ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଲେତେର ଗ୍ରାମ ପଞ୍ଚାୟତ ଅଧୀନ ମକ୍ରାଗୁଡା ଗ୍ରାମରେ ଦୀର୍ଘ ଦିନ ଧରି ଶୁଦ୍ଧ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଜଳ ଜୀବନ ମିଶନ ଯୋଜନା ଅନୁସାରେ ପ୍ରତ୍ୟେକ ଘରକୁ ପାଣି ପହଞ୍ଚାଇବାର ଲକ୍ଷ୍ୟ ଥିଲେ ମଧ୍ୟ ଏହି ଗ୍ରାମରେ ଯୋଜନା କେବଳ କାଗଜକଲମରେ ସୀମିତ ରହିଥିବା ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଫ୍ଲୋରାଇଡ୍ ଯୁକ୍ତ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ବେଳେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ କିଡନୀ ରୋଗରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାରୁ ଗ୍ରାମରେ ଭୟ ଓ ଅସନ୍ତୋଷ ବଢ଼ିଛି।ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ତୁରନ୍ତ ଶୁଦ୍ଧ ପାନୀୟ ଜଳ ଯୋଗାଣ ସହ ଜଳ ଜୀବନ ମିଶନ କାର୍ଯ୍ୟକାରୀ କରିବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଅନେକ ଥର ପ୍ରଶାସନ ଓ ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନାହିଁ। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଗ୍ରାମବାସୀ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଛନ୍ତି। ରାସ୍ତାଅବରୋଧ ଖବରପାଇ ଘଟଣାସ୍ଥଳକୁ ଗୋଲାମୁଣ୍ଡା ବିଡ଼ିଓ ତ୍ରିପୁରା ମହାନନ୍ଦ ପହଁଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଗାଁରେ ଥିବା ପାନୀୟ ଜଳ ଉତ୍ସ ବୁଲି ଦେଖିଥିଲେ। ଆପରପକ୍ଷରେ ପ୍ରଶାସନ ପକ୍ଷରୁ ଏହାର ସ୍ଥାୟୀ ସମାଧାନର ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି।





