତପନ ପ୍ରଧାନଙ୍କ ନେତୃତ୍ୱରେ କୁଲେଇର ପୂର୍ବତନ ସରପଞ୍ଚ ଶ୍ରୀମତୀ ବୈଦେହୀ ନାୟକ, ପୂର୍ବତନ ସମିତିସଭ୍ୟ ଶ୍ରୀ ଇନ୍ଦ୍ରମଣି ନାୟକ ଏବଂ ୯ ନମ୍ବର ୱାର୍ଡର ସଭ୍ୟା ରଞ୍ଜିତା ନାୟକଙ୍କ ସମେତ ଶତାଧିକ କର୍ମକର୍ତ୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝି ଓ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି।
ସମସ୍ତ ନେତୃତ୍ବ ଓ କାର୍ଯ୍ୟକର୍ତ୍ତାଙ୍କୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିବା ସହ ଏହି ମିଶ୍ରଣ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କୁଲେଇ ଗ୍ରା:ପର ପୂର୍ବତନ ସରପଞ୍ଚ ଶ୍ରୀ ହରିହର ସାହୁ, ପୂର୍ବତନ ସରପଞ୍ଚ ଶ୍ରୀ ପ୍ରସନ୍ନ ପ୍ରଧାନ, ପଞ୍ଚାୟତ ସଭାପତି ଶ୍ରୀ ମାଧବ ପ୍ରଧାନ, କାର୍ଯ୍ୟକର୍ତ୍ତା ଶ୍ରୀ ଗୋଲେଖ ବେହେରା, ଶ୍ରୀ ଅଜିତ ବେହେରା, ଶ୍ରୀ ସଞ୍ଜୟ ବେହେରା, ଶ୍ରୀ ହୃଷୀକେଶ ବିଶ୍ୱାଳ, ଶ୍ରୀ ଲଳିତ ମୋହନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।







