ଘଣ୍ଟା ଘଣ୍ଟା ଧାଡ଼ିରେ ଲୋକେ: ଅଧାରୁ ଉଠିଗଲେ ଜିଲ୍ଲାପାଳ, ଅଭିଯୋଗକାରୀ ବଞ୍ଚିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସମ୍ପୂର୍ଣ୍ଣ ପ୍ରହସନରେ ପରିଣତ ହୋଇଛି ବୋଲି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ସକାଳ ୮ଟାରୁ ବ୍ଲକର ୨୬ ପଞ୍ଚାୟତର ଶହ ଶହ ଗରିବ, ବୃଦ୍ଧ, ବୃଦ୍ଧା ଓ ଆଦିବାସୀ ଲୋକେ ବର୍ଷାରେ, ଭୋକ ଉପାସରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଛିଡ଼ା ହୋଇ ନିଜର ଦୁଃଖ ଜଣାଇବାକୁ ଅପେକ୍ଷା କରିଥିଲେ। ହେଲେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ମାତ୍ର କିଛି ସମୟ ରହି ଅଧାରୁ ଶିବିରରୁ ଉଠି ଚାଲିଯିବାରୁ ଅଧିକାଂଶ ଅଭିଯୋଗକାରୀ ସିଧା ଜିଲ୍ଲାପାଳଙ୍କୁ ଭେଟି ପାରିନଥିଲେ। କେବଳ ତଳ ଅଧିକାରୀଙ୍କ ପାଖରେ ଦରଖାସ୍ତ ଦେଇ ନିରାଶ ହୋଇ ଫେରିବାକୁ ପଡ଼ିଲା। ଏହି ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକଣ୍ଡା, ଉତ୍ତର ବନଖଣ୍ଡ ବନ ଅଧିକାରୀ ଆର କଲେଇଭନନ, ଦକ୍ଷିଣ ବନଖଣ୍ଡ ବନ ଅଧିକାରୀ ପ୍ରଭାକର ବର୍ମା, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାମାଜିକ ସୁରକ୍ଷା ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୀନେଶ କୁମାର କହଁର, ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ଦୀପ କୁମାର ମାଝୀ, ବ୍ଲକ ମଙ୍ଗଳ ଅଧିକାରୀ ଶ୍ୟାମ ସୁନ୍ଦର ନାୟକ, ଯୋଗାଣ ଅଧିକାରୀ ଦିଲୀପ କୁମାର ନାୟକ, ବ୍ଲକ ଶିକ୍ଷାଧିକାରୀ ଋଷିଆ ମେହେର, ବିଶ୍ୱନାଥପୁର ବନ ଅଧିକାରୀ ନରୋତ୍ତମ ମାଝୀ, ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଦଶମତ ମାଝୀ, ଏପିଓ ସଞ୍ଜିତ ପରିଡ଼ା ସମେତ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ବନ, ପୂର୍ତ୍ତ, ଜଳ, ଶିଶୁ ବିକାଶ, ବିଦ୍ୟୁତ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏଥିରେ ମୋଟ ୪୬ ବ୍ୟକ୍ତିଗତ ଓ ୧୧ ସାମୁହିକ ସମେତ ୫୭ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଲୋକେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସରେ ଲାଞ୍ଚ କାରବାର, ଜମି ଜମା ବିବାଦ, ଭତ୍ତା ନ ମିଳିବା, ପାନୀୟ ଜଳ ଓ ରାସ୍ତା ସମସ୍ୟା ନେଇ ଅଭିଯୋଗ କରିଥିଲେ। ହେଲେ ବାରମ୍ବାର ଏଭଳି ଶିବିର ହେଉଥିଲେ ବି ସମାଧାନ ହେଉନାହିଁ। ପୂର୍ବ ଶିବିରର ଶହ ଶହ ଅଭିଯୋଗ ଫାଇଲ ତଳେ ପଡ଼ି ଧୂଳି ଖାଉଛି। କେବଳ ଦରଖାସ୍ତ ନେଇ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଉଛି, ମାସ ମାସ ବିତିଗଲେ ବି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଲୋକଙ୍କ କହିବାନୁଯାୟୀ ଆଜି ୧୦ଟାରୁ ଧାଡ଼ିରେ ଛିଡ଼ା ହେଲୁ, ଜିଲ୍ଲାପାଳ ଭେଟିଲେନି, କେବଳ ରସିଦ ଧରାଇ ପଠାଇଦେଲେ। ଏମିତି ଚାଲିଲେ ଆମେ ଯିବୁ କଣ କରିବୁ ବୋଲି ଅଭିଯୋଗକାରୀ ମାନେ କହିଛନ୍ତି। ଏଣୁ ଏହା ସମାଧାନ ଶିବିର ନୁହେଁ, ସରକାରୀ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।





