ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଖବାହାଲି ପଞ୍ଚାୟତର କୁମାରଗୁଡା ଠାରେ ଏସବିଆଇ ଓ ଗ୍ରାମ ସକ୍ଷମ ପ୍ରକଳ୍ପ ପକ୍ଷରୁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସଚିନନ୍ଦନ ସେନାପତି, ଡ଼ ବିବେକ ସାହୁ ଏବଂ ସ୍ୱାସ୍ଥ୍ୟ ସମ୍ପର୍କ ସଂଯୋଜକ କର୍ଣ୍ଣ ସାହୁ ଯୋଗଦେଇ ପରିବେଶ ଓ ଲୋକମାନଙ୍କ ଜୀବନ ଜୀବିକା ତଥା ବିକାଶ ଦିଗରେ ସ୍ଥାୟୀ ସମୃଦ୍ଧି ପାଇଁ ବାର୍ତ୍ତା ଦେଇଥିଲେ। ଏସବିଆଇ ଓ ଗ୍ରାମ ସକ୍ଷମ ପ୍ରକଳ୍ପ ଦ୍ୱାରା ପରିଚାଳିତ ୧୦ଟି ଗାଁରେ ପରିବେଶ ସନ୍ତୁଳନ ଏବଂ ଗ୍ରାମୀଣ ଜୀବିକା ବିକାଶକୁ ଅଧିକ ସୁଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି। ଜଳ ସଙ୍କଟ, କୃଷିରେ ଉତ୍ପାଦନ ବୃଦ୍ଧି ଓ ବର୍ଷା ଉପରେ ନିର୍ଭରଶୀଳ ଚାଷକୁ ମୁକ୍ତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପର କାର୍ଯ୍ୟକ୍ରମ ମାନ ଜାରି ରହିଥିବା ବେଳେ ଜଳ ସଂରକ୍ଷଣ, ବୃକ୍ଷରୋପଣ, ପରିବେଶ ଅନୁକୂଳ ନବୀକରଣ ଓ ସୌରଚାଳିତ ଜଳସେଚନ ବ୍ୟବସ୍ଥା ମାଧ୍ଯମରେ ସ୍ଥାୟୀ କୃଷି ତଥା ଜୈବିକ କୃଷି, ଭୂତଳ ଜଳସ୍ତର ବୃଦ୍ଧି ଦିଗରେ ଏସବିଆଇ ଗ୍ରାମ ସକ୍ଷମ ପ୍ରକଳ୍ପ ପ୍ରୋତ୍ସାହିତ କରୁଛି। ଏସବିଆଇ ଫାଉଣ୍ଡେସନ୍ର ଆର୍ଥିକ ସହାୟତା ଓ ଗ୍ରାମ ବିକାଶର ବୈଷୟିକ ଜ୍ଞାନକୌଶଳରେ ୫ଟି ଗାଁ ଥୁଆଙ୍ଗପଦର, ରୁଘାଗୁଡା, ଲେରମୁହିଁ, ତାଳବୋରା ଏବଂ ରଙ୍ଗିଗୁଡାରେ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ଗ୍ରାମ ସେବା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା, ସେହିପରି ବର୍ତମାନ ୫ଟିଗାଁ ଘାଟିକୁଣ୍ଡୁର, ବାରଗୁଡ଼ା, କନ୍ଧସାରଲି, କୁଟିଙ୍ଗପଦର, କମଲେଇକୁ ଅନ୍ତର୍ଭୁକ୍ତ କରି ମୋଟ ୧୦ଟି ଗାଁରେ ୨୦୨୬ ଡିସେମ୍ବର ପର୍ଯ୍ୟନ୍ତ ଗ୍ରାମ ସକ୍ଷମ ପ୍ରକଳ୍ପ ଚାଲୁରହିବ। ଏହି ଅବସରରେ ସଚେତନତା ସ୍ଲୋଗାନ ସହିତ ଗ୍ରାମ ପରିକ୍ରମା କରାଯାଇଥିଲା l ଉକ୍ତ ସଭାରେ ଗ୍ରାମ ଉନ୍ନୟନ କମିଟିସଦସ୍ୟ,ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଯୁବ ଗୋଷ୍ଠୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ଚାଷୀ ସଂଗଠନର ସଦସ୍ୟ ସମେତ ଗ୍ରାମବାସୀ ଓ ଗ୍ରାମବିକାଶର କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଜଳବାୟୁ, ଭୂମି ପୁନରୁଦ୍ଧାର, ମୃତିକା ଓ ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରାଧାନ୍ୟ ଦିଆଯାଇ ୩୩ ଏକର ପରିମିତ ଜମିରେ ୪୦୪୦ଟି ଏସସିଟି, ୧୨ ଏକର ଜମିରେ ଫିଲ୍ମ ବଣ୍ଡ୍, ୧୦ ଏକରରେ ୫୬୬୦ଟି ବୃକ୍ଷରୋପଣ କରାଯାଇଛି। ଏହି ପଦକ୍ଷେପ ଯୋଗୁ ୫ଟି ଗ୍ରାମର ୩୭୫ଟି ପରିବାର ଉପକୃତ ହୋଇ ଥିବା ବେଳେ ୫ଟି ସାମୁଦାୟିକ ପୋଖରୀର, ୩ଟି କୃଷି ଭିଭିକ ପୋଖରୀ ପୁନରୁଦ୍ଧାର ସହିତ ଜଳଧାରଣ କ୍ଷମତା ବୃଦ୍ଧି କରାଯାଇଛି। ଯେଉଁଥିରେ କୃଷକମାନେ ବର୍ଷା ଜଳ ସଂରକ୍ଷଣ କରି ଜଳସେଚନ, ପଶୁପାଳନ ଓ ଅନ୍ୟ କୃଷି କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏବେ ୬ଟି ଗ୍ରାମର ୬୧ ଏକର ଚାଷଜମି ଜଳସେଚନର ସୁବିଧା ହୋଇପାରିଛି। ସେହିପରି କୃଷକମାନଙ୍କ ଆଧୁନିକ ଉପକରଣ ହଳ ପାଇଁ ଯନ୍ତ୍ର, ମଞ୍ଜିବୁଣା ଯନ୍ତ୍ର, ଔଷଧ ସେଚକ ଏବଂ ଶସ୍ୟ ଅମଳ କରିବା ଯନ୍ତ୍ର ମାଗଣାରେ ବ୍ୟବହାର କରି ଉତ୍ପାଦନ ଖର୍ଚ୍ଚ କମ୍ କରିପାରିବରେ ସଫଳ ହୋଇପାରିଛି। ୭୦ଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଋତୁକାଳୀନ ପନିପରିବା ବୀଜ ସହାୟତା ଦିଆଯାଇ ପୁଷ୍ଟିକର ଖାଦ୍ୟ ଓ ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି କରାଯାଇଛି ତଥା ବ୍ୟବହୃତ ମଇଳା ବର୍ଜ୍ୟଜଳକୁ ଉପଯୁକ୍ତ ବିନିଯୋଗ ପାଇଁ ପ୍ରୋତ୍ସାହିତ କରାଯାଇଥିବା ବେଳେ ଏସବିଆଇ ସଂଜୀବନୀ ମୋବାଇଲ୍ ସ୍ବାସ୍ଥ୍ୟ ସେବା ଜରିଆରେ ଲୋକମାନଙ୍କୁ ନିୟମିତ ମୌଳିକ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି, ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମାଧ୍ଯମରେ ଚିକିତ୍ସା ସୁବିଧା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ଵା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚିବା ସମ୍ଭବ ହୋଇପାରୁଛି । ପ୍ରେରଣା କେନ୍ଦ୍ର, କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର, ରାସ୍ତାକଡ ସୋଲାର ଲାଇଟ୍, ସ୍ବାସ୍ଥ୍ୟ କେନ୍ଦ୍ର ଆଦି ଗ୍ରାମ୍ୟ ପରିକଳ୍ପନାର ରକ୍ଷଣାବେକ୍ଷଣ କରାଯାଉଛି । କୃଷକ ପ୍ରଶିକ୍ଷଣ, ସଚେତନତା ଶିବିର ଏବଂ ଏକ୍ସପୋଜର ଭିଜିଟ୍ ମାଧ୍ଯମରେ ଉନ୍ନତ କୃଷି ପଦ୍ଧତି, ଜୀବିକା ସୁଦୃଢ଼ୀକରଣ ଓ ପ୍ରକଳ୍ପର ଦୀର୍ଘସ୍ଥାୟୀତା ଓ ଆଞ୍ଚଳିକ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିଥିବା ବେଳେ ଏସବିଆଇ ଗ୍ରାମ ସକ୍ଷମ ପ୍ରକଳ୍ପ ଜଳ, ଜମି ଓ ମନୁଷ୍ୟ ମଧ୍ଯରେ ସୁସମ୍ପର୍କ ସ୍ଥାପନ କରି ସ୍ଥାୟୀ ବିକାଶର ବାର୍ତ୍ତା ପ୍ରଦାନ କରିଛି ।





