ପୂର୍ତ୍ତ ବିଭାଗର ନିମ୍ନ ମାନର କାମକୁ ନେଇ ଜନ ଅସନ୍ତୋଷ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଷ୍ଟେଟ ବ୍ୟାଙ୍କ ସମ୍ମୁଖ ଦେଇ ମାଝୀ ପଡ଼ାରୁ ଯାଇଥିବା ଡ୍ରେନ ପାଣି ରାଜରାସ୍ତା ଉପରେ କ୍ଷୁଦ୍ର ଜଳ ସେଚନ ଅଫିସ ସମ୍ମୁଖରେ ଅନବରତ ବୋହୁ ଥିବା ଦେଖିବାକୁ ମିଳୁଛି। ଏହା ଆଜିକାର ସମସ୍ୟା ନୁହଁ। ଦୀର୍ଘ ୧୦ ବର୍ଷ ଧରି ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ପୋତି ଗନ୍ଧମୟ ଅସନା ପାଣି ରାଜ ରାସ୍ତା ଉପରେ ବୋହି ଚାଲୁଥିଲା। ଏବେ ନର୍ଲା ମୁଖ୍ୟ ରାଜରାସ୍ତା ଛତିକୁଡା ରୁ ନର୍ଲା ଯାଏଁ ଚାଲିଛି ପ୍ରଶସ୍ତିକରଣ ଓ ୱାନ ୱେ କାମ। ରାସ୍ତା ପ୍ରଶସ୍ତ ହେଉଛି। ପୂର୍ତ୍ତ ଵିଭାଗ ରାସ୍ତା କାମ କରୁଛି। ରାସ୍ତା ସାଙ୍ଗକୁ ଆବଶ୍ୟକ ଅନୁଯାୟୀ ପୋଲ, ଗାଡ ୱାଲ, ଡ୍ରେନ ପ୍ରଭୃତି ତିଆରି ଚାଳିଛି। ହେଲେ ଦିର୍ଘ ତିନି ବର୍ଷ ହେବାକୁ ବସିଲାଣି ହେଲେ ସରି ପାରୁନି ରାସ୍ତା କାମ। ଅନ୍ୟପକ୍ଷେ ଅଞ୍ଚଳ ବାସୀଙ୍କ ଅନେକ ଦାବୀ ପରେ ପୂର୍ତ୍ତ ଵିଭାଗ ଉକ୍ତ ଡ୍ରେନ କାମ ମାଝୀ ପଡାରୁ କ୍ଷୁଦ୍ର ଜଳ ସେଚନ ଅଫିସ ସମ୍ମୁଖ ଯାଏଁ ମାତ୍ର ୧୦୦ ମିଟର କାମ କରି ଅଧ ପନ୍ତରିଆ ଭାବରେ ଛାଡି ଦେଇଛି। କାମ ଅଧା କରିକି ଵିଭାଗ ପକେଇ ରଖିଥିବା ବେଳେ କାମ ଏତେ ନିମ୍ନ ମାନର ହୋଇଛି ଯେ ଏହି ୧୦୦ ମିଟର କାମର ଅନେକ ସ୍ଥାନରେ ଡ୍ରେନ ଭାଙ୍ଗି ଯାଇଥିବା ବେଳେ ଉପରେ ଘୋଡାଇ ଦିଆଯାଇଥିବା କଂକ୍ରିଟ ଢାଙ୍କୁଣି ଜଣେ ବ୍ୟକ୍ତି ଏହା ଉପରେ ଛିଡା ହେଲେ ମଧ୍ୟ ଭାଙ୍ଗି ଯାଉଥିବା ଦେଖିବାକୁ ମିଳୁଛି। ଦୀର୍ଘ ବର୍ଷ ପରେ ପ୍ରଥମ କରି ପିଡବ୍ଲୁଡି ଵିଭାଗ ର କାମ ହୋଇଛି। ହେଲେ ଅତି ନିମ୍ନ ମାନର ଡ୍ରେନ କାମକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷେ ଡ୍ରେନ କାମ ଅଧାରେ ଛାଡି ଥିବାରୁ କ୍ଷୁଦ୍ର ଜଳ ସେଚନ ଅଫିସ ସମ୍ମୁଖସ୍ଥ ରାଜ ରାସ୍ତା ଉପରେ ଅନବରତ ଅସନା , ଦୁର୍ଗନ୍ଧ ଡ୍ରେନ ପାଣି ବୋହୁଛି। ଆଉ ଲଗାଣ ବର୍ଷା ହେଲେ କଥା ସରିଲା। ଏ ବିଷୟରେ ଜାଣିବା ପାଇଁ ପୂର୍ତ୍ତ ବିଭାଗ ନର୍ଲା ର କନିଷ୍ଠ ଯନ୍ତ୍ରୀ ଶ୍ରୀ ମୁର୍ମୁ ଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ। ହେଲେ ଶୁଣିବାକୁ ମିଳୁଛି ରାସ୍ତା ପାର୍ଶ୍ୱରେ ରହିଥିବା ଜମି ମାଲିକ ମାନେ ଡ୍ରେନ ପାଣି ସେମାନଙ୍କ ବିଲରେ ଛାଡିବା ପାଇଁ ମନା କରୁଛନ୍ତି।ଅନ୍ୟପକ୍ଷେ ଏବେ ଶେଷ ହୋଇଥିବା ଡ୍ରେନ ପଏଣ୍ଟ ରୁ ୨୫୦ ମିଟର ବ୍ୟବଧାନ ରେ ରହିଥିବା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ର କେନାଲ ରେ ଡ୍ରେନ ପାଣି ଛାଡିବା ପାଇଁ ପ୍ରସ୍ତାବ ଦେବାରୁ ଵିଭାଗ ମନା କଲା। କେନାଲରେ ଡ୍ରେନ ପାଣି ଛାଡ଼ିବାର ପ୍ରାବଧାନ ନଥିବା ବେଳେ ଏ ବିଷୟ ନେଇ ଏମ ଆଇ ଵିଭାଗ ନର୍ଲାର କନିଷ୍ଠ ଯନ୍ତ୍ରୀ ରାକେଶ ତରାଇ ଙ୍କ ମତାମତ ନେଵାରୁ ସେ କହିଲେ ପିଡବ୍ଲୁଡି ଵିଭାଗ ଅଧିକାରୀ ମୋତେ ଭେଟିଥିଲେ। ଏଇଠୁ ୪୦୦ ମିଟର ଦୂରରେ ଥିବା ନାଳରେ ଡ୍ରେନ ପାଣି ପକେଇବା ପାଇଁ ମୁଁ ସେମାନଙ୍କୁ ପ୍ରସ୍ତାବ ଦେଲି। ହେଲେ ଏଥିପାଇଁ ଅତିରିକ୍ତ ୧୦,୦୦,୦୦୦ ଖର୍ଚ୍ଚ ହେବ। ସେମାନେ କରିବେ ନାଁ ନାହଁ ତାଙ୍କର ନିଷ୍ପତ୍ତି ନେବେ ବୋଲି ସେ ମତ ବ୍ୟକ୍ତ କରିଥିଲେ। ହେଲେ ନର୍ଲା ରେ କେବେ ସରିବ ଚାରି ଥାକିଆ ରାସ୍ତା ନିର୍ମାଣ? କେବେ ସରିବ ଡ୍ରେନ କାମ? ରାଜ ରାସ୍ତା ଉପରେ ବହୁଥିବା ମଇଳା, ଅସନା, ଦୁର୍ଗନ୍ଧ ଡ୍ରେନ ପାଣି ରୁ କେବେ ମୁକ୍ତି ପାଇବେ ନର୍ଲା ଅଞ୍ଚଳବାସୀ?





