ସ୍ଥାନୀୟ ବଣିକ ସଂଘ ଏଠି ରାତ୍ରୀ ଜଗୁଆଳି ରଖନ୍ତୁ -କଳାହାଣ୍ଡି ଏସପି
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ରୁପ୍ରାରୋଡ ଓ ନର୍ଲା, ନର୍ଲାରୋଡ ର ବିଭିନ୍ନ ଦୋକାନ ଘର ପ୍ରଭୃତି ସ୍ଥାନରୁ ଗତ ଦୁଇମାସ ମଧ୍ୟରେ ୮ ଗୋଟି ଚୋରୀ ଓ ଡକାୟତି ହୋଇ ସାରିଛି। ଗତ ୧୦ ତାରିଖ ରାତିରେ ତୁଳାଗାଁ ର କୈଳାସ ବୁଦ୍ଧିଆଙ୍କ ଘରୁ ପଞ୍ଚେଶ୍ୱର ବୁଦ୍ଧିଆଙ୍କ ଦୋକାନରୁ ଜୁନ ୨ ରେ ଚୋରୀ ହୋଇଥିଲା। ସେହିଭଳି ନର୍ଲାରୋଡ ଷ୍ଟେସନ ମାଷ୍ଟର ଙ୍କ ଘରେ ଗତ ମାର୍ଚ୍ଚ ମାସ ସଂଧ୍ୟା ୬ ଘଣ୍ଟା ସମୟରେ କଳାକନା ବୁଲାଇଥିଲେ ଚୋର। ତୁଳାଗାଁର କୈଳାସ ବୁଦ୍ଧିଆଙ୍କ ଘରେ ଦିନ ଦ୍ୱି-ପହରେ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଓ ୪ ତୋଳା ସୁନା ନେଇ ଫେରାର ମାରିଥିଲେ ଡକାୟତି ଦଳ । ରୁପ୍ରାରୋଡର ଦୁଇଜଣ ବ୍ୟବସାୟୀଙ୍କୁ ପିସ୍ତଲ ଦେଖାଇ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଆସାମୀ। ନର୍ଲା ପୋଲିସ ତୁଳାଗାଁ ଡାକାୟତି କାଣ୍ଡ ଭିଆଇଥିବା ୫ ଜଣଙ୍କ ମଧ୍ୟରୁ ସ୍ଥାନୀୟ ଦୁଇଜଣ ବ୍ୟକ୍ତିଙ୍କୁ ସନ୍ଧାନୀ କୁକୁର ସାହାଯ୍ୟରେ ଧରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ହେଲେ ବାକି ସମସ୍ତ ସ୍ଥାନର ଚୋର ଓ ଡକାୟତଙ୍କ ଟେର ପାଇ ପାରିନି ନର୍ଲା ପୋଲିସ। ବଡ ଲଜ୍ୟାର କଥା ଗତକାଲି ଶୁକ୍ରବାର ରାତିରେ ନର୍ଲା ଥାନା ସମ୍ମୁଖସ୍ଥ ଏବଂ ବ୍ୟାଙ୍କ ଅଫ ଇଣ୍ଡିଆକୁ ଲାଗି ରହିଥିବା ଜିନମାତା କପଡା ଦୋକାନରେ କଳାକନା ବୁଲାଇଛନ୍ତି ଚୋର। ଘର ତିଆରି ନିମନ୍ତେ ଛଡ, ସିମେଣ୍ଟ ଦୋକାନରେ ଟଙ୍କା ଦେବା ପାଇଁ ଲକ୍ଷାଧିକ ଟଙ୍କା ଆଣି ଦୋକାନରେ ରଖିଥିଲେ ଜିନମାତା କପଡା ଦୋକାନର ମାଲିକ ସଞ୍ଜିବ କମାନୀ (ପିଣ୍ଟୁ)। ଗତ କାଲି ବିଳମ୍ବିତ ରାତିରେ ସଟର ତାଲା ଭାଙ୍ଗି ଟଙ୍କା ନେଇଯିବା ସହ ଅନେକ ଦାମୀ ସମ୍ବଲପୁରୀ ଶାଢୀ ନେଇଯାଇଥିବା କହିଛନ୍ତି ଦୋକାନ ମାଲିକ ପିଣ୍ଟୁ। ସବୁଦିନ ଭଳି ଆଜି ସକାଳେ ଦୋକାନ ଖୋଲିବା ଆସି ତାଲା ଭାଙ୍ଗି ପଡିଥିବା ଦେଖି ବେହୋସ ହୋଇଯାଇଥିଲେ ଦୋକାନ ମାଲିକ।