କନହେଇ ଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ବାଲେଶ୍ଵରରେ ପାଳିତ ହେବ ଜୟନ୍ତୀ ଉତ୍ସବ: ଗାଳ୍ପିକ ରଞ୍ଜନ ପ୍ରଧାନ ପାଇବେ କନହେଇ କଥା ପୁରସ୍କାର

ଓଡ଼ିଆ ବାର୍ତ୍ତା, ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ପ୍ରତିବର୍ଷ ପରି ଚଳିତ ବର୍ଷ କନହେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ଜୁନ୍ ୨୭ ତାରିଖ ଦିନ ବାଲେଶ୍ୱର ସହର ସ୍ଥିତ ଆତିଥ୍ୟ ଭବନରେ ଅନୁଷ୍ଠିତ ହେବ କନହେଇ ଜୟନ୍ତୀ ଉତ୍ସବ ସମାରୋହ। ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ‘ସଙ୍କେତ’ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଭୋଗରାଇ ବିଧାୟକ ତଥା ସଂସଦର ଆବାହକ ଗୌତମବୁଦ୍ଧ ଦାସ ଯୋଗ ଦେଇ ପ୍ରଥମେ ଫକୀରମୋହନ ସେନାପତିଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଏକ ନିନ୍ଦା ପ୍ରସ୍ତାବ ଆଣିଥିଲେ। ଆଜିର ଏହି ବୈଠକରେ ଆସନ୍ତା ଉତ୍ସବର ରୂପରେଖ ବାବଦରେ ସବିଶେଷ ଆଲୋଚନା କରାଯାଇଥିଲା।ଚଳିତବର୍ଷ କନହେଇ କଥା ପୁରସ୍କାର ପାଇଁ କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟି ମୁଖ୍ୟ କୃଷ୍ଣ କୁମାର ମହାନ୍ତି ସମ୍ଭାବ୍ୟ ନାମ ତାଲିକା ପ୍ରଦାନ କରିବା ପରେ ଯୁବ ଗାଳ୍ପିକ ରଞ୍ଜନ ପ୍ରଧାନଙ୍କୁ ଚଳିତବର୍ଷର କନହେଇ କଥା ପୁରସ୍କାର ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା।

ପ୍ରକାଶ ଥାଉ କି, ଡକ୍ଟର ରଞ୍ଜନ ପ୍ରଧାନ ୧୯୭୯ ମସିହାରେ କେନ୍ଦ୍ରାପଡ଼ାର ନିଗିନିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସ୍ନାତକୋତ୍ତର ଶିକ୍ଷା ପରେ ଉଚ୍ଚତର ଗବେଷଣା କରି ସେ ପିଏଚଡ଼ି ଲାଭ କରିଛନ୍ତି। ତାଙ୍କର ଅଦ୍ୟାବଧି ୨୪ଟି ପୁସ୍ତକ ପ୍ରକାଶ ପାଇଛି ତନ୍ମଧ୍ୟରୁ ୩ ଟି କବିତା ପୁସ୍ତକ, ୮ ଟି କ୍ଷୁଦ୍ର ଗଳ୍ପ ସଙ୍କଳନ, ୩ଟି ଉପନ୍ୟାସ ଓ ୧୩ ଟି ଗବେଷଣା ଏବଂ ପ୍ରବନ୍ଧ ପୁସ୍ତକ ପ୍ରକାଶ ପାଇଛି। ସେ ତାଙ୍କ ଗଳ୍ପରେ ଆଦିବାସୀ ଜନଜାତିଙ୍କ କଥା ବର୍ଣ୍ଣନା କରିଥିବା ବେଳେ ଜଣେ ମାନବବାଦୀ ଗାଳ୍ପିକ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଗଳ୍ପ ରଚନା ପାଇଁ ସେ ଅଦ୍ୟାବଧି କଳିଙ୍ଗ ପୁସ୍ତକ ମେଳା ପୁରସ୍କାର, କିଶୋରୀ ଚରଣ ପୁରସ୍କାର, ଜାତୀୟ ଯୁବ ପୁରସ୍କାର, ହାଜି ଆସ୍ରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର, ତପସ୍ୟା ସୃଜନ ପୁରସ୍କାର, ଅକ୍ଷୟ ଉପନ୍ୟାସ ପୁରସ୍କାର ଭଳି ୩୦ ରୁ ଅଧିକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି।

କନହେଇ ଜୟନ୍ତୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବା ପାଇଁ ବିଶିଷ୍ଟ କଥାଶିଳ୍ପୀ ପରେଶ କୁମାର ପଟ୍ଟନାୟକ ଓ ଚିରଶ୍ରୀ ଇନ୍ଦ୍ରସିଂ ସଦୟ ସମ୍ମତି ପ୍ରଦାନ କରିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦର ଅନ୍ୟତମ ଆବାହକ କବି ଶ୍ରୀଦେବ, ସମ୍ପାଦକ ଉତ୍ପଳ ମହାନ୍ତି, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ ଦାସ, ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, ନିବାରଣ ଜେନା, ସଞ୍ଜୟ ପଣ୍ଡା, ଯାଦବେଶ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସଂସଦର ସଦସ୍ୟ ରାଜେଶ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.