ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରେ ‘ଓରମାସ’ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଗାଁ ଆମ୍ବର ପ୍ରଚାର ପ୍ରସାର ସହ ଓଡିଶାର ଆମ୍ବ ଚାଷୀମାନଙ୍କୁ ସିଧାସଳଖ ବଜାର ସୁବିଧା ଯୋଗାଇବା ଏବଂ ଗ୍ରାହକମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ମାନର ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ବାଲେଶ୍ୱର ସ୍ଥିତ ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ‘ଗାଁ ଆମ୍ବ ପସରା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଏହା ଗତ ମେ ୨୨ ତାରିଖରୁ ଆରମ୍ଭ ହୋଇଛି ଏବଂ ଆଗାମୀ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାପଡିଛି। ‘ଓରମାସ’ର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଖୁବ୍ ଭଲରେ ସମ୍ପାଦନ ହେଉଛି। ଓଡିଶାର ଗ୍ରାମୀଣ ଚାଷୀମାନଙ୍କୁ ଉପଯୁକ୍ତ ବଜାର ସୁବିଧା ଯୋଗାଇବା ଦିଗରେ ଗାଁ ଆମ୍ବ ପସରା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏଥିରେ ବାଲେଶ୍ୱର ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରୁ ଅଣାଯାଇଥିବା ସୁନ୍ଦରୀ, ଦଶେରୀ, ଲେଙ୍ଗଡ଼ା, ଗୋପାଳ ଭୋଗ, ରାଜ ଭୋଗ, ଆମରପଲ୍ଲୀ ଓ ବାଇଗଣ ପଲ୍ଲେଇ ଭଳି ବିଭିନ୍ନ ପ୍ରଜାତି ଅନୁଯାୟୀ କିଲୋଗ୍ରାମ ପିଛା ୬୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ମୂଲ୍ୟ ଧାର୍ଯ୍ୟ କରାଯାଇ ବିକ୍ରି ହେଉଛି। ବାଲେଶ୍ୱର ଜୀବିକା ପ୍ରଡୁସର କମ୍ପାନୀ ଲିମିଟେଡ଼ ଏବଂ ନୀଳଗିରି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ର ସହଯୋଗରେ ଏହି ଆମ୍ବ ପସରା ପରିଚାଳିତ ହେଉଛି।





