ପରଷ୍ପରକୁ ଦୋଷାରୋପ କରୁଛନ୍ତି କର୍ମଚାରୀ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ରଥଯାତ୍ରା ପୂର୍ବଦିନ ବିକଳ ଚିତ୍ର ଦେଖିବାକୁ ମିଳିଛି। ନିଜ ନିଜ ଗ୍ରାମ ପଞ୍ଚାୟତରେ ହୋଇଥିବା ବିଭିନ୍ନ କାମର ବିଲ୍ ହୋଇଥିବା ଟଙ୍କା ଉଠାଣ ପାଇଁ ବ୍ଲକରେ ଲମ୍ବା ଲାଇନ ଲଗେଇଥିବା ୧୦ ରୁ ଉର୍ଦ୍ଧ୍ୱ ସରପଞ୍ଚ ଓ ୨୦ ରୁ ଉର୍ଦ୍ଧ୍ୱ ଠିକାଦାର ଓ ଶ୍ରମିକ ମାନେ ବିଲ୍ ପାସ ହୋଇ ନ ପାରିବାରୁ ଏବଂ ପ୍ରାପ୍ୟ ଟଙ୍କା ନମିଳିବାରୁ ନିରାଶ ହୋଇ ଫେରି ଯାଇଥିବା ଦେଖିବାକୁ ମିଳିଥିଲା। ରାତି ପାହିଲେ ପବିତ୍ର ରଥଯାତ୍ରା। ଠିକାଦାର ବିଲ୍ ହୋଇଥିବା ଟଙ୍କା ପାଇଲେ ମିସ୍ତ୍ରୀ, ଶ୍ରମିକ ମାନଙ୍କୁ ପାଉଣା ପ୍ରଦାନ କରିବ। ଶ୍ରମିକ ମାନେ ଘରେ ପିଲାଛୁଆ, ଧର୍ମପତ୍ନୀ ଓ ବୁଢା ବାପା ମାଆଙ୍କ ପାଇଁ ରଥଯାତ୍ରା ଉପଲକ୍ଷେ ନୂଆ ବସ୍ତ୍ର କରିବେ। ରାସନ ସାମଗ୍ରୀ ନେଲେ ଘରେ ପିଠାପଣା ହେବ। କେତେ ଆଶା ନେଇ ନିଜର ହକର ପାଉଣା ପାଇବେ ବୋଲି ଆଶା ବାନ୍ଧି ବସିଥିଲେ। ହେଲେ ବ୍ଲକ ପ୍ରଶାସନଙ୍କ ଉଦାସୀନତା ଯୋଗୁଁ ଆଶା ଉପରେ ନିରାଶାର କଳା ବାଦଲ ଢାଙ୍କି ହୋଇଗଲା। ପ୍ରଶ୍ନ ଉଠୁଛି ଏସବୁ ସମସ୍ୟା ପାଇଁ ଦାୟୀ କିଏ? ଏବଂ ଭୁଲ ରହିଲା କେଉଁଠି? ମାସଟେ ଧରି ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରିଥିବା ଶ୍ରମିକ, ମିସ୍ତ୍ରୀ ମାନେ ରଥଯାତ୍ରା ଭଳି ସମୟରେ କାହାର ଭୁଲ ପାଇଁ ହକର ଟଙ୍କା ପାଇ ପାରିଲେ ନାହିଁ? ଠିକାଦାର ମାନେ ଏଥିପାଇଁ ବ୍ଲକ ପ୍ରଶାସନକୁ ଦାୟୀ କରୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ମାନେ ସେକ୍ସନ ଅଫିସରକୁ ଏଥିପାଇଁ ଦାୟୀ କରୁଛନ୍ତି। ସେକ୍ସନ ଅଫିସର(ବଡବାବୁ) କନିଷ୍ଠ ଯନ୍ତ୍ରୀ ଓ କେସିଅର କୁ ଦାୟୀ କରିଛନ୍ତି । ବିଲ ପାସ ହେବା ପାଇଁ ପ୍ରଥମ ସୋପାନ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପ୍ରଦତ୍ତ ଏମବି ବହି ରୁ ଆରମ୍ଭ ହୋଇ ପିପିଏମଏସ ଅନଲାଇନ ଦେଇ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଆକାଉଣ୍ଟ ଅଫିସର, ବିଡିଓଙ୍କ ପାଖରେ ପାସ ହେବା ପରେ କେସିଅରଙ୍କ ପାଖକୁ ଯାଇ ସେଠାରେ ଚେକ କଟାଯାଇ ଟ୍ରେଜେରୀକୁ ଯାଇଥାଏ। ପ୍ରଥମ଼ ସୋପାନରୁ ହିଁ କନିଷ୍ଠ ଯନ୍ତ୍ରୀ ମାନେ ଭୁଲ ଭାଲ କରି ଦେଇଥିବା ବିଲ୍ ଓ ମେଜରମେଣ୍ଟ ବୁକ ଫେରିଯିବା ପରେ କନିଷ୍ଠ ଯନ୍ତ୍ରୀମାନେ ଆଉ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗା ଯୋଗ କରି ନାହାନ୍ତି। ଏଣୁ ସମସ୍ୟା ସୃଷ୍ଟି ହୋଇ ବିଲ୍ ଟି ପଡି ରହିଥାଏ ବୋଲି ସୂଚନା ମିଳିଛି। ଗତ ୮ ଦିନ ତଳେ କନିଷ୍ଠ ଯନ୍ତ୍ରୀ ମାନେ ଦେଇଥିବା ୧୫ ଗୋଟି ବିଲ୍ ପାସ ହୋଇ କନିଷ୍ଠ ଯନ୍ତ୍ରୀ ମାନେ ଟଙ୍କା ଉଠାଣ କରି ସମ୍ପୃକ୍ତ ଠିକାଦାର ମାନଙ୍କୁ ପ୍ରଦାନ କରି ନିଜସ୍ୱ ଅଂଶ ନେଇ ସାରିଛନ୍ତି। ହେଲେ ମଙ୍ଗଳବାର ୨୦ ଗୋଟି ବିଲ ଦେଇଛନ୍ତି କନିଷ୍ଠ ଯନ୍ତ୍ରୀମାନେ। ଆମେତ ରଖିବା କଥା ନୁହଁ। ହେଲେ ଯାତ୍ରାଟେ ଆଗକୁ ଅଛି ଗରିବ ଶ୍ରମିକ, ମିସ୍ତ୍ରୀ ମାନେ ପାଇସା ପାଇ ଯାଆନ୍ତୁ ବୋଲି ରଖିଲୁ। ଜଣେ ସିନିଅର ଯନ୍ତ୍ରୀଙ୍କ ବିଲ ଭୁଲ ଭାଲ ଥିବାରୁ ରିଟର୍ଣ୍ଣ ହୋଇ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପାଖରେ ପଡି ରହିଛି। ଠିକାଦାର ହରବର କରି ଜଗି ବସିଲେ ବିଲ ତୁରନ୍ତ ପାସ ହେବ କେମିତି ବୋଲି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ସେକ୍ସନ ଅଫିସର ସୁଦର୍ଶନ ରାଉତ। ଏପରିକି ଅନେକ ସରପଞ୍ଚ, ଠିକାଦାରମାନଙ୍କ ଅବସ୍ଥା ମଧ୍ୟ ସଙ୍ଗୀନ ରହିଥିବା ଜଣାପଡିଛି। କେବଳ ରଥଯାତ୍ରା ବୋଲି ନୁହଁ। ନୂଆଖାଇ, ଦଶହରା ପ୍ରଭୃତି ସମୟରେ ଦିନେ ଦୁଇଦିନ ପୂର୍ବରୁ କାମ କରିଥିବା ବିଲ ପାସ କରିବା ପାଇଁ ବ୍ଲକରେ ବେଶ ଭିଡ ଜମିଥାଏ। କନିଷ୍ଠ ଯନ୍ତ୍ରୀଙ୍କ କ୍ୱାଟର୍ସରେ, ବଡ ବାବୁଙ୍କ ଟେବୁଲ ପାଖରେ, ସିପିଙ୍କ କମ୍ପ୍ୟୁଟର ପାଖରେ ଠିକାଦାରଙ୍କ ଲମ୍ବା ଲାଇନ ଲାଗିଥାଏ। ଠିକାଦାର, ସରପଞ୍ଚ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଶ୍ରମିକ ମାନଙ୍କ ସମାଗମ ଯୋଗୁଁ ବ୍ଲକ ଚଳଚଞ୍ଚଳ ହୋଇ ଉଠିଥାଏ। ବହୁତ ଦିନ ଆଗରୁ ତ କାମ ସରିଥାଏ । ହେଲେ ପର୍ବପର୍ବଣୀର ପୂର୍ବଦିନ ହିଁ ବ୍ଲକରେ ବିଲ୍ ପାଇଁ ଭିଡ ଜମିଥାଏ କାହିଁକି? ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ଏହି ବିକଳ ଚିତ୍ର, କାମଳ ରୋଗର ଅନ୍ତ କେବେ ଘଟିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।





