ରଥଯାତ୍ରା ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ‘ବୃକ୍ଷାୟନ’ ଅଭିଯାନ: ସବୁଜ କ୍ୟାମ୍ପସ ଗଠନ ପାଇଁ କରାଗଲା ଚାରାରୋପଣ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ପବିତ୍ର ରଥଯାତ୍ରା ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିବେଶ ସୁରକ୍ଷା ଓ ସ୍ଥାୟୀ କ୍ୟାମ୍ପସ ଗଠନର ବାର୍ତ୍ତା ଦେଇ ‘ବୃକ୍ଷାୟନ- ଏକ୍ ପେଡ୍ ମାଁ କେ ନାମ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଧରିତ୍ରୀ ମାତା ଓ ମାତୃତ୍ୱକୁ ସମ୍ମାନ ଜଣାଇ ବିଶ୍ୱବିଦ୍ୟାଳୟ ପରିସରରେ ବ୍ୟାପକ ଚାରାରୋପଣ କରାଯାଇଥିଲା।

କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ, ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ଓ କୁଳସଚିବ ଡଃ ସ୍ୱାତୀ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଅଭିଯାନରେ ବିଶିଷ୍ଟ ଅତିଥି, ପରିବେଶବିତ୍, ଅଧ୍ୟାପକ, ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ, ‘ବୃକ୍ଷାୟନ’ ଅଭିଯାନର ଲକ୍ଷ୍ୟ ହେଉଛି ବାଣୀବିହାର କ୍ୟାମ୍ପସକୁ ଅଧିକ ସବୁଜ, ସ୍ୱାସ୍ଥ୍ୟକର ଓ ସ୍ଥାୟୀ ପରିବେଶରେ ପରିଣତ କରିବା। ପରିବେଶ ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଧରିତ୍ରୀର ସୁରକ୍ଷା ପାଇଁ ବୃକ୍ଷରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିବା ସହ ରୋପଣ କରାଯାଇଥିବା ଚାରାର ଯତ୍ନ ନେବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ। ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ କହିଥିଲେ ଯେ, ପରିବେଶ ସଚେତନତା ସୃଷ୍ଟି ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ଥାୟୀ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଜାରି ରଖିବ।

‘ଏକ୍ ପେଡ୍ ମାଁ କେ ନାମ୍’ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରଥଯାତ୍ରାର ଆଧ୍ୟାତ୍ମିକ ଭାବନା ସହ ଧରିତ୍ରୀ ମାତା ଓ ମାତୃତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ସହ ଏକ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତାକୁ ପୁନଃ ଦୋହରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.