କଳାହାଣ୍ଡିର ଦଶମ A1 ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଚଳିତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ବୋର୍ଡ଼ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାରେ A1 ଗ୍ରେଡ ପାଇଥିବା ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ନେତୃତ୍ୱରେ ଟାଉନ୍ ହଲ୍ ଭବାନୀପାଟଣାଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସଭାପତିତ୍ବ କରିଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ହେମସାଗର ମହାନନ୍ଦ, ତପିମଣି ଜାନୀ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି କୃତୀ ଛାତ୍ରଛାତ୍ରୀ, ତାଙ୍କ ପିତାମାତା ଓ ପ୍ରଧାନଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। 

କଳାହାଣ୍ଡି ଜିଲ୍ଲାରେ ମାଟ୍ରିକ ପରୀକ୍ଷା ରେଜଲ୍ଟର ଗୁଣାତ୍ମକ ମାନ ବୃଦ୍ଧି ଓ A1 ଗ୍ରେଡ ସଂଖ୍ୟା ବୃଦ୍ଧି ନିମନ୍ତେ ନିଆଯାଇଥିବା ପଦକ୍ଷେପ ପ୍ରକାଶ କାର୍ଯ୍ୟକ୍ରମର ସଫଳତା ସ୍ୱରୂପ ଜିଲ୍ଲାରେ A1, A2, B1 ଓ B2 ଗ୍ରେଡରେ ରେକର୍ଡ ସଂଖ୍ୟାରେ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିବାରୁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ, ପିତାମାତାଙ୍କ କଠିନ ପରିଶ୍ରମ ଓ ସଫଳତା ପାଇଁ ସମସ୍ତ ଅତିଥି ସାଧୁବାଦ ଜ୍ଞାପନ କରିଥିଲେ। ଆଗାମୀ ଦିନରେ ଏହି ସଫଳତାର ଧାରା ଜାରୀ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ପ୍ରକାଶ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ କରିଥିବା ସମସ୍ତ ସାଧନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତଳବେଲଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକ ନୀଲାଞ୍ଚଳ ପାନଙ୍କ ନିର୍ଦ୍ଦେଶନାରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ତପିମଣି ଜାନୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟା ମନ୍ଦିର ସମେତ A1 ପାଇଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

କାର୍ଯ୍ୟକ୍ରମ ସଫଳ ଆୟୋଜନ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜିଲ୍ଲା ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ, ପଞ୍ଚସଖା ଶିକ୍ଷା ସେତୁ ଜିଲ୍ଲା ସଂଯୋଜକ ପ୍ରଶାନ୍ତ ନନ୍ଦ, ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ହରିଶ ଚନ୍ଦ୍ର ମୁଣ୍ଡ, ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ସୀତାକାନ୍ତ ଲହଜଲ ଓ ଆର୍ ଏଫ ଜିଲ୍ଲା ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ ସହଯୋଗ କରିଥିଲେ। ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ସହ ପ୍ରୀତି ଉପହାର ସ୍ବରୂପ ସମ୍ମାନ ଫଳକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ଲିଖିତ ଇଂରାଜୀ କବିତା ପୁସ୍ତକ ଲେସନ୍ସ ଫର୍ ଲାଇଫ୍ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.