ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲାରେ ବୁଧବାର ସନ୍ଧ୍ୟାରେ କାଳ ବୈଶାଖୀ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ବିଦ୍ୟୁତ ତାର ଉପରେ ଅନେକ ଗଛର ଶାଖା ପ୍ରଶାଖା ଛିଣ୍ଡି ପଡିବା ଫଳରେ ପ୍ରାୟ ୨୦ଘଣ୍ଟାରୁ ଉର୍ଦ୍ଧ୍ୱ କାଳ ବିଦ୍ୟୁତ ସେବା ପ୍ରଭାବିତ ହୋଇଥିଲା। ଏଥି ଯୋଗୁଁ ସାଧାରଣ ଲୋକେ ଅସହ୍ୟ ଗରମରେ ସନ୍ତୁଳି ହେବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଦ୍ୟୁତ ବିଭାଗ କର୍ମଚାରୀ ବହୁ କଷ୍ଟ ସ୍ୱୀକାର କରି ବିଦ୍ୟୁତ ସେବା ସ୍ୱାଭାବିକ କରିବାରେ ସକ୍ଷମ ହୋଇଥିବା ନେଇ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। କାଳ ବୈଶାଖୀ ଯୋଗୁଁ ଅନେକ ଦୋକାନ ଘରର ଆଜବେଷ୍ଟସ ଛାତ କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି। କରମତଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଲଗାଯାଇଥିବା ବହୁ ଗଛ ଉପୁଡ଼ି ପଡ଼ିଥିଲା। କିଛି ଗଛ ଉପୁଡିଯାଇ ଶ୍ରେଣୀ କୋଠରୀ ଛାତ ଉପରେ ଢଳି ପଡିଥିଲା। ସାଇକଲ ଷ୍ଟାଣ୍ଡର ଆଜବେଷ୍ଟସ ଛାତ ଉପୁଡ଼ି ପଡ଼ି କ୍ଷତିଗ୍ରସ୍ତ ହୋଇଥିଲା। ସିସି କ୍ୟାମେରା ତାର, ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ବିଦ୍ୟାଳୟର ପଚାଶ ମିଟରରୁ ଉର୍ଦ୍ଧ୍ୱ ଲମ୍ବର ପାଚେରୀ ଭୁଶୁଡି ପଡିଥିଲା। କ୍ଷୟକ୍ଷତି ଆକଳନ କରି ଭୁଶୁଡି ପଡ଼ିଥିବା ପାଚେରୀ ଓ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଛାତ ଆଦିର ନିର୍ମାଣ ନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।





