ଯାଦବ ସଂପ୍ରଦାୟର ବ୍ୟକ୍ତିମାନଙ୍କୁ ବଜରଙ୍ଗ ଦଳର ନିର୍ଯାତନା ପ୍ରସଙ୍ଗ: ସରକାରଙ୍କୁ ସମାଲୋଚନା କଲେ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚନ୍ଦାହାଣ୍ଡି ଠାରେ ଯାଦବ ସଂପ୍ରଦାୟର ବ୍ୟକ୍ତିମାନଙ୍କୁ ଗୋ ଚାଲାଣ ନାମରେ ବଜରଙ୍ଗ ଦଳ ତରଫରୁ ଦିଆଯାଇଥିବା ଅମାନବୀୟ ନିର୍ଯାତନାକୁ ବିରୋଧ କରିଛି ସମାଜବାଦୀ ପାର୍ଟି। ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଏନେଇ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସରକାରଙ୍କ ଉପରେ ଜୋର୍ ବର୍ଷିଛନ୍ତି। ଶ୍ରୀ ଯାଦବ କହିଛନ୍ତି ଯେ – ଡବଲ ଇଞ୍ଜିନ ସରକାର ସମୟରେ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଏଠାରେ ନାରୀ ନିର୍ଯ୍ୟାତନା ଓ ଅସାମାଜିକ କାର୍ଯ୍ୟକଳାପ ବଢ଼ି ଚାଲିଛି। ସମୟ ଏପରି ହୋଇଛି ଯେ ବିଜେପିର ଶାଖା ଦଳ, ଯାଦବମାନଙ୍କ ଉପରେ ଆକ୍ରୋଶ ରଖି ଅତ୍ୟାଚାର ଓ ବିଭିନ୍ନ ପ୍ରକାରର ଦଣ୍ଡ ପ୍ରୟୋଗ କରୁଛି। ଗତ କିଛିମାସ ତଳେ କଟକ ଜିଲ୍ଲା ବାଲିଅନ୍ତା ଠାରେ ଯାଦବମାନେ ବ୍ୟାଙ୍କ ଫାଇନାନ୍ସର ଗୋରୁ ନେଉଥିବା ସମୟରେ ବଜରଙ୍ଗ ଦଳ ସେମାନଙ୍କୁ ମାରପିଟ୍ କରିଥିଲେ। ବର୍ତ୍ତମାନ ଚନ୍ଦାହାଣ୍ଡି ଠାରେ ଯାଦବମାନେ ଗାଇଗୋରୁ ନେଉଥିବା ସମୟରେ ବଜରଙ୍ଗ ଦଳ ୪୪° ଖରାରେ ସେମାନଙ୍କୁ ଦଣ୍ଡିତ କରିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ସମାଜବାଦୀ ପାର୍ଟି। ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ – ‘ଯାଦବମାନଙ୍କ ଉପରେ ଅତ୍ୟାଚାର କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଓଡ଼ିଶାରେ ୧ କୋଟିରୁ ଉର୍ଦ୍ଧ୍ବ ଯାଦବ ଅଛନ୍ତି ଯଦି ସରକାର ଏହି ସମ୍ବେଦନଶୀଳ ଘଟଣା ଉପରେ ନିଦାବିଷ୍ଣୁ ସାଜନ୍ତି ତେବେ ରାଜ୍ୟସାରା ଯାଦବଙ୍କ ଆନ୍ଦୋଳନ ହେବ। ଏବଂ ଏଥିପ୍ରତି ଡବଲ ଇଞ୍ଜିନ ସରକାର ହିଁ ଦାୟୀ ରହିବେ।’

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.