ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ମୁରିବାହାଲ ଗଣ୍ଡା ସମାଜର ସଭାପତି ଯାଦବ ଦୀପଙ୍କ ପରଲୋକ ଘଟିଛି। ଦୀର୍ଘ ପାଞ୍ଚ ବର୍ଷ ଧରି ସେ ପକ୍ଷାଘାତ (ପାରାଲିସିସ୍) ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ରାୟପୁରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା।
ଯାଦବ ଦୀପ ଜଣେ ସରଳ, ମିଷ୍ଟଭାଷୀ ଏବଂ ସମାଜ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ଗଣ୍ଡା ସମାଜର ସଭାପତି ଭାବେ ସେ ସମାଜର ଏକତା, ଶିକ୍ଷାର ପ୍ରସାର, ସାମାଜିକ ସଚେତନତା ଏବଂ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ସମାଜର ଅନେକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ସାମାଜିକ ସେବା ପାଇଁ ସେ ଅଞ୍ଚଳବାସୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ତାଙ୍କ ବିୟୋଗରେ ମୁରିବାହାଲ ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇବା ପରେ ବହୁ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ଶୁଭେଚ୍ଛୁ ମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପରିବାରରେ ତାଙ୍କ ପୁଅ ପ୍ରମୋଦ ଦୀପ, ନାତି ପ୍ରଦୀପ ଦୀପ ଓ ନାତୁଣୀ ନବିନ ଦୀପଙ୍କ ସହ ଅନ୍ୟାନ୍ୟ ସଦସ୍ୟ ରହିଛନ୍ତି। ତାଙ୍କ ବିୟୋଗ ସମାଜ ଓ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ଯାଦବ ଦୀପଙ୍କ ଶେଷକୃତ୍ୟରେ ବହୁ ସଂଖ୍ୟକ ସମାଜର ବ୍ୟକ୍ତିବିଶେଷ, ଆତ୍ମୀୟସ୍ୱଜନ ଏବଂ ଅଞ୍ଚଳବାସୀ ଯୋଗଦେଇ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।





