ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧୀନ ମତୁଆଲଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ନୂତନ ସ୍କୁଲ ପରିଚାଳନା କମିଟି ଗଠିତ ହୋଇଯାଇଛି। ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକ ବିକାଶ, ମୌଳିକ ସୁବିଧାର ସମ୍ପ୍ରସାରଣ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ଏବଂ ଅଭିଭାବକଙ୍କ ସକ୍ରିୟ ଭାଗୀଦାରିକୁ ଲକ୍ଷ୍ୟ କରି ଏହି ନୂତନ କମିଟି ଗଠନ କରାଯାଇଥିବା ବେଳେ, ପୂର୍ବତନ ସଭାପତି ତୁଳସୀରାମ ଛତ୍ରିଆ ତାଙ୍କ କାର୍ଯ୍ୟକାଳରେ ବିଦ୍ୟାଳୟର ସାମଗ୍ରିକ ବିକାଶ, ଶିକ୍ଷାର ପରିବେଶ ସୁଦୃଢ଼ କରିବା, ବିଭିନ୍ନ ମୌଳିକ ସୁବିଧାର ବିକାଶ, ଅଭିଭାବକଙ୍କ ସହ ସମନ୍ୱୟ ରକ୍ଷା ଏବଂ ସରକାରୀ ଯୋଜନାର ସଠିକ୍ କାର୍ଯ୍ୟକାରିତା ପାଇଁ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ। ତାଙ୍କ ନେତୃତ୍ୱରେ ବିଦ୍ୟାଳୟର ବିକାଶମୂଳକ କାର୍ଯ୍ୟ ଗତିଶୀଳ ହୋଇଥିବାରୁ ଶିକ୍ଷକ, ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ସେ ଜଣେ ଦାୟିତ୍ୱବାନ ଓ ସମାଜସେବୀ ବ୍ୟକ୍ତିତ୍ୱ ଭାବେ ବେଶ୍ ପରିଚିତ ହୋଇଥିଲେ। ଏଥର ନୂତନ ଏସ୍ଏମ୍ସି ସଭାପତି ଭାବେ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ବିଜେପି ମଣ୍ଡଳ ସଭାପତି ଅର୍ଜୁନ ଛତ୍ରିଆଙ୍କୁ ସର୍ବସମ୍ମତି କ୍ରମେ ଦାୟିତ୍ୱ ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ଜନସେବା ସହ ଜଡ଼ିତ ଅର୍ଜୁନ ଛତ୍ରିଆ ଜଣେ ମିଷ୍ଟଭାଷୀ, କର୍ମଠ ଓ ସମାଜପ୍ରତି ସମର୍ପିତ ବ୍ୟକ୍ତି ଭାବେ ପରିଚିତ। ତାଙ୍କ ନେତୃତ୍ୱରେ ବିଦ୍ୟାଳୟର ଶିକ୍ଷାର ମାନ ବୃଦ୍ଧି, ଭିତ୍ତିଭୂମିର ବିକାଶ, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ଓ ବିଦ୍ୟାଳୟ ଅଭିଭାବକ ସମନ୍ୱୟ ଆହୁରି ସୁଦୃଢ଼ ହେବ ବୋଲି ଉପସ୍ଥିତ ଅଭିଭାବକ ଓ ଶିକ୍ଷକମାନେ ଆଶା ପ୍ରକାଶ କରିଥିଲେ। ନୂତନ କମିଟିରେ ବିଳାସିନୀ ଶବର ଉପ-ସଭାପତି ଭାବେ ମନୋନୀତ ହୋଇଥିବା ବେଳେ, ବିଶାଖା ସାହୁଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ଚୟନ ହୋଇଛନ୍ତି। ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜୟପାଟଣା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଳିତ ମୋହନ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କମିଟିକୁ ଅଭିନନ୍ଦନ ଜଣାଇବା ସହ ବିଦ୍ୟାଳୟର ଉନ୍ନତିରେ ସମସ୍ତଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂଜାସିନୀ ଛତ୍ରିଆ, ଜ୍ୟୋତି ଛତ୍ରିଆ, ହରିହର ଛତ୍ରିଆ, ମଞ୍ଜୁଳା ଗହିର, ଲଳିତା ବନ୍ଦିଛୋଡ, ଖୀରସିନ୍ଧୁ ଗହିର, ରବୀନ୍ଦ୍ର ଗହିର, ଆରତୀ ଭଇଁସାଲ, ପ୍ରମୋଦ ନାଗ, ସୁମନ୍ତିନୀ ବେମାଲଙ୍କ ସମେତ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଅଭିଭାବକ ଓ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ନୂତନ କମିଟି ଗଠନକୁ ନେଇ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିବା ବେଳେ, ଆଗାମୀ ଦିନରେ ବିଦ୍ୟାଳୟ ଶିକ୍ଷା, ଶୃଙ୍ଖଳା ଓ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ନୂତନ ସଫଳତା ହାସଲ କରିବ ବୋଲି ସମସ୍ତେ ଆଶାବାଦୀ ରହିଛନ୍ତି।






