ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ତିନି ଦିନ ପୂର୍ବେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଘଟଣା ପରେ ସିମୁଳିଆ ଥାନା ପକ୍ଷରୁ ଶବଟିକୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଫ୍ରିଜରରେ ରଖା ଯାଇଥିଲା। ତେବେ ଗତ ତିନି ଦିନ ଧରି ବିଭିନ୍ନ ସ୍ଥାନରେ ସୂଚନା ପ୍ରଚାର କରାଯାଇଥିଲେ ମଧ୍ୟ ମୃତକଙ୍କ ପରିଚୟ ମିଳି ପାରିନଥିଲା। ଶବଟି ଗଳିତ ଅବସ୍ଥାକୁ ଆସିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସିମୁଳିଆ ଥାନା ପକ୍ଷରୁ ସତ୍କାର ପାଇଁ ସୂଚନା ଦିଆ ଯାଇଥିଲା। ଏହା ପରେ ବାଲେଶ୍ୱର ସହରର ପ୍ରମୁଖ ସାମାଜିକ ସଂଗଠନ ‘ହେଲପିଙ୍ଗ ସୋସାଇଟି’ ମାନବିକତାର ପରିଚୟ ଦେଇ ଶବ ସତ୍କାର ପାଇଁ ଆଗେଇ ଆସିଥିଲା। ସଂଗଠନର ସଭାପତି ହ୍ରିତିକ ନାୟକଙ୍କ ତତ୍ତ୍ୱାବଧାନରେ ସହରସ୍ଥ ଆଇଟିଆଇ ଛକ ନିକଟରେ ଥିବା ଶ୍ମଶାନରେ ଆଜି ଉକ୍ତ ଅଜଣା ବ୍ୟକ୍ତିଙ୍କ ଶବର ସତ୍କାର କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ଅମିୟ ମହାନ୍ତି, ଉପସଭାପତି ଜୀବନ ସଂଗ୍ରାମ ମିଶ୍ର, ସମ୍ପାଦକ ଦିବ୍ୟ ରଞ୍ଜନ ଦାସ, ପ୍ରୀତି ସୁନ୍ଦର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।





