ଲଗାଣ ବର୍ଷା: କଳାହାଣ୍ଡି ଜିଲ୍ଲାର ସ୍କୁଲ କଲେଜ ଛୁଟି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସାରା ଓଡିଶାର ସ୍ଥିତି ବିଶେଷ କରି ଉତ୍ତର ଓଡିଶାର ସ୍ଥିତି ବେହାଲ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି। ଲଗାଣ ବର୍ଷା ସ୍ଥିତିକୁ ଅନୁମେୟ କରି କଳାହାଣ୍ଡି ଜିଲ୍ଲାପାଳ ସ୍କୁଲ, କଲେଜ ସବୁ ଛୁଟି ଘୋଷଣା କରିଛନ୍ତି। ନର୍ଲା ସମେତ କଳାହାଣ୍ଡିର ସମସ୍ତ ସ୍କୁଲ କଲେଜ ଆଜି ଛୁଟି ରହିଛି। ପତ୍ର ସଂ-୫/୯୦ ତା୨୮/୭/୨୦୨୬ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ପତ୍ର ଅନୁଯାୟୀ ସାରା ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକ ଛୁଟି ରହିବା ନେଇ ନୋଟିସ ପ୍ରକାଶ ପାଇଛି। ଗତ ସୋମବାର ସଂଧ୍ୟାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜିଲ୍ଲା ତଥା ନର୍ଲାରେ ଲାଗି ରହିଛି। ଗତକାଲି ମଙ୍ଗଳବାର ଓ ଆଜି ବୁଧବାର ଲଗାଣ ବର୍ଷା ଯୋଗୁଁ ରାସ୍ତା, ଘାଟ, ସ୍କୁଲ ପରିସର ସବୁ ଜଳମୟ ହୋଇଯାଇଥିବା ଦେଖିବାକୁ ମିଳିଛି। କେତେକ ସ୍କୁଲ ଓ କଲେଜରେ ଛାତ୍ର ନଥିବା ବେଳେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାଗଜ ପତ୍ର କାମ କରୁଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ଦୁଇଦିନ ହୋଇଗଲା ରାସ୍ତା, ଘାଟ ମଧ୍ୟ ସବୁ ଖାଁ ଖାଁ ଲାଗୁଛି। ନର୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ନଥିଲେ ମଧ୍ୟ ଉପାନ୍ତ ଅଞ୍ଚଳରେ ରହୁଥିବା ଖଟିଖିଆ, ଦିନ ମଜୁରିଆ ଲୋକ ମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.