ମାଓ ସାମଗ୍ରୀ ସହ ବନ୍ଧୁକ ଓ ଗୁଳି ଜବତ

ଓଡ଼ିଆ ବାର୍ତ୍ତା /ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଢେପାଗୁଡା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ବନ୍ଧୁକ,ଗୁଳି ଓ ବିପୁଳ ପରିମାଣର ମାଓ ସାମଗ୍ରୀ ରାୟଗଡା ପୁଲିସ ଜବତ କରିଛି । ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାୟଗଡା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ପଚରା ଉଚରା ସମୟରେ ମିଳିଥିବା ତଥ୍ୟ ଅନୁଯାୟି ଆମ୍ବଦଳା ଥାନା ଅନ୍ତର୍ଗତ ଜଗଦଲପୁର ଆଉଟ ପୋଷ୍ଟ ଅଞ୍ଚଳରେ ୧୩ ଜୁନରେ ବଡ଼ ସର୍ଚ୍ଚ ଅପରେସନ୍ କରାଯାଇ ଏକ ଗୁପ୍ତ ଡମ୍ପରୁ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା । ଡିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ କମ୍ବିଂ ଅଭିଯାନ କରିବା ସମୟରେ ଠାବ ହୋଇଥିଲା । ଜିଲ୍ଲା ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସମ୍ଭାବ୍ୟ ଆଇଇଡି ଓ ବିସ୍ଫୋରକ ଖୋଜିବା ପାଇଁ ସତର୍କତାମୂଳକ ସନ୍ଧାନ କରିଥିଲେ ବୋଲି ଏସପି ରାଜ୍ ପ୍ରସାଦ ପ୍ରକାଶ କରିଛନ୍ତି । ଉଦ୍ଧାର ମାଓ ସାମଗ୍ରୀ ମଧ୍ୟରେ ଗୋଟି, ଥ୍ରୀ ନଟ ଥ୍ରୀ ରାଇଫଲ, ୩୭ ରାଉଣ୍ଡ ଅଫୁଟା ଗୁଳି, ଖାଲି ଥିବା ୧୨ଟି ବୋର କାର୍ଟ୍ରିଜ, ଗୋଟିଏ ମାଗାଜିନ, ୮ ମିଟର ତାର, ପ୍ରାୟ ୫୦ଗ୍ରାମ ଗନ ପାଉଡ଼ର, ୫ବଣ୍ଡଲ କୋଡେକ୍ସ ତାର, ମାଓବାଦୀ ପୁସ୍ତକ ସହ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିବା ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ । ବର୍ତ୍ତମାନ ଜିଲ୍ଲାରେ ମାଓ ଗତିବିଧି ନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜାନୁଆରୀ ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ମାଓ ସଂଗଠନର ରାଜ୍ୟ କମିଟି ସଦସ୍ୟ ନିଖିଲ ଓ ଇନ୍ଦୁଙ୍କ ସହିତ ମୋଟ ୧୫ ଜଣ ମାଓବାଦୀ ରାୟଗଡା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଭବିଷ୍ୟତରେ ମାଓ କାର୍ଯ୍ୟକଳାପକୁ ରୋକିବା ପାଇଁ ଏସଓଜି, ଡିଭିଏଫ ଓ ସିଆରପିଏଫ ପକ୍ଷରୁ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ନିୟମିତ ଭାବରେ କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ଜାରି ରହିବ ବୋଲି ଏସପି ରାଜ୍ ପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଏସ୍ଡ଼ିପିଓ ଗୌରହରୀ ସାହୁ, ଡିଆଇଓସି ଆସିଷ୍ଟାଣ୍ଟ କାମାଣ୍ଡେଣ୍ଟ ଲକ୍ଷ୍ମୀ ନାରାୟଣ ମାଝୀ,ଏସଆଇ ଦିନେଶ କହଁରଙ୍କ ସମେତ ଇନ୍ସପେକ୍ଟର ଅବିନାଶ ରେଡ୍ଡୀ,ଆରଆଇ କବିବର ଦେହୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.