ପଟ୍ଟାଙ୍ଗୀରେ କଂଗ୍ରେସର ସାଙ୍ଗଠନିକ ଶକ୍ତି ବୃଦ୍ଧି ପାଇଁ BLA-2ଙ୍କୁ ପ୍ରଶିକ୍ଷଣ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ପଟ୍ଟାଙ୍ଗୀ ନିର୍ବାଚନମଣ୍ଡଳୀର ସମସ୍ତ ବୁଥ୍ ଲେଭେଲ୍ ଏଜେଣ୍ଟ (BLA-2)ଙ୍କ ଏକଦିନିଆ ପ୍ରଶିକ୍ଷଣ ଶିବିର ଓ ସାଙ୍ଗଠନିକ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଦଳୀୟ ସଂଗଠନକୁ ବୁଥ୍ ସ୍ତରରୁ ଆହୁରି ସକ୍ରିୟ ଓ ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନ ପାଇଁ ସାଙ୍ଗଠନିକ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ଶିବିରରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରୂପକ କୁମାର ତୁରୁକ, ପଟ୍ଟାଙ୍ଗୀ ବିଧାୟକ ତଥା ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କାଡାମ, ମାଲକାନଗିରିର ପୂର୍ବତନ ବିଧାୟକ ଶ୍ରୀ ନିମାଇଁ ସରକାର, ବିଧାୟକ ପ୍ରତିନିଧି ମହେଶ୍ୱର ଖିଲ, ସେମିଳିଗୁଡ଼ା, ପଟ୍ଟାଙ୍ଗୀ ଓ ନନ୍ଦପୁର ବ୍ଲକ କଂଗ୍ରେସ ସଭାପତିମାନେ, ସାଂସଦ ପ୍ରତିନିଧି ଏବଂ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ନେତୃବୃନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦଳର ମୂଳ ଶକ୍ତି ହେଉଛି ବୁଥ୍ ସ୍ତରର କର୍ମୀ। ତେଣୁ ପ୍ରତ୍ୟେକ ବୁଥ୍‌ରେ ସଂଗଠନକୁ ସକ୍ରିୟ କରିବା, ଭୋଟରଙ୍କ ସହ ନିୟମିତ ସମ୍ପର୍କ ରକ୍ଷା କରିବା ଏବଂ ଦଳର ନୀତି ଓ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ପାଇଁ BLA-2ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଶିକ୍ଷଣ ଶିବିରରେ ବୁଥ୍ ପରିଚାଳନା, ଭୋଟର ତାଲିକା ସମୀକ୍ଷା, ସାଙ୍ଗଠନିକ ସମନ୍ୱୟ, ଦଳୀୟ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କର୍ମୀମାନଙ୍କ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଶେଷରେ ସଂଗଠନକୁ ପଞ୍ଚାୟତ ଓ ବୁଥ୍ ସ୍ତରରେ ଅଧିକ ମଜବୁତ କରିବା ପାଇଁ ସମସ୍ତ କର୍ମୀଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.