ଏନେଇ ନର୍ଲା ଥାନାରେ ମାମଲା ଦାଏର କରିଥିଲେ। ପୋଲିସ ତରଫରୁ ତଦନ୍ତ ପାଇଁ ନର୍ଲା ଥାନାକୁ ଆସିଥିଲେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ଓ ଏସଡିପିଓ ସନ୍ଦୀପ ମାଝୀ। ସ୍ଥାନୀୟ ନେତୃ ବୃନ୍ଦ ଓ ବଣିକ ସଂଘର ସଦସ୍ୟ ନର୍ଲାରେ ଏଭଳି ପୋଲିସର ଢିଲା ପରିସ୍ଥି କୁ ନେଇ ଏସପିଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ନର୍ଲା ପୋଲିସ ତରଫରୁ ଠିକ ଭାବରେ ପେଟ୍ରୋଲିଂ ହେଉନଥିବା କହିଥିଲେ। ସ୍ଥାନିୟ ବଣିକ ସଂଘ ଓ ଦୋକାନୀମାନେ ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ରାତ୍ରୀ ଜଗୁଆଳି ନିଯୁକ୍ତି କରନ୍ତୁ ବୋଲି ଏସପି କହିଥିଲେ।ଏସପି ଜିନମାତା ଦୋକାନ ମାଲିକକୁ ପଚରା ଉଚୁରା କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଥିଲେ। ସନ୍ଧାନୀ କୁକୁର ନର୍ଲା ଗଉଡପଡା ଦେଇ ବିନେକ ବନ୍ଧ ପଛପଟେ ଯାଇ ଏକ ଗଛମୂଳେ ରହିଯାଇ ସେଠାରୁ ଫେରି ଆସିଥିଲା।ତୁଳାଗାଁ କୈଲାସ ବୁଦ୍ଧିଆଙ୍କ ଗର ଡକାୟତି ମାମଲାରେ ୩ ଜଣ ଡକାୟତ ଧରାପଡି କୋର୍ଟ ଚାଲାଣ ହୋଇଛନ୍ତି ସତ ହେଲେ କୈଳାସ ବୁଦ୍ଧିଆଙ୍କ ଡକାୟତି ହୋଇଥିବା ସୁନା ଓ ଟଙ୍କା ଏଯାଏଁ ମିଳି ପାତିନଥିବା ଜଣାପଡିଛି। ନର୍ଲା ଅଞ୍ଚଳରେ ନୂଆବର୍ଷ ଆରମ୍ଭରୁ ୬ ମାସ ହୋଇଗଲା ପ୍ରତି ମାସରେ ଗୋଟାଏ ଦୁଇଟା ଲେଖାଏଁ ଚୋରୀ ଓ ଡକାୟତି ବାରମ୍ବାର ସଂଘଟିତ ହେଉଥିବା ବେଳେ ସ୍ଥାନିୟ ଲୋକଙ୍କ ମଧ୍ୟରେ ଏନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ନର୍ଲା ଅଞ୍ଚଳର ବିଭିନ୍ନ ସ୍ତାନରୁ ଦିନ ଦ୍ୱି-ପ୍ରହରରେ ଚୋରି ଓ ଡକାୟତି ହେଉଛି। ଆଗଭଳି ଆଉ ପୋଲିସ ପେଟ୍ରୋଲିଙ୍ଗ ହେଉନାହିଁ, ପୋଲିସ ପ୍ରତି ଚୋର ତସ୍କରଙ୍କ ଭୟ ଆଉ ନାହିଁ ଫଳରେ ନର୍ଲା ଅଞ୍ଚଳରେ ଚୋରୀ ଓ ଡକାୟତି ବଢିବାରେ ଲାଗିଛି ବୋଲି ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିବା ସହ ଏନେଇ ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି। ଏହି ବିଷୟକୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଗମ୍ଭୀରତାର ନେବା ଏକାନ୍ତ ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଉଛି।





