ଘଣ୍ଟା ପ୍ରତି ଦର ୧୫୦୦ କୁ ବୃଦ୍ଧି, ବାହାର ରାଜ୍ୟର ମେସିନକୁ ବିରୋଧ
ଓଡ଼ିଆ ବାର୍ତ୍ତା/ ମଦନପୁର ରାମପୁର: ସ୍ଥାନୀୟ ଚୈତନ୍ୟ ଫିଲିଙ୍ଗ ଷ୍ଟେସନ ପ୍ରାଙ୍ଗଣରେ ମଦନପୁର ରାମପୁର ଜେସିବି ମାଲିକ ସଂଘର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ବରିଷ୍ଠ ସଦସ୍ୟ ରୋହିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ବୈଠକରେ ବ୍ଲକରର ବିଭିନ୍ନ ଅଞ୍ଚଳର ଜେସିବି ମାଲିକମାନେ ଉପସ୍ଥିତ ରହି ବର୍ତ୍ତମାନର ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବା ନେଇ ଗଭୀର ଚିନ୍ତା ପ୍ରକାଶ ପାଇଥିଲା। ବର୍ତ୍ତମାନ ଅନେକ ପେଟ୍ରୋଲ ପମ୍ପରେ ଡିଜେଲ ମିଳିବା କଷ୍ଟକର ହୋଇପଡୁଥିବା ବେଳେ ଡିଜେଲ ଦର ବୃଦ୍ଧି ଯୋଗୁଁ ଜେସିବି ଚଳାଇବା ଖର୍ଚ୍ଚ ମଧ୍ୟ ବହୁତ ବଢ଼ିଯାଇଛି। ଗୋଟିଏ ଘଣ୍ଟା ଜେସିବି କାମ ପାଇଁ ବର୍ତ୍ତମାନ ୧୦୦୦ ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିବା ବେଳେ ସେଥିରୁ ପ୍ରାୟ ୬୦୦ ଟଙ୍କା ଡିଜେଲ ଖର୍ଚ୍ଚରେ ଯାଉଛି। ଅବଶିଷ୍ଟ ଟଙ୍କାରେ ଗାଡ଼ିର ମେଣ୍ଟେନାନ୍ସ, ଡ୍ରାଇଭର ଓ ହେଲପରଙ୍କ ଦରମା, ଋଣ କିସ୍ତି ଓ ପରିବାର ଚଳାଇବା ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଅନ୍ୟପକ୍ଷରେ ରାଜସ୍ତାନରୁ ଆସି କିଛି ଜେସିବି ମାଲିକ କମ ଦରରେ କାମ କରୁଥିବାରୁ ସ୍ଥାନୀୟ ଜେସିବି ମାଲିକ ମାନେ ବଡ଼ ଧରଣର କ୍ଷତି ସହୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବୈଠକରେ ସ୍ଥାନୀୟ ମାଲିକଙ୍କ ବକେୟା ଶୀଘ୍ର ଆଦାୟ କରାଯିବାକୁ ଗୁରୁତ୍ୱ ଦିଆଯାଇଛି। ଆଲୋଚନା ପରେ ସଂଘ ପକ୍ଷରୁ ଜେସିବି କାମର ଘଣ୍ଟା ପିଛା ଭଡ଼ା ୧୫୦୦ ଟଙ୍କା କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ସଂଘର ନିଷ୍ପତ୍ତିକୁ ଅବମାନନା କରି କମ ଦରରେ କାମ କରୁଥିବା ଜେସିବି ମାଲିକଙ୍କ ବିରୋଧରେ ସଂଘ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି। ବୈଠକ ଶେଷରେ ସମସ୍ତ ସଦସ୍ୟ ଏକତାବଦ୍ଧ ହୋଇ ସଂଘର ନିୟମ ମାନି ଚାଲିବାକୁ ସଙ୍କଳ୍ପ ନେଇଥିଲେ।





