ନର୍ଲାରେ ଆଗଉଛି ଚାଷ କାର୍ଯ୍ୟ

ଧାନ ତଳି ରୋଆ ସହ ଚାଲିଛି କପା କ୍ଷେତ୍ରର ହୁଡା ଟେକା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଞ୍ଚଳରେ ଆଗେଇ ଚାଲିଛି ଚାଷ କାର୍ଯ୍ୟ। ଲଘୁଚାପ ଜନିତ ଉତ୍ତମ ବର୍ଷା ହେବା କାରଣରୁ ଆଗେଇ ପାରିଛି ଚାଷ କାର୍ଯ୍ୟ। ଧାନ ତଳି ରୋଇବା କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଅଞ୍ଚଳର ଧଳା ସୁନା କୁହା ଯାଉଥିବା କପା ଚାଷର ମଧ୍ୟ ଘାସ ବଛା ଓ ହୁଡା ଟେକା ଚାଲିଛି। ଜୁଲାଇ ୪ ରେ ବର୍ଷର ପ୍ରଥମ ଲଘୁଚାପ ବର୍ଷା ହେତୁ ୫ ଓ ୬ ଦୁଇ ଦିନ ଧରି ବର୍ଷା ହୋଇଥିଲା। ବିଲ ଗୁଡିକରେ ପାଣି ଭରିଗଲା। ହେଲେ ସେତେବେଳେ ଚାଷୀ ପ୍ରସ୍ତୁତ ନଥିଲେ। ଧାନ ତଳି ମଧ୍ୟ ପ୍ରସ୍ତୁତ ହୋଇପାରି ନଥିଲା। ପ୍ରଥମ ବର୍ଷାରେ ଚାଷୀ ଧାନ ତଳି ପକାଇବା ସହ କପା କ୍ଷେତ୍ରର ମଧ୍ୟ ପ୍ରସ୍ତୁତିରେ ଲାଗି ପଡିଲେ। ଗତ ୧୬ ରଥଯାତ୍ରା ସମୟରେ ବର୍ଷର ଦ୍ୱିତୀୟ ଲଘୁଚାପ ବର୍ଷା ହେଲା ଚାଷୀଙ୍କୁ ବେଶ ସହାୟକ ହୋଇଥିଲା ସେହି ବର୍ଷା। ଏଥିରେ ପ୍ରାୟ ଚାଷୀ ଅଧାଅଧି ଚାଷ କାମ ସାରି ଦେଇଥିଲେ। ଅନେକ ଚାଷୀ ଋଆ ବେଉଷଣ ମଧ୍ୟ କରିଦେଲେ ସେହି ବର୍ଷାରେ। ଏବେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଗତ କାଲି ରବିବାର ସକାଳୁ ଆରମ୍ଭ ହୋଇଥିବା ବର୍ଷା ଅଞ୍ଚଳର ଚାଷୀଙ୍କ ମୁହଁରେ ହସ ଫୁଟାଇ ଦେଇଛି। ଚାଷ ଜମିରେ ଆବଶ୍ୟକ ପରିମାଣ ର ପାଣି ହୋଇଯାଇଛି। ଏଣୁ ଚାଷୀ ବାପୁଡା ମନ ଖୁସିରେ ଚାଷ କାମରେ ଲାଗି ପଡିଛି। ନର୍ଲା ଏକ ଅଣ ଜଳ ସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷକାର୍ଯ୍ୟ କିରିଥାନ୍ତି। ଭଲ ଭାବରେ ବର୍ଷା ହେଲାତ ଠିକ ନହେଲେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥାଏ। କପା ଏକ ଅର୍ଥକାରୀ ଫସଲ। ଗତ ୨୦ ବର୍ଷରୁ ଉର୍ଦ୍ଧ୍ୱ ହୋଇ ଗଲାଣି ନର୍ଲା ଅଞ୍ଚଳରେ ବହୁଳ ଭାବରେ କପା ଚାଷ କରିଥାନ୍ତି ଚାଷୀ। ଅବଶ୍ୟ ଜିଲ୍ଲାର କେସିଙ୍ଗା, ଗୋଲାମୁଣ୍ଡା ଭଳି ବ୍ଲକ ଅଞ୍ଚଳରେ ନର୍ଲାରୁ ଅଧିକା କପା ଚାଷ ହୋଇଥାଏ।କଳାହାଣ୍ଡିରେ ବହୁତ ଉନ୍ନତ ମାନର କପା ଉତ୍ପାଦନ ହେଉଥିବାରୁ ଏହି କପାର ଚାହିଦା ବିଶ୍ୱ ବଜାରରେ ଢେର ବେଶୀ। କପା ଚାଷ ପାଇଁ ପର୍ଯ୍ୟାପ୍ତ ବର୍ଷାର ଆବଶ୍ୟକ ହୋଇ ନଥାଏ। ହେଲେ ସମୟାନୁଯାୟୀ ବର୍ଷା ହେବାର ମଧ୍ୟ ଆବଶ୍ୟକତା ରହିଛି। ନହେଲେ କପା ଚାଷ ଭଲ ହୋଇପାରିବ ନାହିଁ। ନର୍ଲା ଅଞ୍ଚଳରେ ଧାନ ମୁଖ୍ୟ ଫସଲ ହୋଇଥିବା ବେଳେ ଦ୍ୱିତୀୟ ଅର୍ଥକାରୀ ଫସଲ ଭାବରେ କପା ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । କପାଗଛ ମଞ୍ଜି ରୋଇବା ଠୁଁ ଆରମ୍ଭ କରି କପା ତୋଳିବା ପର୍ଯ୍ୟନ୍ତ ଚାଷୀଙ୍କୁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ। ଅନ୍ୟ ଫସଲ ଅପେକ୍ଷା କପା ଚାଷରେ ପ୍ରବଳ ପରିମାଣରେ ରୋଗ ପୋକ ଲାଗିଥାଏ। ଧାନ ବିଲ ପାଇଁ ମଧ୍ୟ ରୋଗ ପୋକକୁ ନିମନ୍ତ୍ରଣ କରି ଆଣି ଥାଏ କପା ଚାଷ। ସାର ଓ କୀଟ ନାଶକ ଛିଞ୍ଚନ କରି କରି ଚାଷୀ ନୟାନ୍ତ ହୋଇ ପଡିଥାଏ। ଏଣୁ କପା ଚାଷ ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଏଠିକାର ଚାଷୀ କପା ଚାଷ କୁ ଧିରେ ଧିରେ କମ କରିବାରେ ଲାଗିଛନ୍ତି। ଚଳିତ ବର୍ଷ ଯଦି ଏମିତି ଠିକ ଭାବରେ ବର୍ଷିଲା ତା ହେଲେ ଧାନ ଓ କପା ଚାଷ ବେଶ ଭଲ ହେବ ଓ ଅଞ୍ଚଳର ଚାଷୀଙ୍କ ଆର୍ଥିକ ବିକାଶ ହେବ ବୋଲି ଚାଷୀ ମାନେ ଆଶା ବାନ୍ଧି ବସିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.