ନୂଆ ଟ୍ରାଫିକ ନିୟମ ଲାଗୁ ପରେ ପଶିଲା ଛନକା : ମୁଣ୍ଡରେ ହେଲମେଟ୍‍, ଡିକିରେ କାଗଜ

ସୋନପୁର,୯/୯(ସୁଶାନ୍ତ ସାହୁ) : ନୂଆ ଟ୍ରାଫିକ୍‍ ନିୟମ ଲାଗୁ ହେବା ପରେ ଜନସାଧାରଣଙ୍କ ଚେତା ପଶିଛି । କେତେବେଳେ କେଉଁ ସ୍ଥାନରେ ଟ୍ରାଫିକ ଯାଞ୍ଚ ବେଳେ ଫସିଯିବ ସେ ଚିନ୍ତାରେ ସତେ ଯେପରି ସବୁରି ମନରେ ଛନକା ପଶିଯାଇଛି । ଘରୁ ମନଇଚ୍ଛା ବାହାରୁଥିବା ଲୋକେ ଏବେ ବାହାରିବା ପୂର୍ବରୁ ହାତରେ ହେଲ୍‍ମେଟ ଧରି ବାହାରୁଛନ୍ତି । ଯୁବପିଢ଼ି ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଏପରିକି ଯୁବତୀ ଓ ପ୍ରାପ୍ତ ବୟସ୍କ ମହିଳାମାନେ ମଧ୍ୟ ଗାଡ଼ି ଚଳାଇବା ପାଇଁ ଘରୁ ବାହାରିବା ମାତ୍ରେ ହାତରେ ହେଲମେଟ ଧରି ବାହାରୁଥିବା ଲକ୍ଷ୍ୟ କରାଯାଉଛି । ଆରଟିଓ ଅଫିସରେ ପୂର୍ବରୁ ସେତେ ଭିଡ଼ ଲାଗୁ ନ ଥିଲା, ଏବେ କିନ୍ତୁ ନିୟମ ଲାଗୁ ହେବା ପରେ ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ଲୋକଙ୍କ ଭିଡ଼ ଜମୁଛି । ଲାଇସେନ୍ସ ବିନା ଅନେକ ଗାଡ଼ି ଚଳାଉଥିବାବେଳେ ଏବେ କିନ୍ତୁ ଲାଇସେନ୍ସ କରିବା ପାଇଁ ଲମ୍ବା ଲାଇନ୍‍ରେ ଛିଡ଼ା ହେଉଥିବା ଲକ୍ଷ୍ୟ କରାଯାଉଛି । ଏହାବ୍ୟତୀତ ଗାଡ଼ି ଧରି ବାହାରିବା ମାତ୍ରେ ପଲ୍ୟୁସନ, ଇନ୍ସ୍ୟୁରାନ୍ସ କାଗଜପତପତ୍ର ଓ ହେଲମେଟ ଧରି ଅନେକ ଘରୁ ବାହାରୁଥିବା ଲକ୍ଷ୍ୟ କରାଯାଉଛି । ଯେଉଁମାନଙ୍କ ହାତରେ ଏସବୁ ନାହିଁ ସେମାନେ ଲୁଚାଛପାରେ ଗଳି କନ୍ଦିରେ ପଶି ଯିବା ଆସିବା କରୁଥିବା ଓ ସହରର ମୁଖ୍ୟ ରାସ୍ତାକୁ ଆସିବାକୁ ଏକପ୍ରକାର ଭୟ କରୁଥିବା ଲକ୍ଷ କରାଯାଉଛି । ହେଲମେଟ ବିକ୍ରି ସଂଖ୍ୟା ବଢ଼ିଥିବା ଲକ୍ଷ୍ୟ କରାଯାଉଛି । ଅନ୍ୟପକ୍ଷରେ ପଲ୍ୟୁସନ ଯାଞ୍ଚ ଗାଡ଼ି ପୂର୍ବରୁ ରାସ୍ତା ଘାଟରେ କେବଳ ଛିଡ଼ା ହୋଇ ରହୁଥିବା ଲକ୍ଷ୍ୟ କରାଯାଉଥିବାବେଳେ ଏବେ ପଲ୍ୟୁସନ ଯାଞ୍ଚ ଗାଡ଼ି ନିକଟରେ ଲୋକଙ୍କ ଲମ୍ବା ଲାଇନ୍‍ ଦେଖିବାକୁ ମିଳୁଛି ପୂର୍ବରୁ ଯାହା ଘରେ ହେଲମେଟ ଅଦରକାରୀ ହୋଇ ଘର କୋଣରେ ପଡ଼ି ରହୁଥିଲା ଏବେ ସେମାନେ ବସ୍‍ଷ୍ଟାଣ୍ଡ ଆସିବାକୁ ହେଲେ ମଧ୍ୟ ହାତରେ ହେଲମେଟ ଧରି ଆସୁଥିବା ଲକ୍ଷ୍ୟ କରାଯାଉଛି । ଏସବୁ ବ୍ୟତୀତ ଯେଉଁ ଉଦ୍‍ଭ୍ରାନ୍ତ ଯୁବକମାନେ ମନଇଚ୍ଛା ବାଇକ୍‍ ଚାଳନା କରୁଥିଲେ, ଯେଉଁମାନେ ଅନବରତ କାନରେ ମୋବାଇଲ୍‍ ଲଗାଇ ବାଇକ୍‍ ଚଳାଉଥିଲେ ଏବେ ସେମାନେ କଲ୍‍ ଆସିଲେ ରାସ୍ତା କଡ଼ରେ ଗାଡ଼ି ରଖି ମୋବାଇଲ୍‍ରେ କଥା ହେବା ପରେ ଗାଡ଼ି ଚଳାଉଥିବା ଓ ଉଦ୍‍ଭ୍ରାନ୍ତ ଯୁବକଙ୍କ ରଙ୍ଗଢଙ୍ଗ ଢେର କମିଯାଇଥିବା ଲକ୍ଷ୍ୟ କରାଯାଉଛି । ଟ୍ରାଫିକ ନିୟମ କଡ଼ାକଡ଼ି ହେବା ପରେ ଦୁର୍ଘଟଣାକୁ ଅନେକାଂଶରେ ରୋକାଯାଇପାରିବ ବୋଲି ମତପ୍ରକାଶ ପାଉଥିଲେ ହେଁ ଜୋରିମାନା ଆଦାୟ ଜୁଲୁମ୍‍ ନ ହେଉ ବୋଲି ଅନେକଙ୍କ ମତପ୍ରକାଶ ପାଉଛି ।

Click here to get daily News  & Views update 👇

https://bit.ly/OBgroup3

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.