ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ମୋହନଗୁଡା ଗ୍ରାମ ବାସିନ୍ଦା ବୁଧବାର ବିଶ୍ୱନାଥପୁର-ଲାଞ୍ଜିଗଡ଼ ମୁଖ୍ୟ ରାସ୍ତାର ରଘୁନାଥପୁର ଛକ ଠାରେ ବ୍ୟାପକ ରାସ୍ତା ରୋକ କରିଥିଲେ। ପାଣି ଟୋପେ ପାଇଁ ଦୀର୍ଘ ଦିନ ହେବ ସମସ୍ୟା ଭୋଗୁଥିବା ଅଞ୍ଚଳବାସୀ ବାଧ୍ୟ ହୋଇ ଆଜି ରାଜପଥକୁ ଓହ୍ଲାଇଥିଲେ। ଅଭିଯୋଗ ଅନୁଯାୟୀ ମୋହନଗୁଡା ଗ୍ରାମରେ ୨୪୮ ପରିବାର ରହୁଥିବା ବେଳେ ମାତ୍ର ୨ଟି ନଳକୂପ ରହିଛି। ଏହା ସହ ଦୀର୍ଘ ଦିନ ହେବ ବିଦ୍ୟୁତ ଟ୍ରାନ୍ସଫରମର ଅଚଳ ଥିବାରୁ ବସୁଧା ଜଳଯୋଗାଣ ମଧ୍ୟ ବନ୍ଦ ଥିଲା। ବାରମ୍ବାର ଲିଖିତ ଅଭିଯୋଗ ପରେ ମଧ୍ୟ ପ୍ରଶାସନ କର୍ଣ୍ଣପାତ ନକରିବାରୁ ଲୋକେ ଏହି ପଦକ୍ଷେପ ନେଇଥିଲେ।
ବୁଧବାର ସକାଳ ୮ ଘଣ୍ଟାରୁ ଆରମ୍ଭ ହୋଇଥିବା ରାସ୍ତା ଅବରୋଧ ଯୋଗୁଁ ଏହି ବ୍ୟସ୍ତବହୁଳ ମାର୍ଗରେ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବାରୁ ଜନସାଧାରଣ ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣାର ସୂଚନା ପାଇ ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶବନ୍ତ ହିଆଲଙ୍କ ନିର୍ଦେଶକ୍ରମେ ଏଏସ୍ଆଇ ବଳଭଦ୍ର ଗୌଡ଼ ଓ ଏଏସ୍ଆଇ ମୋହନ କୁମାର ପରଜା ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲେ।ସେହିପରି ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ଦଶମନ୍ତ ମାଝୀ ଓ ଛତ୍ରପୁର ପଞ୍ଚାୟତ ସରପଞ୍ଚ ଶୁଷମା ମାଝୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଲୋକଙ୍କ ଜିଦ୍ ପରେ ବିଦ୍ୟୁତ ବିଭାଗ ତରଫରୁ ତୁରନ୍ତ ନୂଆ ଟ୍ରାନ୍ସଫରମର ସ୍ଥାପନ କରାଯିବା ସହ ବସୁଧା ପାନୀୟ ଜଳ ପ୍ରକଳ୍ପର ମୋଟର ପୁନର୍ବାର ଚାଲୁ କରାଯାଇଥିଲା। ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ ହଟାଇଥିଲେ ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା। ତେବେ ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ଆଗାମୀ ଦିନରେ ଆହୁରି ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।





